ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକ ମୃତ

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଧର୍ମଗଡ଼ ସହରରେ ନିର୍ମାଣ ଚାଲିଥିବା ନୂତନ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ଗତକାଲି ନିର୍ମାଣ କାମ ଚାଲିଥିବାବେଳେ,ଧର୍ମଗଡ଼ ଥାନା ଅନ୍ତର୍ଗତ ବଡ଼ଘୁମର ଗ୍ରାମର ରାଜେନ୍ଦ୍ର ଗୋପାଳ ନାମକ ଜଣେ ଶ୍ରମିକ ଲିଫ୍ଟରେ କାମ କରୁଥିବାବେଳେ, କୌଣସି କାରଣ ବଶତଃ ଲିଫ୍ଟରେ ସର୍ଟ ସର୍କିଟ ହେବାଯୋଗୁଁ ଶ୍ରମିକ ଜଣକ ବିଦ୍ୟୁତ ସଂସ୍ପର୍ଶରେ ଆସି ନିର୍ମାଣାଧୀନ କୋଠାର ଦ୍ଵିତୀୟ ମହଲାରୁ ତଳେ ପଡିଯାଇଥିଲେ।କୋଠା ନିର୍ମାଣ କରୁଥିବା ଠିକା ସଂସ୍ଥା ତରଫରୁ ଉକ୍ତ ଶ୍ରମିକଙ୍କୁ ସଙ୍ଗେ ସଙ୍ଗେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ, ସେଠାରେ ଡାକ୍ତର ଉକ୍ତ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ମୃତ ଶ୍ରମିକଙ୍କ ପରିଜନ କ୍ଷତି ପୁରଣ ଦାବିରେ ରାସ୍ତା ମଝିରେ ଶବ ରଖି ରାସ୍ତାରୋକ କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତି ସମ୍ଭାଳିଥିବାବେଳେ, କୋଠା ନିର୍ମାଣ କରୁଥିବା ଉକ୍ତ ସଂସ୍ଥା ତରଫରୁ ମୃତ ଶ୍ରମିକଙ୍କ ପରିଜନଙ୍କୁ ଦୁଇ ଲକ୍ଷ ଟଙ୍କା କ୍ଷତି ପୁରଣ ଦେବାପରେ ମୃତକଙ୍କ ପରିଜନ ରାସ୍ତା ରୋକରୁ ହଟିଥିଲେ।
