April 26, 2026

ଅଜଣା କାର୍ ଧକ୍କାରେ ଅଧ୍ୟାପକ ମୃତ

Screenshot_2023-04-27-20-05-48-594_com.whatsapp
Share

 

 

ବୋଲଗଡ,୨୭/୦୪ (ଉପାନ୍ତ ଓଡିଶା ): ବୁଧବାର ମଧ୍ୟାହ୍ନରେ ବୋଲଗଡ ମହାବିଦ୍ୟାଳୟ ପଦାର୍ଥବିଜ୍ଞାନ ବିଭାଗର ବରିଷ୍ଠ ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର ସ୍ଥାନୀୟ ବ୍ଲକ ଛକଠାରେ ଛିଡା ହୋଇଥିବାବେଳେ ଏକ ଅଜଣା ଗାଡି ଧକ୍କା ଦେବାଯୋଗୁ ତାଙ୍କର ଅକାଳ ବିୟୋଗ ଘଟିଛି।ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ ଯେ ,ଗାଡିର ବେଗ ଏଭଳି ତୀବ୍ର ଥିଲା ଯେ , ଗାଡିଟି ଘଟଣାସ୍ଥଳରୁ ମୃତକଙ୍କୁ ପ୍ରାୟ ପଚାଶ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା ।ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ସହାୟତାରେ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଶ୍ରୀ ମିଶ୍ରଙ୍କୁ ନେଇଯାଇଥିଲେ ।ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ବର୍ଗତ ମିଶ୍ରଙ୍କ ଜନ୍ମ ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ପନ୍ତିଖାରି ପଞ୍ଚାୟତ ଅନ୍ତର୍ଗତ କୈବଲ୍ୟପୁର ଗ୍ରାମରେ ।ପିତା ସ୍ବର୍ଗତ ଜନାର୍ଦ୍ଦନ ମିଶ୍ର ଏକ ସରକାରୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଥିଲେ। ତାଙ୍କ ମାତାଙ୍କ ନାମ ସୌଭାଗ୍ୟ ମଞ୍ଜରୀ ଦେବୀ।ଛାତ୍ରାବସ୍ଥାରୁ ଅତ୍ୟନ୍ତ ମେଧାବୀ ଥିବା ଅଧ୍ୟାପକ ଶ୍ରୀ ମିଶ୍ର ଗତ ୧୯୯୭ ମସିହା ସେପ୍ଟେମ୍ବର ମାସରୁ ପରମାନନ୍ଦ ମହାବିଦ୍ୟାଳୟରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ।ସେ ତାଙ୍କର ଧର୍ମପତ୍ନୀ ମିତାରାଣୀ ମିଶ୍ର , କନ୍ୟା ଅଭିପ୍ସା ମିଶ୍ର ,ମାତା ଓ ଭାଇଭଉଣୀ ମାନଙ୍କୁ ଛାଡି ଇହଧାମ ତ୍ୟାଗ କରିଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ହସ୍ପିଟାଲ ଲୋକରଣ୍ୟ ହୋଇପଡ଼ିଥିଲା।ଜ୍ଞ୍ୟାତି କୁଟୁମ୍ବ , ଆତ୍ମୀୟ ସ୍ୱଜନ, ବନ୍ଧୁବାନ୍ଧବ ଓ ସହକର୍ମୀଙ୍କ ଉପସ୍ଥିତି ସେଠାରେ ଏକ ଅତ୍ୟନ୍ତ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଥିଲା । ଶବାଧାରରେ ଅଧ୍ୟକ୍ଷ ପ୍ରଫେସର ହେମନ୍ତ ମହାପାତ୍ର ଓ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ ମାଲ୍ୟାର୍ପଣ କରିବାସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।ଅଧ୍ୟାପକ ମିଶ୍ରଙ୍କ ଅକାଳ ଵିୟୋଗରେ ସହକର୍ମୀ , ଛାତ୍ରଛାତ୍ରୀ, ଅବିଭାବକ ଓ ଜନସାଧାରଣଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

 

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)