April 26, 2026

ଜାତୀୟ ଆର୍ଚେରୀ ପ୍ରତିଯୋଗିତା ପାଇଁ ଧନୁର୍ଦ୍ଧର ଅର୍ଣ୍ଣବ ଦେହୁରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସହାୟତା

IMG-20260325-WA0007
Share

 

ସମ୍ବଲପୁର: ୨୫/୦୩:

ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଠାରେ ଆସନ୍ତା ୨୭ ଓ ୨୮ ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଆର୍ଚେରୀ (ଧନୁର୍ବିଦ୍ୟା) ଚାମ୍ପିଅନସିପ୍ ପାଇଁ ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକର ବାଳକ ଅର୍ଣ୍ଣବ ଦେହୁରୀ (୧୧ ବର୍ଷ) ମନୋନୀତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲାପାଳଙ୍କ ମାର୍ଗଦର୍ଶନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅର୍ଣ୍ଣବଙ୍କୁ ଏହି ପ୍ରତିଯୋଗିତା ପାଇଁ ଏକ ସ୍ୱତନ୍ତ୍ର ଭାବେ ନିର୍ମିତ ଧନୁ ଓ ତୀର ପ୍ରଦାନ କରାଯାଇଛି।

 

ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଶୋକ କୁମାର ଭୋଇ, ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅତ୍ୟାଧୁନିକ କ୍ରୀଡ଼ା ସରଞ୍ଜାମ ଅର୍ଣ୍ଣବଙ୍କୁ ହସ୍ତାନ୍ତର କରିଛନ୍ତି।ଏହି ସମୟରେ ଅର୍ଣ୍ଣବ ଙ୍କ ପିତା କିଶୋର ଦେହୁରୀ ଉପସ୍ଥିତ ଥିଲେ।ସୂଚନାଯୋଗ୍ୟ ଯେ, ଅର୍ଣ୍ଣବଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ଉପକରଣଟି ‘ବିରାଜ ଷ୍ଟିଲ୍’ ସୌଜନ୍ୟରୁ ପ୍ରସ୍ତୁତ କରାଯାଇଛି।

 

ଅର୍ଣ୍ଣବ ଜଣେ ଉଦୀୟମାନ ଧନୁର୍ଦ୍ଧର ଭାବେ ନିଜର ପ୍ରତିଭା ପ୍ରଦର୍ଶନ କରି ଆସୁଛନ୍ତି। ୨୦୨୨ ରେ ୨୩ତମ ରାଜ୍ୟ ଆର୍ଚେରୀ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ, ୨୦୨୩ ରେ ରାଜ୍ୟସ୍ତରୀୟ ୯ ବର୍ଷରୁ କମ୍ (ୟୁ -୯) ବିଭାଗରେ ପ୍ରଥମ ସ୍ଥାନ, ୨୦୨୪ ରେ ୧୦ ବର୍ଷରୁ କମ୍ (ୟୁ-୧୦) ବିଭାଗରେ ପ୍ରଥମ ସ୍ଥାନ, ପାଇଥିଲେ କେବଳ ସେତିକି ନୁହେଁ ପୂର୍ବରୁ ଜାତୀୟ ସ୍ତରରେ ବ୍ରୋଞ୍ଜ ପଦକ ହାସଲ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

 

ଜିଲ୍ଲା ପ୍ରଶାସନ ପକ୍ଷରୁ ଅର୍ଣ୍ଣବଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯିବା ସହ ଗୁଣ୍ଟୁରଠାରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ସେ ସଫଳତା ପାଇବେ ବୋଲି ଆଶା ପ୍ରକଟ କରାଯାଇଛି।