May 11, 2026

ବସ୍ ଷ୍ଟାଣ୍ଡ ଅବସ୍ଥା ଶୋଚନୀୟ, ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ …

IMG-20250125-WA0081
Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ)ଭବାନୀପାଟଣା ସହରର ମଧ୍ୟସ୍ଥଳରେ ଅବସ୍ଥିତ ନବନିର୍ମିତ ବସଷ୍ଟାଣ୍ଡର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। ବିଗତ ସରକାରଙ୍କ ଅମଳରେ ଓଡିଶା ଭଳି ପଛୁଆ ରାଜ୍ୟରେ ପ୍ରାୟ ସମସ୍ତ ଜିଲ୍ଲାରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ଗୁଡିକ ନିର୍ମିତ ହୋଇଥିଲା ଏବଂ କିଛି ନିର୍ମାଣ ଅବସ୍ଥାରେ ଅଛି। ଏଥି ମଧ୍ୟରୁ ଭବାନୀପାଟଣା ବସଷ୍ଟାଣ୍ଡ ଗୋଟିଏ।ଏହି ବସଷ୍ଟାଣ୍ଡଟି ତିଆରି ହେବା ପାଇଁ ଦୁଇ ବର୍ଷ ସମୟ ଲାଗିଥିଲା।ପୂର୍ବତନ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିଥିଲେ। କିନ୍ତୁ ବସ୍ ଷ୍ଟାଣ୍ଡ ନିର୍ମାଣର ବର୍ଷେ ନ ପୂରୁଣୁ ଅବସ୍ଥା ଖରାପ ହେବାରେ ଲାଗିଲାଣି। ଏଠାରେ ବିଭିନ୍ନ ଜାଗାରେ ଟାଇଲ ଗୁଡିକ ଭାଙ୍ଗିଯାଇଛି। ଯାତ୍ରୀ ମାନଙ୍କ ବିଶ୍ରାମ ନିମନ୍ତେ ଅବସ୍ଥାପିତ ଷ୍ଟିଲ ଚୌକି ଗୁଡିକ ମଧ୍ୟରୁ ପ୍ରାୟ ଅଧା ସଂଖ୍ୟକ ଚୌକି ଭାଙ୍ଗି ଗଲାଣି ଏବଂ ସେଥି ମଧ୍ୟରୁ କିଛି ଚୌକି ଅନ୍ତର୍ଦ୍ଧାନ ମଧ୍ୟ ହୋଇଯାଇଛି।ଏଥି ଯୋଗୁଁ ଯାତ୍ରୀମାନେ ବହୁତ ହଇରାଣର ସମ୍ମୁଖୀନ ହେଉଛନ୍ତି।ଏହାଛଡା ସବୁଠାରୁ ବଡ କଥା ହେଲା ବସ୍ ଷ୍ଟାଣ୍ଡରେ ପାୱାର କଟ୍ ହେଲେ ଏହାର କୌଣସି ବିକଳ୍ପ ବ୍ୟବସ୍ଥା ଏପର୍ଯ୍ୟନ୍ତ କରାଯାଇନାହିଁ। ଯେଉଁଥି ପାଇଁ ଯାତ୍ରୀ ମାନଙ୍କୁ ବସ୍ ଟିକେଟ କାଟିବାରେ ନାହିଁ ନଥିବା ଅସୁବିଧା ହେଉଛି। କିନ୍ତୁ ଏଥି ପ୍ରତି ସମ୍ପୃକ୍ତ ଅଧିକାରୀଙ୍କ କୌଣସି ନଜର ନଥିଲା ଭଳି ଜଣାପଡୁଛି।ଏନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଲାଣି। ସାଧାରଣରେ ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ ବିଗତ ସରକାର ବସଷ୍ଟାଣ୍ଡ ନିର୍ମାଣ କରିଥିଲେ ମଧ୍ୟ ବର୍ତ୍ତମାନର ସରକାର ଏହାର ରାକ୍ଷଣାବେକ୍ଷଣ କରନ୍ତୁ। ଦୈନିକ ହଜାର ହଜାର ଯାତ୍ରୀ ନିର୍ଭର କରୁଥିବା ଏହି ବସଷ୍ଟାଣ୍ଡର ସମସ୍ୟା ଗୁଡିକ ଅତି ଶୀଘ୍ର ସମାଧାନ ହେଲେ ଯାତ୍ରୀ ମାନେ ବହୁତ ଉପକୃତ ହେବେ ବୋଲି ସ୍ଥାନୀୟ ବୁଦ୍ଧିଯିବି ମାନେ ଅନୁରୋଧ ଜଣାଇଛନ୍ତି।