April 25, 2026

ପ୍ରଚଣ୍ଡ ରୌଦ୍ରତାପ ସହ ଅସହୟ ଗୁଳୁଗୁଳି : ଜନଜୀବନ ଅସ୍ତବ୍ୟସ୍ତ!

IMG-20260422-WA0048
Share

 

 

ତାଳଚେର, ୨୨/୦୪ ଓଡ଼ିଶାର ଉତପ୍ତ ସହରଭାବେ ତାଳଚେର ପରିଗଣିତ ହେଉଥିବା ବେଳେ ଆଜକୁ ଦୁଇଦିନ ହେବ ପାରଦ ଉପରମୁହାଁ ହେବାରେ ଲାଗିଛି । ଗତ ସପ୍ତାହରେ ପାଗ କୋହଲା ରହିଥିବାରୁ ଖରା ପ୍ରକୋପ ଏତେଟା ଜଣାପଡ଼ୁ ନଥିଲା । କିନ୍ତୁ ଏହାର ପ୍ରଭାବ ଧିରେଧିରେ ପ୍ରଖର ହେଉଥିବା ବେଳେ ମଧ୍ୟାହ୍ଣ ସମୟରେ ରାସ୍ତାଘାଟ, ଦୋକାନ ବଜାର ଇତ୍ୟାଦି ଜନଶୂନ୍ୟ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକେ ଓ ପଥଚାରୀ, ଯାତ୍ରୀମାନେ ମଧ୍ୟାହ୍ଣ ୧୨ଟା ପରେ ଆଉ ଦୃଶ୍ୟମାନ ହେଉନାହାନ୍ତି । ଗତକାଲି ସରକାରୀ ସୂତ୍ରରୁ ତାଳଚେର ଅଂଚଳରେ ୪୧.୫ ଡ଼ିଗ୍ରୀ ସେଲସିଅସ୍ ତାପମାତ୍ରା ରହିଥିବା ବେଳେ ବେସରକାରୀ ସୂତ୍ରରୁ ୪୫ରୁ ୪୬ଡ଼ିଗ୍ରୀରୁ କମ ହେବ ନାହିଁ ବୋଲି ଆକଳନ କରାଯାଉଛି । ତେବେ ଏହା ଆଜି ବୃଦ୍ଧି ପାଇ ୪୩.୫ ରହିଥିବା ବେଳେ ବେସରକାରୀ ସୂତ୍ରରୁ ୪୬ଡ଼ିଗ୍ରୀରୁ ଉର୍ଦ୍ଧ୍ୱ ରହିଥିବା ବୋଲି ଆକଳନ କରାଯାଉଛି । ତାଳଚେର ଅଂଚଳରେ ଖଣିଖାଦାନ ସହିତ ବହୁ ରାଷ୍ଟ୍ରାୟତ ଉଦ୍ୟୋଗ ସଂସ୍ଥା ଗଢ଼ି ଉଠିଥିବା, ବଡ଼ବଡ଼ ଅଟ୍ଟାଳିକା ସହିତ ଅଂଚଳରେ ରହିଥିବା ଜଙ୍ଗଲ ଗୁଡ଼ିକୁ ଧ୍ୱଂସ କରି ଦେୁଥିବାରୁ ଆଜି ଏଭଳି ଅବସ୍ଥା ତାଳଚେରବାସୀଙ୍କୁ ଭୋଗିବାକୁ ପଡ଼ୁଛି ବୋଲି ପରିବେଶବିତ୍ ମାନେ ମତପୋଷଣ କରୁଛନ୍ତି । ପୁନଶ୍ଚ ଆଜି ପ୍ରଖର ତାତି ଓ ଗୁଳୁଗୁଳି ଜନିତ ଅସହ୍ୟ ଗରମ ଯୋଗୁଁ ଜନଜୀବନ ସହିତ ପଶୁପକ୍ଷୀ ଇତ୍ୟାଦି ଦହଗଞ୍ଜ ହୋଇପଡ଼ିଛି । ଏପରିକି, କଂଚାପତ୍ର ମଧ୍ୟ ଝାଉଁଲି ପଡ଼ିଥିବା ନଜରକୁ ଆସିଛି । ତେଣୁ ତୁରନ୍ତ ପ୍ରଶାସନ ପକ୍ଷରୁ ନିରବଚ୍ଛନ୍ନ ଭାବେ ବିଦ୍ୟୁତ ଓ ଜଳ ଯୋଗାଣ ବ୍ୟବସ୍ଥା ତ୍ୱରାନ୍ୱିତ କରରିବା ସହ ସ୍କୁଲ କଲେଜ ଗୁଡ଼ିକୁ ବନ୍ଦ କରିବାକୁ ଅଭିଭାବକ ମହଲରେ ଦାବି ହେଉଛି ।