October 22, 2026

ସୁନା ପୁଅକୁ ଝୁରୁଛି ଜନ୍ମମାଟି ବାବେବିରା…

IMG-20261022-WA0031
Share

 

ବରଗଡ଼ (ଅତାବିରା)ସଡ଼କ ଦୁର୍ଘଟଣାରେ ଦୁଇ ଯୁବ ଆଥଲେଟଙ୍କ ଅକାଳ ମୃତ୍ୟୁ ହୋଇଛି। କଟକ-ଭୁବନେଶ୍ୱର ଜାତୀୟ ରାଜପଥ ଫୁଲନଖରା ଛକ ନିକଟରେ ବୁଧବାର ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଛି।

 

ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଦ୍ୱୟ ହେଲେ ଜୟରାମ ଦଣ୍ଡପାଟ ଓ ମଳୟ ବାରିକ। ଉଭୟ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ହାଇ ପରଫରମାନ୍ସ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିଲେ।

 

ମଳୟ ବାରିକଙ୍କ ଜନ୍ମମାଟି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ବାବେବିରା ଗ୍ରାମ। ତାଙ୍କ ଅକାଳ ବିୟୋଗରେ ବାପା ଶିକ୍ଷକ ମଧୁସୂଦନ ବାରିକ ଓ ଶିକ୍ଷୟିତ୍ରୀ ମାଆ ଗିରିଜା ପ୍ରଧାନ ଭାଙ୍ଗି ପଡ଼ିଛନ୍ତି।

 

ସୂଚନା ଅନୁଯାୟୀ, ମଳୟ ଭୁବନେଶ୍ୱରରେ ଅନୁଷ୍ଠିତ ସର୍ବଭାରତୀୟ ୨୦ ବର୍ଷରୁ କମ୍ ଜାତୀୟ ୪୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଏବଂ ଚଣ୍ଡିଗଡ଼ରେ ଅନୁଷ୍ଠିତ ୪୦୦ ମିଟର ରିଲେ କାର୍ଣ୍ଣିଭାଲରେ ରୌପ୍ୟ ପଦକ ବିଜେତା ହୋଇଥିଲେ। ଆମ ଅଞ୍ଚଳର ଗର୍ବ ଓ ଗୌରବ ମଳୟଙ୍କ ଅକାଳ ବିୟୋଗରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 

କଟକ ବଡ଼ ମେଡିକାଲରେ ବ୍ୟବଚ୍ଛେଦ ପରେ ମଳୟଙ୍କ ପାର୍ଥିବ ଶରୀର ଜନ୍ମମାଟି ବାବେବିରାକୁ ଅଣାଯିବ। ସେଠାରେ ଶୋକାକୁଳ ପରିବେଶରେ ଶତାଧିକ ଗ୍ରାମବାସୀ, ପରିବାର ପରିଜନ ଶେଷ ଦର୍ଶନ କରିବା ପରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି।