ପଥର ତଳେ ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ।
ଚିକିଟି ଶୁଭଶ୍ରୀ ପ୍ରଧାନ
ବ୍ରହ୍ମପୁର ପୋଲିସ ଜିଲ୍ଲା ଜରଡା ଥାନା ତୁମ୍ବା ପଞ୍ଚାୟତ ଅନ୍ତର୍ଗତ ସୁନାରୀବାଡ ନିକଟସ୍ଥ ମେଙ୍କାଡ଼ାଇ ଝରଣାରେ ଗାଧୋଉଥିବା ସମୟରେ ପଥର ତଳେ ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଛାତ୍ର ଜଣକ ହେଲେ ଶଙ୍କର ଶବର (୧୨)ବୋଲି ଜରଡା ପୋଲିସ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ ଆଜି ସକାଳ ସମୟରେ ମେଙ୍କାଡାଇ ଗ୍ରାମର ତିନି ଜଣ ଛାତ୍ର ନିକଟରେ ଥିବା ଏକ ଝରଣାରେ ଗାଧୋଇବା ପାଇଁ ଯାଇଥିଲେ। ଝରଣାରେ ତିନି ଛାତ୍ର ଗାଧୋଇବା ବେଳେ ହଠାତ ଉପର ପଟରେ ଥିବା ପାହାଡ଼ର ବଡ଼ ପଥର ଖସି ଆସିବା ଫଳରେ ଶଙ୍କର ଶବର ଦୁଇଟି ପଥର ସନ୍ଧିରେ ଛନ୍ଦି ହୋଇ ପଡ଼ିଥିଲା। ତାଙ୍କ ସହିତ ଥିବା ଅନ୍ୟ ଦୁଇଜଣ ଛାତ୍ର ମଧ୍ୟରୁ ଜଣେ ଗ୍ରାମବାସୀ ମାନଙ୍କୁ ଡ଼ାକି ଆଣିଥିଲେ। ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଶଙ୍କର ଶବରକୁ ପଥର ସନ୍ଧିରୁ ଉଦ୍ଧାର କରି ଦୋଳା ସାହାଯ୍ୟରେ ବୋହି ଆଣିବା ସମୟରେ ଅଧ ରାସ୍ତାରେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଖବର ପାଇ ଜରଡା ପୋଲିସ ପକ୍ଷରୁ ଏଏସଆଇ କୃଷ୍ଣ ଚନ୍ଦ୍ର ଭୁୟାଁ ଘଟଣାସ୍ଥଳରେ ପହଞ୍ଚି ୧୦/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିବା ବେଳେ ତଦନ୍ତ ଜାରି ରହିଥିବା ନେଇ ଜରଡା ଥାନା ଅଧିକାରୀ ଟୁନା ସାସମଲ ସୂଚନା ଦେଇଛନ୍ତି।
