ପାଣିପାଇଁ ହନ୍ତସନ୍ତ ତ୍ରିଲୋଚନପୁର ପଞ୍ଚାୟତବାସୀ
ଲାଞ୍ଜିଗଡ଼,୨୧/୪(ପୁରନ୍ଦର ଦଣ୍ଡସେନା): ତ୍ରିଲୋଚନପୁର ପଞ୍ଚାୟତରେ ବିଭିନ୍ନ ଗାଁରେ ୨ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ବସୁଧା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମରେ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି। ଗୋଟିଏ ପ୍ରକଳ୍ପ ନିମନ୍ତେ ୫୦ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଇଛି ହେଲେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ଆଗ୍ରହ ଅଭାବରୁ ଅନେକ ସ୍ଥାନରେ କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହେଉଛି ତ୍ରିଲୋଚନପୁର ଗାଁର ପ୍ରକଳ୍ପଟି ୨୦୨୧ରେ ନିର୍ମାଣ ପାଇଁ ଅନୁମତି ମିଳିଥିଲା। ୩ଟି ଗଭୀର ନଳକୂପ ଖୋଳା ଯାଇଥିଲା। କିନ୍ତୁ ଠିକାଦାରଙ୍କ ମନମୁଖୀ ଯୋଗୁଁ ନିର୍ମାଣ କାର୍ଯ୍ୟ ୨୦୨୨ରେ ଆରମ୍ଭହେଲା। ୮୦ ଲକ୍ଷରୁ ଉର୍ଦ୍ଧ୍ବ ଅଟକଳ ମୂଲ୍ୟ ବିନିମୟରେ ୩୦ ହଜାର ଲିଟର ଓଭରୱାଡ଼ ଟାଙ୍କି ତିଆରି ହୋଇ ୨ବର୍ଷ କାଳ ବନ୍ଦ ରହିଥିଲା। ଲୋକେ ପାଣି ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ୨୦୨୪ରେ ଜଳ ଯୋଗାଣ ହୋଇଥିଲା। ତ୍ରିଲୋଚନପୁର, ବଜାରପଡ଼ା, ନୂଆପଡ଼ା, ବନ୍ଧପଡା, ଲୁହୁରାପଡ଼ା ଓ ବେଲଗୁଡ଼ା, ମାଝୀପଡ଼ା ଓ ହରିଜନପଡ଼ାରେ ପାଇପରେ ପାଣି ଦିଆଯାଉଛି । କିନ୍ତୁ ବସୁଧା ଜଳ ଯୋଗାଣ ପାଇଁ ନିଯୋଜିତ ବ୍ୟକ୍ତିଙ୍କ ମନମାନି ଯୋଗୁଁ ୬ ମାସ ହେଲା ତ୍ରିଲୋଚନପୁରର ବିଭିନ୍ନ ପଡ଼ାର ୩ ଶହ ପରିବାରଙ୍କୁ ନିୟମିତ ଜଳ ଯୋଗାଣ ହୋଇପାରୁନାହିଁ। ସେହିପରି
ପଞ୍ଚାୟତର ଗଉଡ଼ଥୁଆଗୁଡ଼ା, ଖେମୁଣ୍ଡିପଦର, ଆମ୍ବଗୁଡ଼ା, ସାପଚଞ୍ଚରା ଆଦି ଗାଁରେ ୨୦୨୪ରେ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଅଟକଳ ମୂଲ୍ୟ ବିନିମୟରେ ୩୦ ହଜାର ଲିଟର କ୍ଷମତା ବିଶିଷ୍ଟ ବସୁଧା ପ୍ରକଳ୍ପର ଓଭରୱାଡ଼ ପାଣି ଟାଙ୍କି ନିର୍ମାଣ ହୋଇଛି। ଗଭୀର କୂଅ ଖୋଳି ଜଳ ଯୋଗାଣ ପାଇଁ କାମ ଏକ ପ୍ରକାର ଶେଷ ହୋଇଛି ଠିକାଦାରଙ୍କ ମନମୁଖୀ ଓ ବ୍ଳକ ଦାୟିତ୍ବରେ ଥିବା ଯନ୍ତ୍ରୀ ପ୍ରକଳ୍ପ ନିର୍ମାଣ ସମୟରେ ଅନୁପସ୍ଥିତ ଯୋଗୁଁ କାର୍ଯ୍ୟର ତଦାରଖ ସଠିକ ଭାବେ ହେଉନାହିଁ। ନିମ୍ନମାନର କାମ ଯୋଗୁଁ ପ୍ରକଳ୍ପ ଆରମ୍ଭ ହେବା ବିଳମ୍ବ ହେଉଥିବା ଗାଁ ଲୋକେ କହୁଛନ୍ତି। କାର୍ଯ୍ୟକ୍ଷମରେ ବିଳମ୍ବ ଯୋଗୁଁ ପ୍ରକଳ୍ପ ପାଇଁ ବିଛା ଯାଇଥିବା ପାଇପ ବିଭିନ୍ନ ସ୍ଥାନରେ ଫାଟିଲାଣି। ବର୍ତ୍ତମାନ ପାଣିର ଘୋର ଅସୁବିଧା ରହିଛି। ତେଣୁ ପ୍ରଶାସନ ଯଦି ଗ୍ରାମବାସୀଙ୍କ କଥା ନଶୁଣେ ରାଜରାସ୍ତାକୁ ଓଲାଇବୁ ବୋଲି ଚେତାବନୀ ଦେଇଛନ୍ତି। ବ୍ଲକ ଜଳଯୋଗାଣ ବିଭାଗ ଯନ୍ତ୍ରୀ ଦଶମନ୍ତ ମାଝୀଙ୍କୁ ଯୋଗାଯୋଗ ସତ୍ତ୍ବେ ଫୋନ ଗ୍ରହଣ କରିନଥିବାରୁ ପ୍ରତିକ୍ରିୟା ମିଳିପାରିନାହିଁ। ତୁରନ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
*ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉଜ ଉପାନ୍ତ ଖବର*
