ଭବାନୀପାଟଣା ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଭବାନୀପାଟଣା ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଭୁବନେଶ୍ୱର ଶବରଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅନିଯାୟୀ ଆୟ ବହିର୍ଭୁତ କୋଟି କୋଟି ଟଙ୍କା ମୂଲ୍ୟର ଥିବା ସମ୍ପତ୍ତିକୁ ନେଇ ଆଜି ଓଡିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଭବାନୀପାଟଣା ସ୍ପେଶାଲ ଭିଜିଲାନ୍ସ ଜଜଙ୍କ ନିର୍ଦେଶ କ୍ରମେ, ଭିଜିଲାନ୍ସର ୬ ଜଣ ଇନ୍ସପେକ୍ଟରଙ୍କ ଅଧୀନରେ ଅନ୍ୟ ଭିଜିଲାନ୍ସ କର୍ମଚାରିଙ୍କ ଏକ ବଡ ଟିମ ଏକା ସାଙ୍ଗରେ ଶ୍ରୀ ଶାବରଙ୍କ କାର୍ଯ୍ୟାଳୟ, ପି.ଡବ୍ଲୁ.ଡି କଲୋନୀ ସ୍ଥିଥ ସରକାରୀ ବାସ ଭବନ ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି ଏବଂ ଜୋରଦାର ତଦନ୍ତ ଚାଳାଇଛନ୍ତି। ଏହି ତଦନ୍ତରେ ବିଭିନ୍ନ ବ୍ୟାଙ୍କ ଗୁଡିକର କାଗଜ ପତ୍ର, ଜମି ଜାଗା ସମ୍ବନ୍ଧୀୟ କାଗଜ ଗୁଡିକର ଯାଞ୍ଚ କରାଯାଉଥିବାବେଳେ,ଆଜିର ଚଢ଼ାଉ ଚାଲିଥିବା ମଧ୍ୟରେ ମିଳିଥିବା ତଥ୍ୟ ଅନୁଯାୟୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଶବରଙ୍କ ଭବାନୀପାଟଣା ସ୍ଥିତ ଗୋସାଇଁମୁଣ୍ଡା ଠାରେ ଥିବା ଦୋତାଲା କୋଠା, ଭବାନୀପାଟଣା ସ୍ଥିତ ଦୁଆରଶୁନି ଅଞ୍ଚଳରେ ନିର୍ମାଣାଧୀନ କୋଠା, ଭବାନୀପାଟଣା ନିକଟସ୍ଥ ତଲବେଲଗାଁ ଠାରେ ୪ ଏକର ବହୁମୂଲ୍ୟ ଜମି,୩୩ ଟି ପ୍ଲଟ (୩୯. ୬୪ ଏକର),କୋକସରା ବ୍ଲକ ଅଧିନସ୍ଥ ନିଜ ପୈତୃକ ଗ୍ରାମ କିଟପଦର ଠାରେ ଥିବା ୯ ଏକରରେ ଫାର୍ମହାଉସ ସହ ଦୋତାଲା କୋଠା ତଥା ୮ଟି କେବିନ ଥିବା ମାର୍କେଟ କମ୍ପ୍ଲେକ୍ସ, କୋକସରା ବ୍ଲକ ଅନ୍ତର୍ଗତ ମୋଟର ଛକ ଠାରେ ଏକ ବିରାଟ ଦୁଇ ମହଲା କୋଠା ଏହାବାଦ ବିଭିନ୍ନ ଆର୍ଥିକ ପ୍ରତିଷ୍ଠାନ ମାନଙ୍କରେ କରାଯାଇଥିବା ଅର୍ଥ ବିନିଯୋଗର ଆକଳନ କରାଯାଉଛି। ଏହାଛଡା ବର୍ତ୍ତମାନ ପର୍ଯ୍ୟନ୍ତ ବିପୁଳ ପରିମାଣର ସୁନା ଓ ରୁପା ଅଳଙ୍କାର ଓ ସାମଗ୍ରୀ ଚି଼ହ୍ନଟ କରାଯାଇଛି।ବର୍ତ୍ତମାନ ଭିଜିଲାନ୍ସ ଦ୍ୱାରା ଚଢ଼ାଉ ଜାରି ରହିଥିବାବେଳେ, ଆଗକୁ ଆହୁରି ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି।
