ଧାନ ସଂଗ୍ରହ ପଞ୍ଜୀକରଣ ସମୟ ବୃଦ୍ଧି , ସବ୍-ସେଣ୍ଟର ଖୋଲିବାକୁ ଦାବି ଚାଷୀଙ୍କ ସହିତ ଅଛି ବିଜେପି ସରକାର : କୃଷ ମୋର୍ଚ୍ଚା ସଭାପତି
ସମ୍ବଲପୁର, ୨୪।୮( ) ଧାନ ସଂଗ୍ରହ ପଞ୍ଜୀକରଣ ପ୍ରକ୍ରିୟାରେ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ। ୱେବସାଇଟ୍ ସର୍ଭର ସମସ୍ୟା ଓ ପ୍ୟାକ୍ସ ଗୁଡ଼ିକରେ ଅତ୍ୟଧିକ ଭିଡ଼ ଯୋଗୁଁ ଅନେକ ଚାଷୀ ପଞ୍ଜୀକରଣ କରିବାରୁ ବଞ୍ଚିତ ହେବା ଆଶଙ୍କା ଦେଖାଦେଇଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଧାନ ସଂଗ୍ରହ ପଞ୍ଜୀକରଣ ତାରିଖ ବୃଦ୍ଧି କରିବା ସହ ପ୍ୟାକ୍ସ ସବ୍-ସେଣ୍ଟର୍ ଖୋଲିବାକୁ ଜିଲ୍ଲା କୃଷକ ଫ୍ରଣ୍ଟ ଏବଂ ବିଜେପି କୃଷକ ମୋର୍ଚ୍ଚା, ସମ୍ବଲପୁର ପକ୍ଷରୁ ଦାବି କରାଯାଇ ଆଜି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଙ୍କୁ ଭେଟି ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ବର୍ତ୍ତମାନ ସର୍ଭର ଧୀର ରହୁଥିବାରୁ ପଞ୍ଜୀକରଣ ପ୍ରକ୍ରିୟାରେ ପ୍ରଚୁର ବିଳମ୍ବ ହେଉଛି। ଏହାସହ ଗୋଟିଏ ପ୍ୟାକ୍ସ ଅଧୀନରେ ୭ ରୁ ୧୦ ଟି ଗ୍ରାମପଞ୍ଚାୟତ ରହୁଥିବାରୁ ଗୋଟିଏ ସ୍ଥାନରେ ପ୍ରବଳ ଚାଷୀଙ୍କ ଭିଡ଼ ଜମୁଛି। ଦୂରଦୂରାନ୍ତରୁ ଆସୁଥିବା ଚାଷୀମାନେ ଘଣ୍ଟା ଘଣ୍ଟା ଧରି ଲାଇନ୍ରେ ଛିଡ଼ା ହୋଇ ମଧ୍ୟ ନିରାଶ ହୋଇ ଫେରୁଛନ୍ତି। ଚାଷୀଙ୍କ ଏହି ସୁବିଧାକୁ ଦୃଷ୍ଟିରେ ରଖି ପଞ୍ଜୀକରଣ ତାରିଖ ତୁରନ୍ତ ବୃଦ୍ଧି କରିବା ଏବଂ ଗ୍ରାମପଞ୍ଚାୟତ ସ୍ତରରେ ପ୍ୟାକ୍ସ ସବ୍-ସେଣ୍ଟର୍ ଖୋଲିବାକୁ ଅନୁରୋଧ କରିଥିଲେ।। ଏହାଦ୍ୱାରା ସମସ୍ତ ଚାଷୀ କୌଣସି ଅସୁବିଧା ବିନା ସୁଗମ ଭାବେ ନିଜର ପଞ୍ଜୀକରଣ ସମ୍ପୂର୍ଣ୍ଣ କରିପାରିବେ। ଏହି ଦାବିପତ୍ର ପ୍ରଦାନ କାଳରେ ସମ୍ବଲପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁବୋଧ ପଣ୍ଡା, ଜିଲ୍ଲା କୃଷକ ଫ୍ରଣ୍ଟର ସାଧାରଣ ସମ୍ପାଦକ ନାରାୟଣ ବେହେରା, ଶ୍ରୀମତୀ ଦେହୁରୀ, ଅନ୍ତର୍ଯ୍ୟାମୀ ରାଉତଙ୍କ ସମେତ ସମ୍ବଲପୁର ଜିଲ୍ଲା କୃଷକ ଫ୍ରଣ୍ଟର ବହୁ କର୍ମକର୍ତ୍ତା ଓ ନେତୃବୃନ୍ଦ ଉପସ୍ଥିତ ଥିଲେ। କୃଷକ ମୋର୍ଚ୍ଚା ସଭାପତି ମିତ୍ରଭାନୁ ପ୍ରଧାନ କହିଛନ୍ତି ଯେ, ବିଜେପି ସରକାର ଲୋକଙ୍କ ଚାଷୀଙ୍କ ସରକାର। ଧାନ ପଞ୍ଜିକରଣ ସମୟରେ ଚାଷୀଙ୍କୁ ସମସ୍ୟା ଦୂର କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି। ଧାନର ସହାୟକ ମୂଲ୍ୟ ବୃଦ୍ଧି କରାଯାଉଛି। ଚାଷୀ ପଞ୍ଜୀକରଣ ରେ ମଧ୍ୟ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ଏନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା ରହିଛି।।
