May 10, 2026

ଲକ୍ଷ୍ମୀ ବସ୍ କଣ୍ଡକ୍ଟରଙ୍କୁ ନିସ୍ତୁକ ମାଡ ଅଭିଯୋଗ, ୨ ଗିରଫ 

IMG-20250320-WA0042
Share

 

ବୁଗୁଡା : ତା ୨୦/୦୩/୨୫ : ବୁଗୁଡ଼ାରୁ ଭାୟା ଅନ୍ତରପଡା ଦେଇ ଅରଖପୁର ଗାଁକୁ ଯାଉଥିବା ସରକାରୀ ଲକ୍ଷ୍ମୀ ବସର କଣ୍ଡକ୍ଟରଙ୍କୁ ନିସ୍ତୁକ ମାଡ ମାରିବା ଅଭିଯୋଗରେ ଗିରଫ ୨ ଜଣ କୋର୍ଟ ଚାଲାଣ ହୋଇଥିବା ଜଣାଯାଇଛି। ଗିରଫ ୨ ଜଣ ହେଲେ ମହୁଲପଲ୍ଲୀ ଗ୍ରାମର ଯୋଗି ନାଇକଙ୍କ ଦୁଇ ପୁଅ ଗଣେଶ ନାଇକ (୨୩) ଓ ସିକେନ୍ଦ୍ର ନାଇକ (୨୦) ଏବଂ ସେମାନଙ୍କ ମାଡରେ ଆହତ କଣ୍ଡକ୍ଟର ଜଣକ ଡାକରାବାଡି ଗ୍ରାମର ପବିତ୍ର ଗୌଡ (୩୨)। ଏ ନେଇ ବୁଗୁଡା ଥାନାରେ କେସ୍ ନଂ ୧୮୧/୨୫ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି। ଘଟଣାରୁ ପ୍ରକାଶ ଯେ, ଗତ ୧୮ ତାରିଖ ଅପରାହ୍ନରେ ଅନେକ ଯାତ୍ରୀଙ୍କୁ ଧରି ଲକ୍ଷ୍ମୀ ବସ୍ ଅରଖପୁର ଗାଁରୁ ଫେରୁଥିବା ବେଳେ ଗଣେଶ ଓ ସିକେନ୍ଦ୍ର ଗାଡିକୁ ଚଢିଥିଲେ । କଣ୍ଡକ୍ଟର ସେମାନଙ୍କୁ କୁଆଡେ ଯିବ ବୋଲି ପଚାରିବା କ୍ଷଣି ମଦ ନିଶାରେ ମାତାଲ ଥିବା ସିକେନ୍ଦ୍ର ହଠାତ୍ ଉତକ୍ଷିପ୍ତ ହୋଇ କଣ୍ଡକ୍ଟରଙ୍କ ବେକକୁ ଧରି ବାରମ୍ବାର ଚାପୁଡା ମାରିବାକୁ ଲାଗିଲା। ଏ ସମୟରେ ଗଣେଶ କଣ୍ଡକ୍ଟରଙ୍କଠୁ ଟିକେଟିଂ ମେସିନଟି ଛଡାଇ ନେଇ ଫୋପାଡି ଦେଲା।। ତା’ପରେ ଜଣେ କଣ୍ଡକ୍ଟରଙ୍କୁ ତଳେ ପକାଇ ଛାତି ଉପରେ ବସି ଗାଳିଗୁଲଜ ସହ ମାଡ ମାରୁଥିବା ବେଳେ ଅନ୍ୟ ଜଣକ ଲାତ ମାରୁଥିଲା। ବିକଳରେ କଣ୍ଡକ୍ଟର ଜଣକ ସାହାଯ୍ୟ ପାଇଁ ଚିତ୍କାର କରିବାରୁ ଗାଡିର ଯାତ୍ରୀମାନେ ତାଙ୍କୁ ସେହି ଦୁଇ ଭାଇଙ୍କ ଆକ୍ରମଣରୁ ଉଦ୍ଧାର କରିଥିଲେ। ସେଠାରୁ ଫେରି ଆହତ କଣ୍ଡକ୍ଟର ଜଣକ ବୁଗୁଡା ମେଡିକାଲରେ ଚିକିତ୍ସିତ ହୋଇଥିଲେ। ଏ ନେଇ ୧୯ ତାରିଖ ଦିନ ଥାନାରେ ପବିତ୍ରଙ୍କ ଅଭିଯୋଗ କ୍ରମେ ୨୦ ତାରିଖ ଦିନ ଅଭିଯୁକ୍ତ ଦୁଇ ଭାଇଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।