ଚର୍ଚ୍ଚାରେ ବିଷାକ୍ତ ଓ ନକଲି ପନିର ବେପାର, ବୁଗୁଡ଼ା ଅଞ୍ଚଳରେ ଚିନ୍ତାରେ ଖାଉଟି

ବୁଗୁଡ଼ା :ତା ୨୬/୦୮/୨୬ : ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ଓ ଅପମିଶ୍ରିତ ପନିର କାରବାର ପଦାକୁ ଆସିବା ପରେ ଏହାର ପ୍ରଭାବ ଏବେ ବୁଗୁଡା ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି। ବଜାରରେ ବିଷାକ୍ତ ତଥା ସିନ୍ଥେଟିକ୍ ପନିର ବିକ୍ରି ହେଉଥିବା ନେଇ ଖବର ପ୍ରସାରିତ ହେବା ପରେ ଏଠାକାର ସାଧାରଣ ଖାଉଟିମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଆଗକୁ ବିଭିନ୍ନ ପର୍ବପର୍ବାଣି ଥିବାରୁ ବଜାରରେ ପନିର ଏବଂ ବିଭିନ୍ନ ଦୁଗ୍ଧଜାତ ସାମଗ୍ରୀର ଚାହିଦା ବଢ଼ିଥାଏ। ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ସ୍ଵାସ୍ଥ୍ୟ ସହ ଖେଳି ମଇଦା, ୟୁରିଆ, ଡାଲଡା ଓ ବିଭିନ୍ନ ପ୍ରତିକୂଳ ରାସାୟନିକ ଦ୍ରବ୍ୟ ବ୍ୟବହାର କରି ପ୍ରସ୍ତୁତ ନକଲି ପନିର ବଜାରକୁ ଛାଡୁଥିବା ଅଭିଯୋଗ ହେଉଛି। ନିକଟରେ କଟକ ଓ ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ହୋଇଥିବା ବଡ଼ଧରଣର ଚଢ଼ଉ ଏବଂ ଶହ ଶହ କିଲୋଗ୍ରାମ ନକଲି ପନିର ଜବତ ଘଟଣା ପରେ ଏହି ଭୟ ଆହୁରି ବଢ଼ିଯାଇଛି । ବୁଗୁଡା ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ହୋଟେଲ, ଜଳଖିଆ ଦୋକାନ ଏବଂ ଖୁଚୁରା ବଜାରକୁ ମଧ୍ୟ ଏହି ସବୁ ଅଞ୍ଚଳରୁ ନକଲି ପନିର ଆସୁଥିବା ନେଇ ଗ୍ରାହକମାନେ ସନ୍ଦେହ ପ୍ରକାଶ କରୁଛନ୍ତି। ଏଭଳି ପନିର ପେଟ ରୋଗ,ଯକୃତ ଏବଂ କିଡନୀଜନିତ ସାଙ୍ଘାତିକ ସମସ୍ୟା ସୃଷ୍ଟି କରିବାର ଭୟ ରହିଛି। ସେଥିପାଇଁ ବୁଗୁଡା ସହର ସମେତ ଆଖପାଖ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ବିଭାଗ ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ମିଠା ଦୋକାନ ଓ ହୋଟେଲରେ ଜୋରଦାର ଚଢ଼ଉ କରାଯାଉ ବୋଲି ଖାଉଟିମାନେ ଦାବି କରିଛନ୍ତି | କେଉଁ କେଉଁ ସ୍ଥାନରୁ ଏହି ପନିର ଆସୁଛି, ତାହାର ସଠିକ୍ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ଜୋର ଧରିଛି।
