May 27, 2026

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଠାରେ ବଳଦ ନେଇ ଯାଉଥିବା ଲୋକଙ୍କୁ ଆଣ୍ଠେଇ ଆଣ୍ଠେଇ ରାସ୍ତା ଉପରେ ଚଲେଇବା ଘଟଣା, ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଚନ୍ଦାହାଣ୍ଡି ଥାନା ଘେରାଉ କଲେ ଯାଦବ ସମାଜ………

IMG-20260526-WA0040
Share

 

 

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଞ୍ଚଳରୁ ରାଇଘର ଅଞ୍ଚଳକୁ ନିଜ ଗାଈ ବଳଦକୁ ନେଇ ଯାଉଥିବା କିଛି ଲୋକଙ୍କୁ ବେଆଇନ ଭାବେ ଗୋଚାଲାଣ କରାଯାଉଥିବା ଆଭିଯୋଗ କରି ସେମାନଙ୍କୁ ଅଟକାଇ ଗାଳିଗୁଲଜ କରିବା, ମାଡ଼ ମାରିବା ସହ ରାସ୍ତା ଉପରେ ଆଣ୍ଠେଇ ଆଣ୍ଠେଇ ଚଳାଇବା ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ଅବିଭକ୍ତ କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲା ର ଶତାଧିକ ଯାଦବ ସମାଜ ବ୍ୟକ୍ତି ଚନ୍ଦାହାଣ୍ଡି ଥାନା ଘେରାଉ କରିଥିଲେ । ବିଭିନ୍ନ ଜିଲ୍ଲା ରୁ ଆସିଥିବା ଶତାଧିକ ଯାଦବ ସମ୍ପ୍ରଦାୟର ବ୍ୟକ୍ତି ଏକତ୍ରିତ ହୋଇ ଚନ୍ଦାହାଣ୍ଡି କଲ୍ୟାଣ ମଣ୍ଡପ ଠାରୁ ଏକ ଶୋଭାଯାତ୍ରା ରେ ବାହାରି ଥାନା ପହଞ୍ଚି ଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଥାନା ସମ୍ମୁଖରେ ନାରାବାଜି କରିବାସହ ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ଚନ୍ଦାହାଣ୍ଡି ଥାନା ଘେରାଉ କରିଛନ୍ତି। ପୋଲିସ ସମସ୍ତ ଅଭିଯୁକ୍ତକୁ ଗିରଫ ନକରିବା ପର୍ଯ୍ୟନ୍ତ ଥାନା ସମ୍ମୁଖରୁ ହଟିବୁ ନାହିଁ ବୋଲି ଜିଦରେ ଅଡ଼ି ବସିଥିଲେ। ସୂଚନାନୁଯାୟୀ ରାଇଘର ବ୍ଲକ ଅନ୍ତର୍ଗତ ଭାରସୋଣ୍ଡି ଅଞ୍ଚଳର କିଛି ବଙ୍ଗୀୟ, ଆଦିବାସୀ,ଗୌଡ଼ ସମ୍ପ୍ରଦାୟର କିଛି ଚାଷୀ ନିଜ ବଳଦ ଗୁଡ଼ିକୁ ଚନ୍ଦାହାଣ୍ଡି ବ୍ଲକର ଡହିମାଲ ଗ୍ରାମରେ କିଛି ମାସ ତଳେ ଚରେଇବାକୁ ଦେଇଥିଲେ। ତେବେ ଗତ ୨୧ ତାରିଖ ଗୁରୁବାର ଦିନ ଚାଷ ଋତୁ ପାଖେଇ ଆସିଥିବାରୁ ନିଜ ଗାଁ କୁ ଗାଈ ବଳଦ ସବୁକୁ ନେଇ କି ଯାଉଥିଲେ। ଏହି ସମୟରେ ନିଜକୁ ବଜରଙ୍ଗ ଦଳର ସଦସ୍ୟ ବୋଲି ପରିଚୟ ଦେଇ କିଛି ଯୁବକ ଚାଷୀ ମାନଙ୍କୁ ବଳଦ ସହ ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଲଧୁଆପଡ଼ା ଗ୍ରାମ ନିକଟରେ ଅଟକାଇଥିଲେ। ବେଆଇନ ଭାବେ ଗୋ ଚାଲାଣ କରୁଛ ବୋଲି ଅଭିଯୋଗ ସହିତ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ,ମାଡ ମାରିବା ସହ ପ୍ରଚଣ୍ଡ ଖରାରେ ଆଣ୍ଠେଇ ଆଣ୍ଠେଇ ଚଲାଇ ଚଲାଇ ନେଇଥିଲେ। ଏହାସହ ଏହାର ଭିଡ଼ିଓ ଉତ୍ତୋଳନ କରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଛାଡିଥିଲେ। କିଛି ସମୟ ମଧ୍ୟରେ ଏହି ସବୁ ଭିଡିଓ ଚାରିଆଡେ ବିଜୁଳି ବେଗରେ ପ୍ରଘଟ(ଭାଇରାଲ) ହୋଇଯାଇଥିଲା। ଏହି ଘଟଣା ପରେ ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ସହିତ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହି ମାମଲା ରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତ ଶ୍ରୀମନ୍ତ ରଥ ଓ ଦେବାଶିଷ ରଥ କୁ ପୋଲିସ ଗିରଫ କରି ଚୁପ ବସିଥିବା ବେଳେ ଏହି ଘଟଣା ର ମାଷ୍ଟର ମାଇଣ୍ଡ ସରୋଜ ଅଗସ୍ତି ସମେତ ଲୋକେଶ ସମରଥ, ହୃଷିକେଶ ନାୟକ, ଭଜମନ ମାଝୀ କୁ ଶୀଘ୍ର ଗିରଫ କରିବାକୁ ଦାବି କରିଥିଲେ। ଆଜିର ବିକ୍ଷୋଭ ପ୍ରଦର୍ଶନ ସମୟ ରେ ଜିଲ୍ଲା ପରିଷଦ ସଭ୍ୟା କେତକୀମଲ୍ଲୀ ଗୌଡ଼, ଭୋଦେବ ବାଘ, ଦେବଦାସ ମାହାଙ୍କୁଡ, ଜ୍ୟୋତି କଂସ, ବାସୁଦେବ ଗୌଡ଼,ଘନଶ୍ୟାମ କଟା, ତରୁଣ ଗୌଡ଼, ହୁମେଶ୍ୱର ହଂସ, ରମେଶ ବାଘ, ପୁରୁଷୋତ୍ତମ ବାଘ, ମାନସ ବାଘ, ନୀଳମଣି ଗୌଡ଼ ଙ୍କ ସମେତ ଯାଦବ ସମାଜ ର ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ। ଆଗାମୀ କି ପଦକ୍ଷେପ ନିଆଯିବ ସେନେଇ ଆଜି ଏସ ସି ଏସ ଟି, ପଛୁଆ ବର୍ଗ ଏବଂ ସଂଖ୍ୟା ଲଘୁ ସଂଘ ର ବୈଠକ ଅନୁଷ୍ଠିତ ହୋଇ ସ୍ଥିର କରାଯିବବୋଲି ଜଣା ପଡିଛି

You may have missed