ବୁଗୁଡ଼ାରେ ବେଆଇନ ଜବର ଦଖଲ ଓ ପାର୍କଂରୁ ଟ୍ରାଫିକ ସମସ୍ଯା ଅଣାୟତ୍ତ , ସ୍ଥାନୀୟ ପ୍ରଶାସନିକ ପଦକ୍ଷେପ ଶୂନ
ବୁଗୁଡ଼ା : ତା ୨୫/୦୮/୨୬ : ସମ୍ପ୍ରତି ବୁଗୁଡା ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଅଣାୟତ୍ତ ହେବାରେ ଲାଗିଛି। ଏହାକୁ ନେଇ ସାଧାରଣରେ ଚାପା ଅସନ୍ତୋଷ ପ୍ରକାଶ ପାଇଛି । ଖୋଲାଖୋଲି ଭାବେ ସଡ଼କ ନିୟମକୁ ଉଲଂଘନ କରି ଯାନବାହନଗୁଡିକୁ ରାସ୍ତାରେ ପାର୍କିଂ କରିବା ନିୟମିତ ଅଭ୍ୟାସ ପାଲଟି ଯାଇଛି । ରାସ୍ତା ସଙ୍କୋଚନ କାରଣରୁ ସହରର ଟ୍ରାଫିକ ସମସ୍ୟା ଅଣାୟତ୍ତ ହୋଇପଡିଛି । ବିଶେଷକରି ସହରର ମୁଖ୍ୟ ଛକଗୁଡ଼ିକରେ ଏଭଳି ଅସ୍ବଭାବିକ ପରିସ୍ଥିତ ସୃଷ୍ଟି ହେଉଛି, କିନ୍ତୁ ସମସ୍ୟାର ସମାଧାନ ପାଇଁ ତାଳିପକା ପଦକ୍ଷେପ ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଟ୍ରାଫିକ ସମସ୍ୟା ସୁଧାରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନେକ ସ୍ଥାନରେ ସିସିଟିଭି କ୍ୟାମେରା ଖଞ୍ଜା ଯାଇଥିଲେ ମଧ୍ୟ ସେଥିରୁ ଅଧିକାଂଶ ଅଚଳାବସ୍ଥାରେ ରହିଛି । ବୁଗୁଡା ସହରରେ ଟ୍ରାଫିକ ବ୍ୟବସ୍ଥା ସ୍ଥିତି ଗମ୍ଭୀର ହୋଇଥିବା ସତ୍ତ୍ଵେ କୌଣସି ପ୍ରକାର ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନଥିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ପାଲଟିଛି । ୩୩ ନଂ ରାଜ୍ଯ ରାଜପଥ ବୁଗୁଡା ସହର ଦେଇ ଯାଇଥିବା ବେଳେ ଡିଭାଇଡର ବ୍ୟବସ୍ଥା ନଥିବାରୁ ହାଇସ୍କୁଲ ଛକ ଠାରୁ ମଦନମୋହନ ଛକ ପର୍ଯ୍ୟନ୍ତ ସଦାସର୍ବଦା ଭିଡ ଜମୁଛି । ଏହି ଛକ ଦ୍ବୟ ମଧ୍ୟରେ ଟ୍ରାଫିକ ସମସ୍ୟା ଗୁରୁତର ରହିଥିବାବେଳେ ଟ୍ରାଫିକନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ। ସହରର ମୁଖ୍ୟ ସଡ଼କର ଉଭୟ ପାର୍ଶ୍ବରେ ବହୁ ବ୍ୟାବସାୟିକ ପ୍ରତିଷ୍ଠାନ ସମେତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ କାର୍ଯ୍ୟାଳୟ ରହଛି। ରାତି ପାହିଲେ ସହରକୁ ଆସୁଥିବା ଅଧିକାଂଶ ଲୋକେ ନିଜ ନିଜର ଗାଡ଼ିମୋଟରକୁ ବେଆଇନ ଭାବେ ମନଇଛା ପାର୍କିଂ କରୁଥିବା ଦେଖିବାକୁ ମିଳୁଛି । ସ୍ଥାନୀୟ ସହର ମଧ୍ୟରେ ଏନ୍ଏସି ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ପାର୍କିଂ ସ୍ପେସର ବ୍ଯବସ୍ଥା ନଥିବାରୁ ଅନେକ ସମୟରେ ମୋଟର ସାଇକେଲ ସମେତ ଚାରି ଓ ଛଅ ଚକିଆ ଗାଡିଗୁଡିକ ମୁଖ୍ୟ ସଡକ ଉପରେ ଦୀର୍ଘ ସମୟ ଧରି ବେଆଇନ ଭାବେ ପାକିଂ କରୁଥିବା ଫଳରେ ସହର ମଧ୍ୟରେ ଯାନବାହନ ଚଳାଚଳରେ ନାହିଁ ନଥିବା ଅସୁବିଧା ଦେଖାଦେବା ସହ ସହର ମଧ୍ୟରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି | ଏହି ଟ୍ରାଫିକ ସମସ୍ୟା ସମାଧାନ ପାଇଁ ଏନ୍ଏସି ଏବଂ ପୋଲିସ ପ୍ରଶାସନ ଯଥାସାଧ୍ୟ ଉଦ୍ୟମ କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏଣେ ଟ୍ରାଫିକ ସମସ୍ୟାରେ ଅଣନିଃଶ୍ୱାସୀ ହୋଇ ଯାତାୟତ କରୁଥିବା ଜନସାଧାରଣଙ୍କ ଧନଜୀବନ କେବେ କେମିତି ମରଣ ମୁହଁରୁ ବର୍ତ୍ତିଯାଉଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଣୁ, ବୁଗୁଡ଼ା ସହରର ଟ୍ରାଫିକ ସମସ୍ଯା ଦୂରୀକରଣ ନିମନ୍ତେ ପ୍ରଶାସନିକ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
