ନୁଆଁଖାଇ ପୂର୍ବରୁ ମିଳିଲା ଦରମା ସଫେଇ କର୍ମଚାରୀଙ୍କ ମୁହଁରେ ଫୁଟିଲା ହସ , ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଇଲେ ଧନ୍ୟବାଦ
ସମ୍ବଲପୁର, ୧୩. ୦୯(ବ୍ୟୁରୋ): ନୁଆଁଖାଇ ପୂର୍ବରୁ ଦରମା ମିଳିବାରୁ ସମ୍ବଲପୁର ମହାନଗର ନିଗମରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ l ଦରମା ପ୍ରଦାନ ନେଇ ସମସ୍ୟାରେ ହସ୍ତକ୍ଷେପ କରି ସହଯୋଗ କରିଥିବାରୁ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛି ସମ୍ବଲପୁର ସଫେଇ କର୍ମଚାରୀ ସଂଘ l ଏନେଇ ଆଜି ମୋଦିପଡ଼ାଠାରେ ସଂଘ ପକ୍ଷରୁ ଏକ ବୈଠକ ଆୟୋଜିତ ହୋଇଥିଲା l ସଂଘର ସଭାପତି ଅଜୁ ତାଣ୍ଡିଆ ଏବଂ ସମ୍ପାଦକ ଦୁସ୍ମନ୍ତ ବେହେରା ନେତୃତ୍ୱରେ ଆୟୋଜିତ ବୈଠକରେ ବହୁ ସଂଖ୍ୟକ ସଫେଇ କର୍ମଚାରୀ ଯୋଗଦେଇ ସାଂସଦଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ l
ବିଜେପି ରାଜ୍ୟ ପ୍ରବକ୍ତା ତଥା କ୍ଷେତ୍ରିୟ ଗଣମାଧ୍ୟାମ ସଂଯୋଜକ ମାନସ ରଞ୍ଜନ ବକ୍ସି ଙ୍କ ପ୍ରଦତ୍ତ ସୂଚନା ଅନୁସାରେ, ସମ୍ବଲପୁର ଏସ୍ଏମ୍ସିରେ ୮୨୦ ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ସଫେଇ କର୍ମଚାରୀ କାର୍ଯ୍ୟରତ ଅଛନ୍ତି l ଏସ୍ଏମ୍ସିର ସଫେଇ କାର୍ଯ୍ୟ ‘ପ୍ରତ୍ୟୁଷ’ ନାମକ ଏକ ଠିକା ସଂସ୍ଥା ନେଇଥିବା ବେଳେ ଏହା ଅଧୀନରେ କର୍ମଚାରୀମାନେ କାର୍ଯ୍ୟ କରୁଛନ୍ତି l ନୁଆଁଖାଇ ପର୍ବ ନିକଟତର ହେଉଥିବା ବେଳେ ଦରମା ମିଳିନଥିବାରୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା l ଏନେଇ ସଂଘର ପ୍ରତିନିଧିମାନେ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ସମସ୍ୟା ଜଣାଇଥିଲେ l ସଫେଇ କର୍ମଚାରୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ସାଂସଦ ଦରମା ପ୍ରଦାନ ବ୍ୟବସ୍ଥା ନେଇ ଜିଲ୍ଲା ବିଜେପି ସଭାପତି ରାମଚନ୍ଦ୍ର ମେହେର, ସତୀଶ ବିଶି ଓ ଭୋଳା ଶଙ୍କର ମହତ୍ତମଙ୍କୁ ଦାୟିତ୍ୱ ଦେଇଥିଲେ l ପରେ ସେମାନେ ଏସ୍ଏମ୍ସି କମିଶନର ଓ ଠିକା ସଂସ୍ଥାର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ l ତାହାସହ ନିଜେ ସାଂସଦ ମଧ୍ୟ ଠିକା ସଂସ୍ଥା କୁ ଶୀଘ୍ର କର୍ମଚାରୀ ଙ୍କୁ ଦରମା ପ୍ରଦାନ କରାଯାଉ ବୋଲି କହିଥିଲେ l ଏହାପରେ କର୍ମଚାରୀମାନଙ୍କୁ ବକେୟା ଦରମା ପ୍ରଦାନ କରାଯାଇଥିଲା l ନୁଆଁଖାଇ ଭଳି ଗଣପର୍ବ ପୂର୍ବରୁ ଦରମା ମିଳିଥିବାରୁ ସଫେଇ କର୍ମଚାରୀମାନେ ଖୁସି ପ୍ରକାଶ କରିବା ସହ ସାଂସଦଙ୍କୁ ଧନ୍ୟବାଦ ଜଣାଇଥିଲେ l ବୈଠକରେ ସଂଘର , ପ୍ରଦୀପ ତାଣ୍ଡିଆ, ବିଶ୍ୱଜିତ ଗଣ୍ଡ, ଯୁବରାଜ ବେହେରା, ବିଜୁ ତାଣ୍ଡିଆ, ରାଜକୁମାରୀ ସିଂ, ରୀନା ବନଛୋର, ଗୀତା କଂସାଙ୍କ ସମେତ ସଂଘର ବହୁ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ଥିଲେ।
