September 13, 2026

ସାଗରରେ ଶହ ଶହ ମାଛ ମଡ଼କ, ଘଟଣାସ୍ଥଳରେ ପହଞ୍ଚିଲେ ବିଧାୟକ ରୂପେଶ ପାଣିଗ୍ରାହୀ ଜଳ ବିଷାକ୍ତ ହୋଇଥିବା ଅଭିଯୋଗ; ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ ବିଧାୟକ

IMG-20260913-WA0038
Share

ପାରଳାଖେମୁଣ୍ଡି, ସେପ୍ଟେମ୍ବର ୧୩: ପାରଳାଖେମୁଣ୍ଡି ସହରର ସାଗରରେ ରବିବାର ସକାଳୁ ଶହ ଶହ ସଂଖ୍ୟାରେ ମାଛ ମରି ପାଣିରେ ଭାସୁଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚିନ୍ତାର କାରଣ ହୋଇଛି। ପ୍ରାୟ ୨ରୁ ୫ କିଲୋଗ୍ରାମ ଓଜନର ବିଭିନ୍ନ ପ୍ରଜାତିର ମାଛ ମୃତ ଅବସ୍ଥାରେ ଭାସୁଥିବା ଦେଖାଯାଇଛି।

ସକାଳୁ ସ୍ଥାନୀୟ ଲୋକେ ସାଗର ନିକଟକୁ ଯାଇ ଏଭଳି ଦୃଶ୍ୟ ଦେଖି ଚକିତ ହୋଇଥିଲେ। ସାଗରର ଜଳ ବିଷାକ୍ତ ହୋଇଥିବା କିମ୍ବା କୌଣସି ରାସାୟନିକ ପ୍ରତିକ୍ରିୟା ଯୋଗୁଁ ମାଛଗୁଡ଼ିକର ମୃତ୍ୟୁ ଘଟିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ମାଛ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଘଟଣା ସମୟରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ସେହି ରାସ୍ତା ଦେଇ ଯାଉଥିବାବେଳେ ସାଗରରେ ମାଛ ମରି ଭାସୁଥିବା ଦେଖି ସେଠାରେ ଅଟକିଥିଲେ। ସେ ସ୍ଥାନୀୟ ସରପଞ୍ଚଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ଏହି ବିଷୟରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ ବୋଲି କହିଥିବା ଜଣାପଡ଼ିଛି।

ସାଗରରୁ ଧରାଯାଉଥିବା ମାଛ ସ୍ଥାନୀୟ ଅଞ୍ଚଳରେ ଖାଦ୍ୟ ଭାବେ ବ୍ୟବହାର ହେଉଥିବାରୁ ମାଛ ମୃତ୍ୟୁ ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଅଧିକ ଚିନ୍ତା ପ୍ରକାଶ ପାଇଛି। ଯଦି ଜଳ ପ୍ରଦୂଷଣ କିମ୍ବା କୌଣସି ବିଷାକ୍ତ ପଦାର୍ଥ ଯୋଗୁଁ ମାଛଗୁଡ଼ିକ ମରିଥାନ୍ତି, ତେବେ ଏହା ମଣିଷଙ୍କ ସ୍ୱାସ୍ଥ୍ୟ ପାଇଁ କେତେଦୂର ବିପଦଜନକ, ତାହା ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ମାଛ ମୃତ୍ୟୁର କାରଣ ଜଳ ପ୍ରଦୂଷଣ, କୌଣସି ବିଷାକ୍ତ ପଦାର୍ଥ ମିଶ୍ରଣ, ରାସାୟନିକ ପ୍ରତିକ୍ରିୟା ନା ଅନ୍ୟ କୌଣସି କାରଣ—ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

ଘଟଣା ସମ୍ପର୍କରେ ଜିଲ୍ଲା ମତ୍ସ୍ୟ ବିଭାଗର ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିପାରିନାହିଁ। ଘଟଣାର ତୁରନ୍ତ ତଦନ୍ତ କରି ସାଗରର ଜଳ ପରୀକ୍ଷା କରିବା ସହ ମାଛ ମୃତ୍ୟୁର ପ୍ରକୃତ କାରଣ ଜଣାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଯଦି ଏହା ପଛରେ କୌଣସି ମନୁଷ୍ୟକୃତ କାରଣ ଥିବା ପ୍ରମାଣିତ ହୁଏ, ତେବେ ଦୋଷୀଙ୍କ ବିରୋଧରେ ଆଇନାନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି ହୋଇଛି।

You may have missed