ଗଜପତି:- ସୀମାନ୍ତ ଅଞ୍ଚଳରେ ଓଡ଼ିଶୀ ନୃତ୍ୟର ପ୍ରସାର ପାଇଁ ପାରଳାଖେମୁଣ୍ଡିରେ ତିନିଦିନିଆ ଜାତୀୟ ଓଡ଼ିଶୀ ନୃତ୍ୟ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ
ସୀମାନ୍ତ ଅଞ୍ଚଳରେ ଓଡ଼ିଶୀ ନୃତ୍ୟର ପ୍ରାସାର ଉଦ୍ଦେଶ୍ୟ ନେଇ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ “ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ର” ଆନୁକୁଲ୍ୟରେ ତିନିଦିନିଆ ଜାତୀୟ ଓଡ଼ିଶୀ ନୃତ୍ୟ କର୍ମଶାଳା–୨୦୨୬ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଭୁବନେଶ୍ୱର ସ୍ଥିତ “ତ୍ରିଧାରା ନୃତ୍ୟ ଅନୁଷ୍ଠାନ” ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ସହଯୋଗରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା।
ଓଡ଼ିଶୀ ନୃତ୍ୟ ଏବଂ ସାଂସ୍କୃତିକ ଶିକ୍ଷାର ପ୍ରସାର ମାଧ୍ୟମରେ ସୀମାନ୍ତ ଓ ଗ୍ରାମୀଣ ସମ୍ପ୍ରଦାୟକୁ ସଶକ୍ତ କରିବା ଏହି କର୍ମଶାଳାର ମୂଳ ଉଦ୍ଦେଶ୍ୟ ବୋଲି ତ୍ରିଧାରାର ନୃତ୍ୟ ନିର୍ଦ୍ଦେଶକ ଗୁରୁ ଡକ୍ଟର ଗଜେନ୍ଦ୍ର କୁମାର ପଣ୍ଡା ସୂଚନା ଦେଇ କହିଥିଲେ।
ଏହି ନୃତ୍ୟ କର୍ମଶାଳାର ସମସ୍ତ କାର୍ଯ୍ୟକ୍ରମରେ ନୃତ୍ୟ ଗୁରୁ ଡି: ପ୍ରିୟଙ୍କା ପରିଚାଳନା ଓ ସହଯୋଗ କରିଥିଲେ।
ତିନିଦିନ ଧରି ଆୟୋଜିତ ଏହି ନୃତ୍ୟ ଶିବିର କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ନୃତ୍ୟଶିଳ୍ପୀ ଯୋଗ ଦେଇ ଓଡ଼ିଶୀ ନୃତ୍ୟର ତାଳ , ଲୟ , ଭଙ୍ଗୀ , ମୁଦ୍ରା ଓ ଅଭିନୟ ସମ୍ପର୍କରେ ସମ୍ୟକ ଜ୍ଞାନ ଅର୍ଜନ କରିଥିଲେ।
କର୍ମଶାଳା କାର୍ଯ୍ୟକ୍ରମ ଶେଷରେ ସମସ୍ତ ପ୍ରଶିକ୍ଷାର୍ଥୀ’ଙ୍କୁ ପ୍ରମାଣପତ୍ର ପ୍ରଦାନ କରା ଯାଇଥିଲା।
ଏହି କର୍ମଶାଳା ସ୍ଥାନୀୟ ଅଞ୍ଚଳରେ ଓଡ଼ିଶୀ ନୃତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ନୂତନ ପିଢ଼ିଙ୍କ ମଧ୍ୟରେ ସାଂସ୍କୃତିକ ସଚେତନତା ବୃଦ୍ଧି କରିବାରେ ସହାୟକ ହୋଇପାରିଛି।
ଏହା ସହିତ ତ୍ରିଧାରା ନୃତ୍ୟ ଅନୁଷ୍ଠାନର ନିର୍ଦ୍ଦେଶକ ଗୁରୁ ଡ଼ଃ ଗଜେନ୍ଦ୍ର କୁମାର ପଣ୍ଡା’ଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଏବଂ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଗଜପତିରେ ଓଡ଼ିଶୀ ନୃତ୍ୟ ଓ ସାଂସ୍କୃତିକ ଶିକ୍ଷା ଉପରେ ଏକ ବ୍ୟାଖ୍ୟାନ-ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଷଷ୍ଠ’ରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର ର ନିର୍ଦ୍ଦେଶିକା ଗୁରୁ ଡି: ପ୍ରିୟଙ୍କା ଏହି କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ଛାତ୍ରଛାତ୍ରୀଙ୍କୁ ଓଡ଼ିଶୀ ନୃତ୍ୟର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରାଇଥିଲେ।
,,,,________________________
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
——————————————-
