August 21, 2026

ଆଶାକର୍ମୀଙ୍କୁ ଅସଦାଚରଣ ଅଭିଯୋଗ , ଅଭିଯୁକ୍ତ ଫେରାର 

IMG-20260820-WA0095
Share

 

ବୁଗୁଡା : ତା ୨୦/୦୮/୨୬ : ବୁଗୁଡ଼ା ସହର ଅନ୍ତର୍ଗତ ମହାପାତ୍ର ସାହିରେ ଜନୈକା କାର୍ଯ୍ୟରତ ଆଶାକର୍ମୀଙ୍କ ପ୍ରତି ହୋଇଥିବା ଅସଦାଚରଣକୁ ନେଇ ଗୁରୁବାର ଦିନ ଆଶାକର୍ମୀ ସଂଘ ପକ୍ଷରୁ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ପଟ୍ଟନାୟକ ଓରଫ ବୁନୁ ପଟ୍ଟନାୟକ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସ୍ଥାନୀୟ ପୋଲିସ ନିକଟରେ ଦାବି କରାଯାଇଥିବା ଜଣାଯାଇଛି। ପ୍ରକାଶ ଯେ, ଗତ ୧୭ ତାରିଖ ଦିନ ସମ୍ପୃକ୍ତା ଆଶାକର୍ମୀ ଲେପର୍ସି ସର୍ଭେ କାର୍ଯ୍ୟରେ କୃଷ୍ଣଚନ୍ଦ୍ରଙ୍କ ଘରକୁ ଯାଇଥିଲେ। ସେଠାରେ କୃଷ୍ଣଚନ୍ଦ୍ର ଆଶାକର୍ମୀଙ୍କ ହାତଟାଣି ଅସଦାଚରଣ କରିଥିଲେ। ଏ ନେଇ ସମ୍ପୃକ୍ତା ଆଶାକର୍ମୀ ବୁଗୁଡା ଥାନାରେ ଅଭିଯୋଗ କରିଥିଲେ ହେଁ ପୋଲିସ ଅଭିଯୁକ୍ତକୁ ଅଦ୍ୟାବଧି ଗିରଫ କରିପାରିନଥିବାରୁ ଆଜି ପୁଣି ଆଶାକର୍ମୀ ସଂଘର ସଭାନେତ୍ରୀ ସନ୍ତୋଷିନୀ ପଟ୍ଟନାୟକଙ୍କ ନେତୃତ୍ଵରେ ଆଶାକର୍ମୀବୃନ୍ଦ ଥାନାଧିକାରୀଙ୍କ ନିକଟରେ ଅଭିଯୁକ୍ତ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଥି ସହ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀଙ୍କୁ ମଧ୍ୟ ଆଶାକର୍ମୀ ସଂଘକୁ ସହଯୋଗ କରିବାକୁ ନିବେଦନ କରାଯାଇଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବିଭିନ୍ନ ମହଲରେ ଏହାକୁ ଦୃଢ ନିନ୍ଦା କରାଯାଇଛି। ତେବେ ସମ୍ପୃକ୍ତା ଆଶାକର୍ମୀଙ୍କ ଅଭିଯୋଗ କ୍ରମେ ପୋଲିସ କେସ୍ ନଂ ୪୦୮/୨୬ରେ ଏକ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତକୁ ପୋଲିସ ଖୋଜୁଥିବା ନେଇ ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି।

You may have missed