September 13, 2026

ଗଜପତି:- କାଶୀନଗର ଠାରେ ମାନ୍ୟବର ହାଇକୋର୍ଟ ମୁଖ୍ୟ ବିଚାରପତି’ଙ୍କ ଦ୍ଵାରା ସିଭିଲ କୋର୍ଟ କମ୍ପ୍ଲେକ୍ସ’ର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ…

90i09i09
Share

ଗଜପତି ଜିଲ୍ଲା କାଶୀନଗର’ର ଗ୍ରାମ ନ୍ୟାୟାଧିକାରୀ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀଙ୍କ ଅଦାଲତ ତଥା ନୂତନ ସିଭିଲ କୋର୍ଟ କମ୍ପ୍ଲେକ୍ସ’ର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ କାଶୀନଗର ଉପକଣ୍ଠସ୍ଥ ଲକ୍ଷ୍ମୀପୁର ଠାରେ ଓଡିଶା ହାଇକୋର୍ଟ’ର ମାନ୍ୟବର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ତଥା ହାଇକୋର୍ଟର ବିଲଡିଙ୍ଗ କମିଟି ଅଧ୍ୟକ୍ଷ ଜଷ୍ଟିସ ଡଃ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ’ଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି। ।
ମାନ୍ୟବର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଡ଼ଃ ଷଡ଼ଙ୍ଗୀ’ଙ୍କ ସହ ହାଇକୋର୍ଟ’ର ଅନ୍ୟତମ ବିଚାରପତି ତଥା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ଜଜ-ସିପ କୋର୍ଟ’ର ଏଡମିନ ଜଜ୍ ଶ୍ରୀ ଶିବ ଶଙ୍କର ମିଶ୍ର ଏବଂ ହାଇକୋର୍ଟ’ର ରେଜିଷ୍ଟ୍ରାର ଏଡମିନ ଶ୍ରୀ ଅଖିଳ କୁମାର ପଶ୍ଚିମ କବାଟ ପ୍ରମୁଖ ଏହି ଗ୍ରସ୍ତରେ ଆସିଥିଲେ ।
ଏମାନେ ଲକ୍ଷ୍ମୀପୁର ସ୍ଥିତ କାର୍ଯ୍ୟକ୍ରମ ସ୍ଥଳ ଠାରେ ପହଞ୍ଚିବା ପରେ ସେଠାରେ ଜିଲ୍ଲା କୋର୍ଟ’ର ସମସ୍ତ ବିଚାରପତି ଗଣ , ବାରସଂଘ , ବିଭିନ୍ନ ବିଭାଗୀୟ ପଦାଧିକାରୀ ଓ ଜନ ପ୍ରତିନିଧି ମାନଙ୍କ ଦ୍ଵାରା ଭବ୍ୟ ସ୍ଵାଗତ କରା ଯାଇଥିଲା ।
କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଡଃ ଷଡଙ୍ଗୀ , ପ୍ରଥମେ ଭିତ୍ତିପ୍ରସ୍ତର ସ୍ଥାପନ’ର ଫଳକ ଉନ୍ମୋଚନ କରିବା ପରେ ଫାଉଣ୍ଡେସନ ପାଇଁ ଖୋଳା ଯାଇଥିବା ଗର୍ତ୍ତରେ ଇଟା ଓ ସିମେଣ୍ଟ କଂକ୍ରିଟ ପଲସ୍ତରା କରି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ତାଙ୍କ ସହିତ ହାଇକୋର୍ଟ’ର ଅନ୍ୟତମ ବିଚାରପତି ଶ୍ରୀ ଶିବ ଶଙ୍କର ମିଶ୍ର ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ’ରେ ସାମିଲ ଥିଲେ ।
ପରେ ସେମାନେ ନିର୍ମାଣ ହେବାକୁ ଥିବା ନିଉ ସିଭିଲ କୋର୍ଟ କମ୍ପ୍ଲେକ୍ସ ପରିସର ବୁଲି ଦେଖି ଜିଲ୍ଲା ଦୌରାଜଜ ଶ୍ରୀ ପ୍ରଣବ କୁମାର ରାଉତ’ଙ୍କ ସହ ଆଲୋଚନା କରିଥିଲେ ।
ସେଠାରେ ମାନ୍ୟବର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଡଃ ଷଡଙ୍ଗୀ ଏବଂ ଅନ୍ୟତମ ବିଚାରପତି ଶ୍ରୀ ମିଶ୍ରଙ୍କୁ ବିଭିନ୍ନ ପକ୍ଷରୁ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା ।
ଏଠାରେ ସୂଚନା ଯୋଗ୍ୟ ଯେ , କାଶୀନଗର’ର ଏହି ନୂତନ ସିଭିଲ କୋର୍ଟ କମ୍ପ୍ଲେକ୍ସ ଲକ୍ଷ୍ମୀପୁର ଠାରେ ୩-୭୭୫ ଏକର ପରିମିତ ଜମିରେ ମୋଟ ୫ କୋଟି ୬୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯିବ ।
ଅନ୍ୟପକ୍ଷରେ ଏହି ଠାରେ ନିଉ ସିଭିଲ କୋର୍ଟ କୋଠା ଓଡଗାଁ ମଡେଲ ପ୍ଲାନ ଢାଞ୍ଚାରେ ନିର୍ମାଣ କରାଯିବ । ଏଥି ସମେତ ଏଠାରେ ଟ୍ରାଞ୍ଜିଟ ହାଉସ , ମାଜିଷ୍ଟ୍ରେଟ ଓ କର୍ମଚାରୀ କ୍ୱାର୍ଟର ଏବଂ ବାର ଅଫିସ ପ୍ରଭୃତି ନିର୍ମାଣ କରାଯିବା ନିଶ୍ଚିତ ହୋଇଥିବା ଜଣାଯାଇଛି ।।
ଏହି କାର୍ଯ୍ୟକ୍ରମ’ରେ ଅନ୍ୟମାନଙ୍କ ମଧ୍ୟରେ ଗଜପତି ଜିଲ୍ଲା କୋର୍ଟ’ର ଜିଲ୍ଲା ଦୌରାଜଜ ଶ୍ରୀ ପ୍ରଣବ କୁମାର ରାଉତରାୟ , ଫେମିଲି କୋର୍ଟ ଜଜ ଶ୍ରୀ ସୁବ୍ରତ ମହାନ୍ତି , ଏଡିଜେ: ଶ୍ରୀ ପ୍ରଦୀପ କୁମାର ସାମଲ , ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀ ରବି ନାରାୟଣ ବେହେରା , ଚିଫ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ଶ୍ରୀ ନରୋତ୍ତମ ସେଠୀ , ସବଜଜ ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ , ସବ-ଡିଭିଜନାଲ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ଶ୍ରୀମତୀ ବିଷ୍ଣୁପ୍ରିୟା ସାମନ୍ତରାୟ , କାଶୀନଗର ଗ୍ରାମ ନ୍ୟାୟଳୟର ଫାଷ୍ଟ-କ୍ଲାସ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ସୁଶ୍ରୀ ଅଙ୍କିତା ଗୁରୁ , ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି: ତିରୁପତି ରାଓ , ବାର ସଂଘ ସଭାପତି ଶ୍ରୀ ସିଦ୍ଧେଶ୍ୱର ମିଶ୍ର , କାଶୀନଗର ବିଡ଼ିଓ ଶ୍ରୀ ଅନୁପ କୁମାର ପଣ୍ଡା , ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟମ୍ମା , ଏନଏସି: ଅଧ୍ୟକ୍ଷା ଶ୍ରୀମତୀ ଏମ: ସୁଧାରାଣୀ ପ୍ରମୁଖ’ଙ୍କ ସମେତ ବିଭିନ୍ନ ବିଭାଗୀୟ ବହୁ ପଦାଧିକାରୀ ଏବଂ ଗ୍ରାମବାସୀ ଯୋଗ ଦେଇଥିଲେ ।

(ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)

You may have missed