ଭାଷା, ସଂସ୍କୃତି, ପରମ୍ପରାର ତ୍ରିବେଣୀ ସଙ୍ଗମ ତିହାର ଲୋକ ମହୋତ୍ସବ ଉଦ୍ଯାପିତ – ମନ୍ତ୍ରୀଙ୍କ ମୁହଁରୁ ଅତାବିରାବାସୀଙ୍କ ପାଇଁ ଖୁସି ଖବରର ସଙ୍କେତ
ବରଗଡ଼:
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଲୋକ ଉତ୍ସବ ୧୬ତମ ଅତାବିରା ତିହାର ଲୋକ ମହୋତ୍ସବ ତିନି ଦିନର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରେ ଉଦ୍ଯାପିତ ହୋଇଯାଇଛି। ଗତ ୧୮, ୧୯ ଓ ୨୦ ତାରିଖ ତିନି ଦିନ ଧରି ଅତାବିରା ତିହାର ପଡ଼ିଆ ଲୋକ କଳା, ଲୋକ ନୃତ୍ୟ ଓ ଲୋକ ସଙ୍ଗୀତର ମହକରେ ମହକି ଉଠିଥିଲା।
ଅତାବିରା ବିଧାୟକ ତଥା ମହୋତ୍ସବ ସମିତିର ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ସଭାପତିତ୍ୱ ଏବଂ ସଂଯୋଜକ ରବି ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦେଇ କହିଥିଲେ, “ତିହାର ଲୋକ ମହୋତ୍ସବ ଭାଷା, ସଂସ୍କୃତି ଓ ଲୋକ ପରମ୍ପରାର ତ୍ରିବେଣୀ ସଙ୍ଗମ। ଦୀର୍ଘ ୧୬ ବର୍ଷ ଧରି ଲୁପ୍ତପ୍ରାୟ ଲୋକକଳାକୁ ଉଜ୍ଜୀବିତ ରଖିବାର ଏହି ପ୍ରୟାସ ପ୍ରଶଂସନୀୟ।” ଏହି ଅବସରରେ ମନ୍ତ୍ରୀ ଖୁବଶୀଘ୍ର ଅତାବିରାବାସୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବୃହତ ପ୍ରକଳ୍ପର ଶିଳାନ୍ୟାସ ନେଇ ଖୁସି ଖବର ଦେବେ ବୋଲି ଘୋଷଣା କରିଥିଲେ।
ଉଦ୍ଯାପନୀ ସନ୍ଧ୍ୟାରେ ମାଟ୍ରିକରେ ୯୩.୮୩% ନମ୍ବର ରଖି ବ୍ଲକ ଟପ୍ପର ହୋଇଥିବା ଛାତ୍ରୀ କ୍ରିଷ୍ଣା ପତିଙ୍କୁ ୫୦୦୦ ଟଙ୍କା ସହ ସ୍ୱର୍ଗତ ରାମ ଲକ୍ଷ୍ମଣ ଦାଶ ସ୍ମୃତି ସମ୍ମାନ, ଲେଖକ ତ୍ରିନାଥ ସାହୁଙ୍କୁ ନାରାୟଣ ପୃଷେଠ ସ୍ମୃତି ସମ୍ମାନ ଓ ବରିଷ୍ଠ ସାମ୍ବାଦିକ ବୀରେନ୍ଦ୍ର ପ୍ରଧାନଙ୍କୁ ଶାନ୍ତନୁ ବିଶ୍ୱାଳ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ପୂର୍ଣ୍ଣମାସୀ କରଙ୍କ ଦୁଇ ପୁସ୍ତକ ‘ଆଧୁନିକ ସଂକୀର୍ତ୍ତନ’ ଓ ‘ନୀଳାଦ୍ରି ବିହାରୀ’ ଲୋକାର୍ପିତ ହୋଇଥିଲା। ମଞ୍ଚରେ କ୍ରିଷ୍ଣା ବିକାଶ ଗ୍ରୁପର ଚେୟାରମ୍ୟାନ ଡି. ମୁରଲୀ କ୍ରିଷ୍ଣା, ବିଜେପି ଜିଲ୍ଲା ସଭାପତି ଡ. ଅରୁପାନନ୍ଦ ସାହୁ, ସମ୍ପାଦକ ଅରବିନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ସାଂସ୍କୃତିକ କାର୍ଯ୍ୟକ୍ରମରେ ତୁଷୁରାର ଘୁଡୁକା ନାଚ, କଟକର ନାଗା ନୃତ୍ୟ, ମୟୂରୀ ନୃତ୍ୟ, ‘ନୁନି ନୁ ଭୁଆଁସେ’ ଓ ଲୋଇସିଂହାର ‘ମାଙ୍କଡ଼ ବିହା’ ଦର୍ଶକଙ୍କ ମନ ମୋହିଥିଲା। ଦ୍ୱିତୀୟ ସନ୍ଧ୍ୟାରେ ଅଭିନେତା ସୌମେନ ପୂଜାରୀ ଓ ଉତ୍ତମ ବେହେରାଙ୍କୁ ଶରତ ଚନ୍ଦ୍ର ପୂଜାରୀ ଓ ରାଜେନ୍ଦ୍ର ସାହୁ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ପ୍ରଥମ ଦିନ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ମହୋତ୍ସବକୁ ଉଦ୍ଘାଟନ କରିଥିଲେ।
