ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ର ଶୁଭାରମ୍ଭ ଅବସରରେ ଜିଲ୍ଲାସ୍ତରୀୟ ସମାବେଶ ଅନୁଷ୍ଠିତ.
ଲୋକଙ୍କ ସରକାରରେ ଗରିମାମୟ ହେଉଛି ଓଡ଼ିଆ ଅସ୍ମିତା, ଓଡ଼ିଶାର ବରପୁତ୍ରଙ୍କୁ ମିଳୁଛି ସମ୍ମାନ । ଲୋକଙ୍କ ସରକାରଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣ ପାଇଁ ସମର୍ପିତ ୧ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ଜନତା ମଇଦାନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାବେଶରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଓଡ଼ିଶାର କୃଷି, ଶକ୍ତି, ସଡ଼କ ଏବଂ ଗମନାଗମନ ଆଦି କ୍ଷେତ୍ରରେ ଉନ୍ନତି ନିମିତ୍ତ ୬୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଏବଂ ୪୫ ଟି ଲୋକାଭିମୁଖୀ ପ୍ରକଳ୍ପର ଉଦଘାଟନ କରିବା ସହ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ର ଶୁଭାରମ୍ଭ କରିଛନ୍ତି ।
ଏହି କ୍ରମରେ ଆଜି ବରଗଡ଼ ଜିଲ୍ଲାର ମହାନ ସ୍ୱାଧୀନତା ସଂଗ୍ରାମୀ ସହୀଦ ମାଧୋ ସିଂଙ୍କ ଜନ୍ମ ମାଟି ଘେଁସ ସ୍ଥିତ ରାଜବାଟି ଏବଂ ଜିଲ୍ଲାର ସୁପୁତ୍ର ସ୍ୱାଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମସ୍ଥାନ ବରପାଲି ସ୍ଥିତ ତାଙ୍କ ବାସ ଭବନରେ ଜିଲ୍ଲା ସ୍ତରୀୟ ସମବେଶ ଆୟୋଜିତ ହୋଇଛି।
ବରପାଲି ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ସ୍ୱାଭାବ କବି ଗଙ୍ଗାଧର ମେହେରଙ୍କ ଆଣନାତି ଶ୍ରୀ ମହେନ୍ଦ୍ର କୁମାର ମେହେରଙ୍କ ସମେତ ତାଙ୍କ ପରିବାରରୁ ଶ୍ରୀମତି ମମତା ମେହେର, ଶକ୍ତିମୟୀ ମେହେର ଏବଂ ଶ୍ରୀମନ ଜ୍ୟୋତିମନ ମେହେରଙ୍କୁ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା ଉପସ୍ଥିତ ରହି ପ୍ରଶାସନ ତରଫରୁ ସମ୍ମାନିତ କରିଥିବା ବେଳେ ସ୍ଥାନୀୟ ବାସିନ୍ଦା, ଗଙ୍ଗାଧର ମେହେର ସ୍ମୃତି କମିଟି ଏବଂ ଗଙ୍ଗାଧର ମେହେର କ୍ଳବର କର୍ମକର୍ତ୍ତା,ଗଣମାଧ୍ୟମ ପ୍ରତିନିଧି, ଜିଲ୍ଲା ସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଭାସୀ ମାଧ୍ୟମରେ ରାଜ୍ୟସ୍ତରୀୟ ସମବେଶରେ ଜଡିତ ଥିଲେ।
ସେହିଭଳି ଘେଁସ ଗ୍ରାମର ରାଜବାଟି ସମ୍ମୁଖରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାବେଶରେ ସହୀଦ ମାଧୋ ସିଂଙ୍କ ଦାୟାଦ ତଥା ପଣନାତି ଶ୍ରୀ ଲୋକେଶ୍ୱର ସିଂ ବରିହାଙ୍କ ସମେତ ଲୋକ କବିରତ୍ନ ପଦ୍ମଶ୍ରୀ ଡ଼ ହଳଧର ନାଗଙ୍କୁ ପଦମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୃଣାଲ ମୋତିରାମ ଚୌହାନ ଉପସ୍ଥିତ ରହି ସମ୍ମାନିତ କରିଥିବା ବେଳେ ସୋହେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ପୋଲିସ ଅଧିକାରୀ, ଘେଁସ ଗ୍ରାମବାସୀ, ସହୀଦ କୁଞ୍ଜଳ ସିଂ କ୍ଳବର ସମସ୍ତ କର୍ମକର୍ତ୍ତା ଆଭାସୀ ମାଧ୍ୟମରେ ରାଜ୍ୟସ୍ତରୀୟ ସମବେଶରେ ଜଡିତ ଥିଲେ।
