ସରକାରୀ ବ୍ୟବସ୍ଥାରୁ ଅଲୋଡ଼ା ଅସହାୟ ମାନସିକ ବିକୃତ ମହିଳା: ଭଙ୍ଗା କୁଡ଼ିଆରେ କଟୁଛି ଜୀବନ, ଆବାସ ଓ ଭତ୍ତା ସାତସପନ

ମହୀଧରପୁର 21/05
ସରକାର ଗରିବ, ଅସହାୟ ଏବଂ ଭିନ୍ନକ୍ଷମମାନଙ୍କ ପାଇଁ ଅନେକ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ କିଛି ଭିନ୍ନ କାହାଣୀ ବୟାନ କରୁଛି। ପ୍ରଶାସନିକ ଅବହେଳା ଓ ଦୂରଦୃଷ୍ଟି ଅଭାବରୁ ଜଣେ ଅସହାୟ ମାନସିକ ବିକୃତ ମହିଳା ସମସ୍ତ ମୌଳିକ ସରକାରୀ ସୁବିଧାରୁ ବଞ୍ଚିତ ହୋଇ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି। ମୁଣ୍ଡ ଗୁଞ୍ଜିବାକୁ ଆବାସ ଖଣ୍ଡିଏ ମିଳିନଥିବା ବେଳେ, ଅସହାୟଙ୍କ ପାଇଁ ଉଦ୍ଦିଷ୍ଟ ଭତ୍ତା ତାଙ୍କ ପାଇଁ ଆଜି ସାତସପନ ପାଲଟିଛି।
ମିଳିଥିବା ସୂଚନା ମୁତାବକ, ବନରପାଳ ବ୍ଲକ ଅନ୍ତର୍ଗତ ବଉଳିଗଡ଼ ଗ୍ରାମର ପ୍ରଭାତୀ ନାଏକ (30) ନାମକ ଜଣେ ମାନସିକ ବିକୃତ ମହିଳା ନିଜ ପାଞ୍ଚ ବର୍ଷ ର ଝିଅ କୁ ଧରି ଏକ ଭଙ୍ଗା ଦଦରା କୁଡ଼ିଆରେ ଅତି କଷ୍ଟରେ ଦିନ କାଟୁଛନ୍ତି। ଖରା, ବର୍ଷା ଓ ଶୀତ କାକରରେ ସେହି ଭଙ୍ଗା ଚାଳଘର ହିଁ ତାଙ୍କର ଏକମାତ୍ର ସାହାରା ପାଲଟିଛି । ସବୁଠାରୁ ଦୁଃଖର ବିଷୟ ହେଉଛି, ଏ ବର୍ଷ ଭଙ୍ଗା କୁଡ଼ିଆ ଖଣ୍ଡିକ ଛାଣି ଛପର କରି ପାରି ନାଁହାନ୍ତି ଯାହାଫଳରେ ବର୍ଷା ପବନରେ ଭାଙ୍ଗି ଯିବାର ଭୟ ମଧ୍ୟ ତାଙ୍କୁ ଘାରିଛି ଏଭଳି ପରିସ୍ଥିତି ରେ କେମିତି ପାଞ୍ଚ ବର୍ଷ ର କଅଁଳ ନିଷ୍ପାପ ଝିଅ କୁ ଆଶ୍ରୟ ଦେବେ ସେଇ ଚିନ୍ତାରେ ପ୍ରଭାତୀ। ଆହୁରି ମଧ୍ୟ ପୂର୍ବରୁ ତାଙ୍କୁ ‘ଅନ୍ତୋଦୟ ଅନ୍ନ ଯୋଜନା’ ମାଧ୍ୟମରେ ମାସକୁ ୩୫ କିଲୋଗ୍ରାମ ଚାଉଳ ମିଳୁଥିଲା, ଯାହା ଦ୍ଵାରା ମାଆ-ଝିଅ ଦୁଇ ପ୍ରାଣୀ ଦୁଇ ଓଳି ଦୁଇ ମୁଠା ଖାଇବାକୁ ପାଉଥିଲେ। ମାତ୍ର କେଉଁ କାରଣରୁ ସରକାରୀ ବ୍ୟବସ୍ଥାରେ ତାଙ୍କର ସେହି କାର୍ଡକୁ କାଟି ଦିଆଯାଇ ମାତ୍ର ୫ କିଲୋଗ୍ରାମ ରାସନ ଚାଉଳ ଯୋଗାଇ ଦିଆଗଲା ତାହା ଏବେ ତଦନ୍ତ ସାପେକ୍ଷ । ମାସକ ଯାକ ପାଇଁ ମାତ୍ର ୫ କିଲୋ ଚାଉଳରେ ଏହି ୫ ବର୍ଷର ଶିଶୁ କନ୍ୟା ଓ ମାନସିକ ଅନଗ୍ରସର ମାଆ କେମିତି ଚଳିବେ, ତାହା ଏବେ ସ୍ଥାନୀୟ ଅଞ୍ଚଳରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ମହିଳା ଜଣଙ୍କ ମାନସିକ ସ୍ଥିତି ଠିକ୍ ନଥାଇ ମଧ୍ୟ ସେ ନିଜ ହକ ପାଇଁ ସରକାରୀ ବାବୁ କିମ୍ବା ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ବାରମ୍ବାର ଗୁହାରି କରିଛନ୍ତି ହେଲେ କେହିବି ତାଙ୍କ ଦୁଃଖ କୁ କର୍ଣ୍ଣପାତ କରିନାଁହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ମହିଳା ଜଣଙ୍କ ଅତି ଅସହାୟ ଅବସ୍ଥାରେ ଅଛନ୍ତି ଏବଂ ତାଙ୍କର ଛୋଟ ଝିଅଟିର ଭବିଷ୍ୟତ ଅନ୍ଧାର ଆଡ଼କୁ ଗତି କରୁଛି। ଦିନେ ଖାଇଲେ ତିନି ଦିନ ଉପାସ ରହୁଛନ୍ତି।ସ୍ଥାନୀୟ ପ୍ରଶାସନ କିମ୍ବା ଜନପ୍ରତିନିଧି ଏହି ଦୁଃଖଦ ଚିତ୍ର ପ୍ରତି ଆଖି ବୁଜି ଦେଇଛନ୍ତି। ବିପନ୍ନ ପରିବାର ପ୍ରତି ସରକାରୀ ସାହାଯ୍ୟ ଯୋଗାଇଦେବା ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ।
ଏହି ସମ୍ବେଦନଶୀଳ ଘଟଣା ପ୍ରତି ଜିଲ୍ଲା ପ୍ରଶାସନ ଓ ଉଚ୍ଚପଦସ୍ଥ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ମହିଳାଙ୍କୁ ତୁରନ୍ତ ସରକାରୀ ଆବାସ ଯୋଜନାରେ ସାମିଲ କରିବା, ସ୍ଵତନ୍ତ୍ର ଭିନ୍ନକ୍ଷମ କିମ୍ବା ଅସହାୟ ଭତ୍ତା ପ୍ରଦାନ କରିବା ଏବଂ ପୂର୍ବଭଳି ୩୫ କିଲୋଗ୍ରାମ ଅନ୍ତୋଦୟ ରାସନ ସାମଗ୍ରୀ ଯୋଗାଇ ଦେବାକୁ ଗ୍ରାମବାସୀ ତଥା ବୁଦ୍ଧିଜୀବୀମାନେ ଅନୁରୋଧ କରିଛନ୍ତି। ନଚେତ୍ ଆଗାମୀ ଦିନରେ ଏହି ଅସହାୟ ପରିବାର କୌଣସି ବଡ଼ ଦୁର୍ଦ୍ଦଶାର ସମ୍ମୁଖୀନ ହେଲେ ଏଥିପାଇଁ ସ୍ଥାନୀୟ ପ୍ରଶାସନ ଦାୟୀ ରହିବ ବୋଲି ଚେତାବନୀ ଦିଆଯାଇଛି। ଏ ନେଇ ଗୋଷ୍ଠି ଉର୍ଣ୍ଣୟନ ଅଧିକାରୀ ଲୋଚନ ଦାସ ଙ୍କୁ ପଚାରିବାରୁ ସେ କହିଛନ୍ତି ମହିଳା ଜଣକୁ ଆବାସ ଯୋଜନା ରେ ସାମିଲ କରାଯାଇ ଘର ଯୋଗାଇ ଦିଆଯିବାର ତୁରନ୍ତ ବ୍ୟବସ୍ଥା କରାଯିବ ଏବଂ ଯଦି ମାନସିକ ବିକୃତ ଥିବେ ତାଙ୍କୁ ଭତ୍ତା ମଧ୍ୟ ଯୋଗାଇଦିଆଯିବ
