April 29, 2026

ରାଜ୍ୟରେ ଚୋରା ବାଲି, ମୋରମ, ମାଙ୍କଡା ପଥର ମାଫିଆ ତଥା ବେଆଇନ ଗୋ-ଚାଲାଣକାରୀଙ୍କ ବିରୋଧରେ ଓଡିଶା ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି

IMG-20251219-WA0089
Share

 

ଭୁବନେଶ୍ୱର ( ଦେବାଶିଷ ଦାଶ )

 

ରାଜ୍ୟରେ ଚୋରା ବାଲି, ମୋରମ, ମାଙ୍କଡା ପଥର ମାଫିଆ ତଥା ବେଆଇନ ଗୋ-ଚାଲାଣକାରୀଙ୍କ ବିରୋଧରେ ଓଡିଶା ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି .ଏହି କ୍ରମରେ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ଓ ଗୋ ଚାଲାଣ ଉପରେ ରୋକ ଲଗାଇବା ପାଇଁ କିଛି ଦିନ ଧରି ପୋଲିସ ତରଫରୁ “ଅପରେସନ୍ ଧରପଗଡ” ଅଭିଯାନ କରାଯାଇଥିଲା । ରାଜ୍ୟ ତମାମ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ, ଟିପର ଓ ହାଇୱାକୁ ଜବତ କରାଯାଇଛି।

ଅଦ୍ୟାବଧି ସାରା ରାଜ୍ୟରେ ବାଲି, ମୋରମ ଏବଂ ମାଙ୍କଡା ପଥର ମାଫିଆଙ୍କ ବିରୋଧରେ ୧୩୪ ଟି ମାମଲା ରୁଜୁ କରାଯାଇଥିବା ବେଳେ ୧୬୩ ଟି ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ, ଟିପର ଓ ହାଇୱାକୁ ଜବତ କରାଯାଇଛି । ଏହା ସହ ୧୪ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ୯୨ରୁ ଅଧିକ ଲୋକଙ୍କୁ ନୋଟିସ ଦିଆଯାଇଛି । ମୟୂରଭଞ୍ଜ ଜିଲ୍ଲା ପୋଲିସ ୩୯ ଟି ମାମଲା ରୁଜୁ କରି ୪୫ ଟି ଯାନ, ବାଲେଶ୍ଵର ୩୨ ଟି ମାମଲା କରି ୬୭ ଟି ଯାନ, ଭଦ୍ରକ ଜିଲ୍ଲା ୧୮ ଟି ମାମଲା ସହ ୧୮ ଟି ଯାନ ଏବଂ ଗଞ୍ଜାମ ଜିଲ୍ଲା ୩୩ ଟି ମାମଲା ରୁଜୁ କରି ୩୩ ଟି ଯାନ ଜବତ କରିଛି ।

ସେହିପରି ବେଆଇନ ଗୋ-ଚାଲାଣ ଅଭିଯୋଗରେ ପୋଲିସ ୨୩ ଟି ମାମଲା ରୁଜୁ କରିବା ସହ ୩୧ ଜଣଙ୍କୁ ଗିରଫ କରିଛି।

ରାଜ୍ୟରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଚିହ୍ନଟ କରି ଗିରଫ କରିବା, ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବା, ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ, ଗୋ-ଚାଲାଣ ବିରୋଧରେ ପଦକ୍ଷେପ ନେବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି । ସେହି ଅନୁଯାୟୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାରଙ୍କ ତତ୍ୱାବଧାନରେ ରାଜ୍ୟର ସମସ୍ତ ଜିଲ୍ଲାର ଏସପି “ଅପରେସନ୍ ଧରପଗଡ” ଅଭିଯାନରେ ସାମିଲ ହୋଇଥିଲେ।