କ୍ଷୁଦ୍ର ସଞ୍ଚୟ ଯୋଜନା ସମ୍ପର୍କିତ ଆର୍ଥିକ ସାକ୍ଷରତା ଓ ସଚେତନତା କର୍ମଶାଳା ଅନୁଷ୍ଠିତ

ପାରଳାଖେମୁଣ୍ଡି,୨୮.୦୭.୨୦୨୬
ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ କେ.ସି.ପୁରସ୍ଥିତ ସରକାରୀ ଏସ୍.ଏସ୍.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ କ୍ଷୁଦ୍ର ସଞ୍ଚୟ ଯୋଜନା ସମ୍ପର୍କିତ ଆର୍ଥିକ ସାକ୍ଷରତା ଓ ସଚେତନତା କାର୍ଯ୍ୟକ୍ରମ ଅବସରରେ ଏକ ଆଲୋଚନା ଚକ୍ର ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଶ୍ରୀମତୀ ତ୍ରିବେଣୀ କୁମାରୀ ଦେବୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସୋଲମ ରାଇକା, ଡେପୁଟି ପୋଲିସ ଉପ- ଅଧୀକ୍ଷକ ଶ୍ରୀମତୀ ସରିତା ବେହୁରିଆ, ଗୁମ୍ମା ଉପ-ଡାକଘରର ପୋଷ୍ଟମାଷ୍ଟର ଶ୍ରୀ ଶଙ୍କର ପାତ୍ର, ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ,ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। କର୍ମଶାଳାରେ ବିଭିନ୍ନ କ୍ଷୁଦ୍ର ସଞ୍ଚୟ ଯୋଜନା, ସରକାରଙ୍କ ପ୍ରୋତ୍ସାହନମୂଳକ ସଞ୍ଚୟ ଯୋଜନା, ଆର୍ଥିକ ସାକ୍ଷରତାର ଗୁରୁତ୍ୱ, ନିୟମିତ ସଞ୍ଚୟ ଓ ନିବେଶର ସୁଫଳ ସମ୍ପର୍କରେ ବିସ୍ତୃତ ସଚେତନତା ସୃଷ୍ଟି କରାଯାଇଥିଲା। ଏହାସହ ଡିଜିଟାଲ ଆର୍ଥିକ କାରବାର ସମୟରେ ସତର୍କତା ଅବଲମ୍ବନ, ସାଇବର ଠକେଇରୁ ସୁରକ୍ଷିତ ରହିବାର ଉପାୟ ଏବଂ ପ୍ରତିରୋଧମୂଳକ ପଦକ୍ଷେପ ସମ୍ପର୍କରେ ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଯାଇଥିଲା। ଆଲୋଚନା ଚକ୍ରରେ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଅଂଶଗ୍ରହଣକାରୀମାନଙ୍କ ସହ ସକ୍ରିୟ ମତବିନିମୟ କରାଯାଇଥିଲା । ସେମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ କ୍ଷୁଦ୍ର ସଞ୍ଚୟ ଯୋଜନା, ସୁରକ୍ଷିତ ନିବେଶ ଏବଂ ସାଇବର ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା।
