ଉମରକୋଟରେ ‘ବିକଶିତ ଓଡ଼ିଶା ୨.୦’ ମେଗା ପ୍ରଦର୍ଶନୀ ଅନୁଷ୍ଠିତ ହେବ…..
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ‘ବିକଶିତ ଓଡ଼ିଶା ୨.୦’ ମେଗା ପ୍ରଦର୍ଶନୀ। ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ ତିନିଦିନ ଧରି ଚାଲିବ ଏହି ପ୍ରଦର୍ଶନୀ। ଏଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା, ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ, ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ। ଏହି ପ୍ରଦର୍ଶନୀରେ ମହିଳା, ଯୁବକଯୁବତୀ, ଚାଷୀ, ଛାତ୍ରଛାତ୍ରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିଶେଷ ଗୁରୁତ୍ୱ ଦିଆଯିବ। ଆସନ୍ତା ଅକ୍ଟୋବର ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ ତିନିଦିନିଆ ‘ବିକଶିତ ଓଡ଼ିଶା ୨.୦’ ମେଗା ପ୍ରଦର୍ଶନୀ। ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ ଇନ୍ସପାୟାର ଫାଉଣ୍ଡେସନ୍ର ସହଯୋଗରେ ଏହି ଆୟୋଜନ କରାଯାଉଛି। ୨୬ ତାରିଖ ସକାଳ ୧୧ଟାରେ ପ୍ରଦର୍ଶନୀର ଉଦ୍ଘାଟନ ହେବ। ଏଥିରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ଏବଂ ଝରିଗାଁ ବିଧାୟକ ନରସିଂହ ଭତ୍ରା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରଦର୍ଶନୀରେ ବିଭିନ୍ନ ସରକାରୀ ବିଭାଗ ଓ ଅନୁଷ୍ଠାନ ଯୋଗଦେଇ ସେମାନଙ୍କ ଯୋଜନା, ସେବା ଓ ଉପଲବ୍ଧି ସମ୍ପର୍କରେ ସୂଚନା ପ୍ରଦାନ କରିବେ। ଶିକ୍ଷା, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟସେବା, ନିଯୁକ୍ତି, କୃଷି ଓ ଉଦ୍ୟୋଗ କ୍ଷେତ୍ରରେ ରହିଥିବା ବିଭିନ୍ନ ସୁଯୋଗ ବିଷୟରେ ଲୋକମାନେ ଜାଣିପାରିବେ। ବିଶେଷକରି ମହିଳା, ଯୁବକଯୁବତୀ, ଚାଷୀ, ଆଦିବାସୀ ସମ୍ପ୍ରଦାୟ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟସଦସ୍ୟାଙ୍କୁ ସରକାରୀ ଯୋଜନା ସହ ଯୋଡ଼ିବା ଏହି ପ୍ରଦର୍ଶନୀର ଅନ୍ୟତମ ଲକ୍ଷ୍ୟ। ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପ୍ରଦର୍ଶନୀ ଖୋଲା ରହିବ। ଉମରକୋଟ ସମେତ ଆଖପାଖ ଅଞ୍ଚଳର ଜନସାଧାରଣ ଏହି ପ୍ରଦର୍ଶନୀରେ ଯୋଗଦେଇ ବିଭିନ୍ନ ଯୋଜନା ଓ ଜନକଲ୍ୟାଣକାରୀ ସେବା ସମ୍ପର୍କରେ ଅବଗତ ହେବାକୁ ଆୟୋଜକଙ୍କ ପକ୍ଷରୁ ଆହ୍ୱାନ ଦିଆଯାଇଛି।
