ବିଜେପି କୋର କମିଟିର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ନିଗମ ଉପରେ ପଡିଲା ମୋହର, ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ !
ସମ୍ବଲପୁର , ୨୨/୦୨(ରାଜାରାମ ଷଡ଼ଙ୍ଗୀ ): ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିଛି କୋର୍ କମିଟି ବୈଠକ। ବୈଠକରେ ରାଜ୍ୟସଭା ପ୍ରାର୍ଥୀ, ନିଗମ ଅଧ୍ୟକ୍ଷ ଓ ଆଗାମୀ ପୌର, ଏନଏସି, ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ। ବୈଠକରେ ରାଜ୍ୟସଭା ନିର୍ବାଚନ ସହ ସଂଗଠନ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି।
ରାଜ୍ୟସଭା ପ୍ରାର୍ଥୀ ନେଇ ବିଚାର ବିମର୍ଶ ହୋଇଥିବା ବେଳେ ବିଭିନ୍ନ ନିଗମ ଉପରେ ପ୍ରାୟତଃ ମୋହର ଲାଗିଥିବା ଏହି ସୂତ୍ରରୁ ସୂଚନା ମିଳିଛି। ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପାଇଁ ମଧ୍ୟ ଏକପ୍ରକାର ସହମତି ପ୍ରକାଶ ପାଇଛି। କେଉଁ ନେତାଙ୍କୁ କେଉଁ ବିଭାଗର ଦାୟିତ୍ବ ମିଳିବ, ସେ ନେଇ ମଧ୍ୟ ଆଲୋଚନା ହୋଇଥିବାର କୁହାଯାଉଛି । ଏଥିସହ ସଂଗଠନରେ କେଉଁ ଦଳୀୟ ନେତାଙ୍କୁ କେଉଁ ଦାୟିତ୍ୱ ନ୍ୟସ୍ତ କରାଗଲେ ଦଳ ସୁସଂଗଠିତ ହୋଇ ଲୋକଙ୍କ ବିଶ୍ୱାସ ଜିଣିବ ସେ ନେଇ ତନାଘନା ଆଲୋଚନା ହେବା ପରେ ଏକପ୍ରକାର ରାଜ୍ୟସଭା, ନିଗମ ଅଧ୍ୟକ୍ଷ ଓ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ସହମତି ମିଳିଥିବା ଜଣାପଡିଛି।
ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ସଂଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଓ ସହ ପ୍ରଭାରୀ ଲତା ଉଷେଣ୍ଡି, ପୁରୀ ସାଂସଦ ସମ୍ବିତ ପାତ୍ର, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ବସନ୍ତ ପଣ୍ଡାଙ୍କ ସମେତ କୋର୍ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।
