ଭବାନୀପାଟଣାର ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକରେ ଅଚାନକ ପରିଦର୍ଶନ କଲେ ଜିଲ୍ଲାପାଳ ଓ ଏସ. ପି

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ଗତ କିଛିଦିନ ହେବ ଭବାନୀପାଟଣା ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକରେ ପେଟ୍ରୋଲ ଓ ଡିଜେଲ ବିତରଣର ଅନିୟମିତତା ନେଇ ଜନସାଧାରଣଙ୍କ ଦ୍ୱାରା ବରାବର ଅଭିଯୋଗ ହୋଇଆସୁଥିବା ନେଇ, କଳାହାଣ୍ଡି ଜିଲ୍ଲାପାଳ ଶ୍ରୀ ସଚିନ ପାୱାର, ଜିଲ୍ଲା ଆରାକ୍ଷୀ ଅଧିକାରୀ ଶ୍ରୀ ନାଗରାଜ ଦେବରକୋଣ୍ଡା ଓ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଅଜୟ କୁମାର ମଲ୍ଲିକ ମିଳିତ ଭାବରେ ଅଚାନକ ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକର ପରିଦର୍ଶନ କରିଛନ୍ତି। ଏଥିସହ ପେଟ୍ରୋଲ ପମ୍ପ ଗୁଡିକରେ ପେଟ୍ରୋଲ ଓ ଡିଜେଲର ଷ୍ଟକ ଯାଞ୍ଚ କରିଥିଲେ ଏବଂ ସେଠାରେ ଉପସ୍ଥିତ ଜନସାଧାରଣଙ୍କ ସହ ଆଲୋଚନା କରି ଜଣାଇଥିଲେ ଯେ ଭବାନୀପାଟଣା ସମେତ ସମଗ୍ର କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ୬୧୩୯୭୮ ଲିଟର ପେଟ୍ରୋଲ ଏବଂ ୪୫ O୮୨୫ ଲିଟର ଡିଜେଲ ମହଜୁଦ ଅଛି ଏବଂ ନିୟମିତ ଭାବରେ ପେଟ୍ରୋଲ ଓ ଡିଜେଲ ଯୋଗାଣ ମଧ୍ୟ ଜାରି ରହିଥିବାରୁ ଜନସାଧାରଣଙ୍କୁ ଡରିବାର କିଛି ଆବଶ୍ୟକ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ। ଅନ୍ୟପଟେ ଜିଲ୍ଲାର ଲାଞ୍ଜିଗଡ଼, ମ. ରାମପୁର, ଥୁ. ରାମପୁର ସହ ଅନ୍ୟ କେତେକ ସ୍ଥାନରେ ପେଟ୍ରୋଲ ପମ୍ପ ଗୁଡିକ ସମ୍ପୂର୍ଣ ବନ୍ଦ ହୋଇଯାଇଥିବା ଫଳରେ ସ୍ଥାନୀୟ ଅଞ୍ଚଳର ଲୋକେ ବାଧ୍ୟ ହୋଇ ସ୍ଥାନୀୟ କଳାବେପାରି ମାନଙ୍କ ଠାରୁ ଚଢ଼ାଦର ରେ ତେଲ କିଣିବାକୁ ବାଧ୍ୟ ହେଉଛନ୍ତି। ଏନେଇ କଳାହାଣ୍ଡି ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲାର ସମସ୍ତ ତହସିଲଦାର ଓ ବି. ଡି. ଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ’ ଯେଉଁ ପେଟ୍ରୋଲ ପମ୍ପରେ ତୈଳ ମହଜୁଦ ଥାଇ ମଧ୍ୟ ତୈଳ ବିତରଣ କରୁନାହାନ୍ତି କିମ୍ବା କଳାବଜାରି କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କଡ୍ଡା କର୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।
