କାଦୁଅରେ ଫସିଲା ମୀନାବଜାର, ଭିଆଇପି ପାସ୍ ବିବାଦରେ ଚର୍ଚ୍ଚାରେ ଗୁଣୁପୁର ରଥଯାତ୍ରା ଭକ୍ତଙ୍କ ଭିଡ଼ ମଧ୍ୟରେ ଅବ୍ୟବସ୍ଥାର ଛାପ; ବ୍ୟବସାୟୀଙ୍କ କ୍ଷତି, ସୁରକ୍ଷା ଓ ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଦକ୍ଷିଣ ଓଡ଼ିଶାର ଐତିହ୍ୟ ଓ ଆସ୍ଥାର ଅନନ୍ୟ ପ୍ରତୀକ ଗୁଣୁପୁର ରଥଯାତ୍ରା ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହଜାର ହଜାର ଭକ୍ତଙ୍କ ସମାଗମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ଶ୍ରୀଗୁଣ୍ଡିଚା ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିଥିବା ବେଳେ, ଅନ୍ୟପଟେ ମୀନାବଜାରର ଦୟନୀୟ ଅବସ୍ଥା ଓ ରଥଟଣା ସମୟରେ ଭିଆଇପି ପାସ୍ ବଣ୍ଟନକୁ ନେଇ ସୃଷ୍ଟି ହୋଇଥିବା ଅବ୍ୟବସ୍ଥା ସାଧାରଣ ମହଲରେ ଅସନ୍ତୋଷର କାରଣ ପାଲଟିଛି।
ବର୍ଷା ପ୍ରଭାବରେ ଦେବୋତ୍ତର ବିଭାଗ ପରିଚାଳିତ ମୀନାବଜାର ପଡ଼ିଆ ସମ୍ପୂର୍ଣ୍ଣ କାଦୁଅମୟ ହୋଇପଡ଼ିଛି। ଚାଲିବାକୁ ଅସୁବିଧା ହେଉଥିବାରୁ ଅନେକ ଦର୍ଶନାର୍ଥୀ ମୀନାବଜାରକୁ ଏଡ଼ାଇ ଯାଉଛନ୍ତି। ଫଳସ୍ୱରୂପ ବ୍ୟବସାୟୀଙ୍କ ବେପାର ଗୁରୁତର ଭାବେ ପ୍ରଭାବିତ ହୋଇଥିବା କୁହାଯାଉଛି। ସ୍ଥାନୀୟ ଲୋକେ ତୁରନ୍ତ ପଡ଼ିଆରେ ମୁରୁମ୍ କିମ୍ବା ଡଷ୍ଟ ପକାଇ ଚଳାଚଳ ଉପଯୋଗୀ କରିବାକୁ ଦାବି କରିଛନ୍ତି।
ଏହାରି ମଧ୍ୟରେ ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଲକ୍ଷ୍ମଣ ଢେପ ସାହିର ବିଜୟ ବେହେରା ଠାକୁରଙ୍କ ଦର୍ଶନ ପାଇଁ ଆସି ପାର୍କିଂରେ ରଖିଥିବା ବାଇକ୍ ନିଖୋଜ ହୋଇଯିବା ଘଟଣା ଭକ୍ତମାନଙ୍କ ମଧ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ାଇଛି। ଏନେଇ ସେ ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି।
ରଥଟଣା ବେଳେ ଭିଆଇପି ପାସ୍ ବଣ୍ଟନକୁ ନେଇ ମଧ୍ୟ ବିବାଦ ମୁଣ୍ଡ ଟେକିଛି। ବେରିକେଡ୍ ଭିତରେ ଆବଶ୍ୟକତାଠାରୁ ଅଧିକ ସଂଖ୍ୟାରେ ପାସ୍ଧାରୀ ଓ ଅନ୍ୟ ଲୋକଙ୍କ ପ୍ରବେଶ ଯୋଗୁଁ ଭିଡ଼ ନିୟନ୍ତ୍ରଣ କରିବାରେ ପୁଲିସ ଓ ପ୍ରଶାସନକୁ ବେଶ ହଇରାଣ ହେବାକୁ ପଡ଼ିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଉପଜିଲ୍ଲାପାଳ ଓ ତହସିଲଦାର ସ୍ୱୟଂ ବେରିକେଡ୍ ଭିତରକୁ ପ୍ରବେଶ କରି ଅନାବଶ୍ୟକ ଭିଡ଼କୁ ବାହାରକୁ କାଢ଼ି ପରିସ୍ଥିତି ସମ୍ଭାଳିଥିଲେ।
ଏଭଳି ଘଟଣା ପରେ ଏତେ ସଂଖ୍ୟକ ଭିଆଇପି ପାସ୍ କେଉଁ ଆଧାରରେ ବଣ୍ଟନ କରାଗଲା, ତାହାର ସ୍ୱଚ୍ଛ ସମୀକ୍ଷା କରିବାକୁ ସାଧାରଣରେ ଦାବି ଉଠିଛି। ସେହିପରି ବାହୁଡ଼ାଯାତ୍ରା ପୂର୍ବରୁ ମୀନାବଜାର ପଡ଼ିଆର ତୁରନ୍ତ ମରାମତି ସହ ସମସ୍ତ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଦେବୋତ୍ତର ବିଭାଗ ଓ ପ୍ରଶାସନ ତତ୍ପରତା ପ୍ରକାଶ କରିବା ଆବଶ୍ୟକ ବୋଲି ସହରବାସୀ ମତ ପ୍ରକାଶ କରିଛନ୍ତି।
