May 19, 2024

ଧୃତରାଷ୍ଟ୍ର ଶାସନ ଯୋଗୁଁ ବିକାଶ ବାଟବଣା – ଦେବେନ୍ଦ୍ର ମହାପାତ୍ର

Share

 

ରେଢାଖୋଲ: ଆତ୍ମପ୍ରଚାରରେ ବ୍ୟସ୍ତ ଓଡ଼ିଶା ସରକାର ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛନ୍ତି । ଏଠାକାର ସରକାର ଧୃତରାଷ୍ଟ୍ର ଦୋଷରେ ଗ୍ରସିତ । ବିଜେଡ଼ିର ତୁଚ୍ଛ ରାଜନୀତି ତଥା ଯୋଗୁଁ ରେଢାଖୋଲ ସମେତ ସମ୍ବଲପୁରରେ ବିକାଶ ବାଟବଣା ହୋଇଛି ବୋଲି ବିଜେଡି ନେତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ରେଢାଖୋଲ ବିଜେପି ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର ।

ସେ କହିଛନ୍ତି ଯେ ରେଢାଖୋଲ ବ୍ଲକ ପାଣିମୁରା ପଞ୍ଚାୟତରେ ୧୨ଟି ଗାଁ ଏବେ ବି ଅପହଞ୍ଚ । ରେଢାଖୋଲର ସ୍ୱାସ୍ଥ୍ୟସେବା ଏକପ୍ରକାର ଭୁଶୁଡ଼ି ପଡ଼ିଛି । ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ୪୯ ଡାକ୍ତର ପଦବୀରୁ ୩୬ ଜଣ ଡାକ୍ତର ନାହାନ୍ତି । ସମ୍ବଲପୁର ଜିଲ୍ଲା ପାଇଁ ୫୧୨ ଡାକ୍ତର ପଦବୀ ୩୪୩ଟି ଡାକ୍ତର ପଦବୀ ଖାଲି ପଡିଛି l ରେଢାଖୋଲ ବ୍ଲକରେ ଏବେ ଯାଏ ସରକାରୀ +୨ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାହିଁ। ବିଧାନସଭା ଅଞ୍ଚଳରେ ୧୮,୦୦୦ରୁ ଉର୍ଦ୍ଧ୍ବ ପରିବାର ଏବେ ବି ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି । ରେଢାଖୋଲ ଭଳି ପବିତ୍ର ଧାମରେ ଗାଁର ବିକାଶ ନକରିବା କଣ ନବୀନ ପଟ୍ଟନାୟକଙ୍କ ସଂସ୍କୃତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସରକାର ସବୁ ଜାଣି ମଧ୍ୟ ନିଜ ସ୍ୱାର୍ଥ ପାଇଁ ଲୋକ କଲ୍ୟାଣକୁ ବଳି ପକାଇବାକୁ ପଛାଉନାହାନ୍ତି । ଓଡ଼ିଶାରେ ପିଇବା ପାଣି ଏକ ମୌଳିକ ସମସ୍ୟା ଭାବେ ଦେଖାଯାଇଛି । ହୀରାକୁଦ ସହରରେ ନାଗରିକ ମାନଙ୍କୁ ସ୍ୱଚ୍ଛ ପିଇବା ପାଣି ନମିଳିବା ଓ ଡାଇରିଆ ବ୍ୟାପିବା ଦ୍ୱାରା ଶତାଧିକ ଲୋକମାନେ ପୀଡିତ ହେବା ସ୍ଥାନୀୟ ଶାସନ ବ୍ୟବସ୍ଥାର ପାରିବାପଣିଆକୁ ଦର୍ଶାଉଛି, ଯାହା ଚିନ୍ତାଜନକ । ଓଡ଼ିଶାର ପ୍ରତି ଘରକୁ ପାଇପ ଯୋଗେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇବା ପାଇଁ ହଜାର ହଜାର କୋଟି ଟଙ୍କା ମୋଦୀ ସରକାର ଦେବା ପରେ ବି ସ୍ଥାନୀୟ ସରକାରର ଅପାରଗତା କାରଣରୁ ଲୋକମାନେ ଏଥିରୁ ବଞ୍ଚିତ ହେଉଛନ୍ତି । କିଛିଦିନ ପୂର୍ବରୁ ରାଉରକେଲା ଭଳି ସ୍ମାର୍ଟ ସିଟିରେ ଏଭଳି ଡାଇରିଆ ବ୍ୟାପିଥିଲା । ଓଡ଼ିଶାର ସହରାଞ୍ଚଳ ବ୍ୟବସ୍ଥା ଏପରି କଣ ପାଇଁ ? ଗାଁ ଗାଁରେ ପିଇବା ପାଣିର ବ୍ୟବସ୍ଥା କରିଥିବା କହୁଥିବା ସ୍ଥାନୀୟ ସରକାରର ଏହା ତଥାକଥିତ ମିଛ ରୂପାନ୍ତରଣର ବଡ ପ୍ରମାଣ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱ ଓ କଲ୍ୟାଣକାରୀ ପଦକ୍ଷେପ ଉପରେ ସମସ୍ତଙ୍କ ଭରସା ବଢିଛି । ମୋଦୀଙ୍କ ନେତୃତ୍ୱରେ ତୃଣମୂଳ ସ୍ତରରେ ବହୁତ ପରିବର୍ତ୍ତନ ହୋଇଛି । ଓଡ଼ିଶାକୁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବାବଦକୁ ମୋଦୀ ୧୮ ଲକ୍ଷ କୋଟି ଟଙ୍କା ଦେଇଛନ୍ତି । ଆବାସ ଯୋଜନାରେ ୩୪ ଲକ୍ଷ ଘର ଦେଇଛନ୍ତି । ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମାସକୁ ମାଗଣାରେ ପାଞ୍ଚ କେଜି ଚାଉଳ ଦେଉଛନ୍ତି । ପ୍ରାୟ ୫୪ ଲକ୍ଷ ଲାଭାର୍ଥୀଙ୍କ ଘରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ଯୋଗାଇ ଦିଆଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।