ସାରଳା ସାହିତ୍ୟ ର ଆନ୍ତର୍ଜାତୀୟ ମୂଲ୍ୟାୟନ କରାଯାଉ ସାରଳା ସାହିତ୍ୟ ସଂସଦ ମୁମ୍ବାଇ ଶାଖାର ସାରସ୍ୱତ ଉତ୍ସବରେ ମତ ପ୍ରକାଶ ..
ତା ୨୫/୮/୨୦୨୫ ମୁମ୍ବାଇ ବିଶ୍ଵବିଦ୍ୟାଳୟର ଭାଷା ସମ୍ମିଳନୀ କକ୍ଷରେ, ସାରଳା ସାହିତ୍ୟ ସଂସଦ ମୁମ୍ୱାଇ ଶାଖା ଆନୁକୁଲ୍ୟରେ ଏକ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସଂସଦର ପ୍ରତିଷ୍ଠାତା ସଭାପତି ଇଂ ଡଃ ପ୍ରଭାକର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀ ଓ ବ୍ୟାସ ସମ୍ମାନ ପ୍ରାପ୍ତ ହେଲେ ପ୍ରଖ୍ୟାତ ହିନ୍ଦି ସାହିତ୍ୟିକ ଡଃ ସୂର୍ଯ୍ୟ ବାଳl ଉଦଘାଟକ୍ ଭାବେ ଯୋଗଦେଇ, ଓଡିଆ ଭାଷା ସାହିତ୍ୟର ପ୍ରାଣ ପ୍ରତିଷ୍ଠାତା ଆଦିକବି ଶୂଦ୍ରମୁନି ସାରଳା ଦାସ ଙ୍କ ରଚିତ ମହାଭାରତ, ଆଞ୍ଚଳିକ ଭାଷାର ପ୍ରଥମ ପୂର୍ଣ୍ଣାଙ୍ଗ ମହାଭାରତ ଓ ଏହି ମହାକାବ୍ୟ ର ଆନ୍ତର୍ଜାତୀୟ ମୂଲ୍ୟାୟନ ହେବାର ଆବଶ୍ୟକତା ଅଛି ବୋଲି ମତ ବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ମରାଠୀ ସାହିତ୍ୟିକ ଓ ପ୍ରଶାସକ ଉମେଶ କାଶୀକର ଓଡ଼ିଶା ଓ ମହାରାଷ୍ଟ୍ର ର ସାହିତ୍ୟିକ ଓ ସାଂସ୍କୃତିକ ସମ୍ପର୍କ ଉପରେ ଆଲୋଚନା କରିଥିବା ବେଳେ ବମ୍ବେ ଓଡ଼ିଆ ସମାଜ ର ଅଧ୍ୟକ୍ଷ ଡଃ ବିପିନ ବିହାରୀ ମିଶ୍ର , ଏହି ସାରସ୍ୱତ ଆଲୋଚନା ଚକ୍ର ଜାତୀୟ ସଂହତି ଓ ମୈତ୍ରୀ ଭାବ ପ୍ରତିଷ୍ଠା ରେ ସହାୟକ ହେବ ବୋଲି କହିଥିଲେ। ସଭାପତି ଇଂ ପ୍ରଭାକର ସ୍ୱାଇଁ, ସାରଳା ସାହିତ୍ୟ ସଂସଦ ର ଯୁଗାନ୍ତକାରୀ ପଦକ୍ଷେପ ଓ ଆଭିମୁଖ୍ୟ ବିସୟରେ ଆଲୋକପାତ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ମରାଠୀ ଓ ଓଡ଼ିଆ ସାହିତ୍ୟ ମଧ୍ୟରେ ବନ୍ଧୁତାର ସେତୁ ପ୍ରତିଷ୍ଠା କରିବ ବୋଲି କହିଥିଲେ। ପାଲି ବିଭାଗର ମୂଖ୍ୟ ପ୍ରଫେସର ଡଃ ଯୋଜନା ଭଗତ୍ , କଳିଙ୍ଗର ବୌଦ୍ଧ ଧର୍ମ ର ପରମ୍ପରା ଏବଂ ଓଡିଆ କବିତା ଉପରେ ଏହାର ପ୍ରଭାବ ଉପରେ ଆଲୋଚନା କରିଥିବା ବେଳେ ସଂସଦର ମୁମ୍ବାଇ ଶାଖାର ଆବାହକ ପ୍ରଫେସର ଡଃ ରାଜେଶ କର ସ୍ଵାଗତ ଭାଷଣ ଦେବା ସହିତ କଳିଙ୍ଗର ମହାନ ଐତିହ୍ୟ, ସଂସ୍କୃତି ଓ ମହାର୍ଘ୍ୟ ପରମ୍ପରା ର ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ଇଂ ଡଃ ପ୍ରଭାକର ସ୍ୱାଇଁ ଙ୍କ ରଚିତ ଓଡିଆ ଗଳ୍ପ ସଙ୍କଳନ, ପ୍ରଫେସର ସତ୍ୟନାରାୟଣ ପଣ୍ଡା ଙ୍କ ହିନ୍ଦି ଅନୁଦିତ ଗଳ୍ପ ସଙ୍କଳନ ” ଆଠରୀ ମୁସ୍କାନ ,” କୁ ମୂଖ୍ୟଅତିଥି ଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଆଶୁତୋଷ କଦମ୍ ଓ ମିତା ଖରାସ ପ୍ରମୁଖ ବିଶେଷଜ୍ଞ ମାନେ ସାରଳା ସାହିତ୍ୟ କୁ ବିଶ୍ୱସ୍ତରରେ ପହଞ୍ଚାଇବା କ୍ଷେତ୍ରରେ ସାରଳା ସାହିତ୍ୟ ସଂସଦ ର ଭୂମିକା ଓ ଅବଦାନ ଅବିସ୍ମରଣୀୟ ଓ ପ୍ରଶଂସନୀୟ ବୋଲି ମତ ବ୍ୟକ୍ତ କରିଥିଲେ।
