June 21, 2026

ବୁଗୁଡ଼ା ବ୍ଲକରେ ଅଧିକାରୀ ମରୁଡି , ଉନ୍ନୟନ କାର୍ଯ୍ୟ ଠପ୍ , ସାଧାରଣରେ ତେଜୁଛି ଅସନ୍ତୋଷ 

IMG-20241121-WA0056
Share

 

ବୁଗୁଡ଼ା : ତା ୨୧/୧୧/୨୪ : ସଂପ୍ରତି ବୁଗୁଡ଼ା ବ୍ଲକର ଅଧିକାଂଶ ସରକାରୀ କାର୍ଯ୍ୟାଳୟରେ ସ୍ଥାୟୀ ଅଧିକାରୀଙ୍କ ମରୁଡି ଦେଖା ଦେଇଛି। କାର୍ଯ୍ଯାଳୟ ଗୁଡିକରେ ସ୍ଥାୟୀ ଭାବେ କୌଣସି ମୁଖ୍ୟ ଅଧିକାରୀ ନଥିବା ଯୋଗୁଁ କୌଣସି କାମରେ ଆସିଥିବା ଲୋକଙ୍କୁ ଅଧସ୍ଥନ କର୍ମଚାରୀମାନେ ବାବୁ ନାହାନ୍ତି ବୋଲି କହି ଖାମଖିଆଲି ମନୋଭାବ ପୋଷଣ କରିଆସୁଛନ୍ତି । ଫଳରେ ସାଧାରଣରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି। ଏବେ ବୁଗୁଡାରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ମଧ୍ୟରୁ ବ୍ଲକ କାର୍ଯ୍ଯାଳୟରେ ସ୍ଥାୟୀ ବିଡିଓ ନଥିବା ବେଳେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମେଡିକାଲ ଅଫିସର , ଦମକଳ କେନ୍ଦ୍ରରେ ଅଗ୍ନିଶମ ଅଧିକାରୀ , ଅବକାରୀ ବିଭାଗରେ ଥାନା ଅଧିକାରୀ , ଏଗ୍ରିକଲଚର ଅଫିସରେ ଗୋଷ୍ଠୀ କୃଷି ଅଧିକାରୀ ଓ ସହ-କୃଷି ଅଧିକାରୀ , ହର୍ଟିକଲଚର କାର୍ଯ୍ୟାଳୟରେ ଉଦ୍ଯାନ କୃଷି ଅଧିକାରୀ . , ସଏଲ କନଜରଭେସନ ଅଫିସରେ ମୃତ୍ତିକା ସଂରକ୍ଷଣ ଅଧିକାରୀ , ପୂର୍ତ୍ତ ବିଭାଗରେ ସହକାରୀ ଯନ୍ତ୍ରୀ , ଯୋଗାଣ ବିଭାଗ ନିରୀକ୍ଷକ ଆଦି ପଦବୀ ଖାଲି ପଡିଥିବା ବେଳେ ଅନ୍ଯ ବ୍ଲକର ଅଧିକାରୀମାନେ ଅସ୍ଥାୟୀ ଭାବେ ଏ ଦାୟିତ୍ବରେ ରହିଛନ୍ତି। ଅସ୍ଥାୟୀ ଭାବେ ଦାୟିତ୍ବରେ ରହିଥିବା ଅଧିକାରୀମାନେ ରୀତିମତ କାର୍ଯାଳୟକୁ ଆସୁନଥିବାରୁ ସଂପୃକ୍ତ କାର୍ଯ୍ଯାଳୟ ଗୁଡିକରେ ବାଘ ନଥିଲେ ମିରିଗ ନାଟ କରୁଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏ ନେଇ ସାଧାରଣରେ ସମାଲୋଚନା ହେଉଛି। ବୁଗୁଡାର ଅଧିକାଂଶ କାର୍ଯାଳୟରେ ଅଧିକାରୀ ନଥିବା ବେଳେ ବିଡିଓଙ୍କ ବଦଳି ପରେ ପ୍ରାୟ ଦୁଇ ମାସ ଧରି ସ୍ଥାନୀୟ ତହସିଲଦାର ଅସ୍ଥାୟୀ ଭାବେ ସେହି ଦାୟିତ୍ବରେ ରହିବା ଏବଂ ବ୍ଲକର ବିଭିନ୍ନ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ତେଜୁଛି । ତେବେ ବୁଗୁଡା ଅଞ୍ଚଳର ବିକାଶ ନିମନ୍ତେ ଏହି ସ୍ଥାୟୀ ଅଧିକାରୀ ମରୁଡି ପରିସ୍ଥିତିର ମୁକାବିଲା ପାଇଁ ମନ୍ତ୍ରୀଙ୍କ ହସ୍ତକ୍ଷେପ ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।