August 27, 2026

ବନ୍ୟଜନ୍ତୁ ଶିକାର ରୋକିବାକୁ ଜରପଡ଼ା ରେଞ୍ଜରେ ଚଢ଼ାଉ ଜୀବନ୍ତ ଗୁଳି ଭର୍ତ୍ତି ବନ୍ଧୁକ ସହ ଶିକାର ସାମଗ୍ରୀ ଜବତ

IMG-20260826-WA0068
Share

 

 

ଜରପଡ଼ା, ୨୬/୮: ବନ୍ୟଜନ୍ତୁ ଶିକାର ଓ ବନ୍ୟଜନ୍ତୁ ଅପରାଧ ରୋକିବାକୁ ଜରପଡ଼ା ବନ ବିଭାଗ ପକ୍ଷରୁ ଜୋରଦାର ଅଭିଯାନ ଜାରି ରହିଛି। ଗୁପ୍ତ ସୂଚନା ଆଧାରରେ ୨୫ ଅଗଷ୍ଟ ସକାଳ ପ୍ରାୟ ୯ଟା ୩୦ରେ ଜୀବେଦୟା କାର୍ଯ୍ୟକ୍ରମ ଅଧୀନରେ ଜରପଡ଼ା ରେଞ୍ଜ ଅଫିସର ଓ ତାଙ୍କ ଟିମ୍ ସିମିଳିପଥର ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରିଥିଲେ।

 

ବାଲିପଟା-I ବିଟ୍ ଅନ୍ତର୍ଗତ ସିମିଳିପଥର RFର କମ୍ପାର୍ଟମେଣ୍ଟ ନମ୍ବର-୧ ନିକଟରେ ଚାଲିଥିବା ଏହି ଅଭିଯାନ ସମୟରେ ଗୋଟିଏ ଜୀବନ୍ତ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ, ଗୋଟିଏ ପୁରୁଣା ଦେଶୀ ବନ୍ଧୁକ ଏବଂ ପକ୍ଷୀ ଶିକାର ପାଇଁ ବ୍ୟବହୃତ ଏକ ସେଟ୍ ଫାଶ ଜବତ କରାଯାଇଛି।

ଜବତ ସମସ୍ତ ସାମଗ୍ରୀକୁ ନିୟମାନୁସାରେ ଜରପଡ଼ା ରେଞ୍ଜ ଅଫିସରେ ଜମା କରାଯାଇଛି। ଘଟଣା ସମ୍ପର୍କରେ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

ଜରପଡ଼ା ରେଞ୍ଜ ଅଞ୍ଚଳରେ ବନ୍ୟଜନ୍ତୁ ଓ ବନ ସମ୍ପଦର ସୁରକ୍ଷା ପାଇଁ ବନ କର୍ମଚାରୀଙ୍କ ଏହି ସତର୍କତା ଓ ତତ୍ପରତାକୁ ପ୍ରଶଂସା କରାଯାଇଛି। ରେଞ୍ଜ ଅଫିସର ଶ୍ରୀ ମାଧବ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଅଭିଯାନ ଜାରି ରହିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।