September 21, 2026

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ସଂଘବଦ୍ଧ ଆକ୍ରମଣ; ତିନି ଅଭିଯୁକ୍ତ କୋର୍ଟଚାଲାଣ 

IMG-20250618-WA0135
Share

 

ବେଲଗୁଣ୍ଠା,୧୮/୦୬, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକକୁ ଅତର୍କିତ ଭାବେ ସଂଘବଦ୍ଧ ଆକ୍ରମଣ କରିବା ମାମଲାରେ ଆଜି ତିନି ଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି I ସୂଚନା ପ୍ରକାରେ ଗତ ରବିବାର ସକାଳ ନଅ ଘଣ୍ଟା ସମୟରେ ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରିୟବରପୁର ଗ୍ରାମର ଶିବ ଶଙ୍କର ସେଠୀ, ସତ୍ୟଜିତ୍ ପାଣିଗ୍ରାହୀ,ସନ୍ତୋଷ କୁମାର ସାହୁ, ଦୀପକ କୁମାର ସାହୁ ଏବଂ ଲୁଣିପଡ଼ା ଗ୍ରାମର ଜିଲୁ ଗୌଡ଼ ବିଞ୍ଚଣା ଗଡ଼ାଣି ନିକଟସ୍ଥ କାଜୁ ତୋଟାରେ ମଦ୍ୟପାନ କରୁଥିଲେ I ମଦ୍ୟପାନ ପରେ କୌଣସି କାରଣ ନଥାଇ ପୂର୍ବ ଶତୃତାକୁ କେନ୍ଦ୍ର କରି ସତ୍ୟଜିତ୍, ସନ୍ତୋଷ,ଦୀପକ ଏବଂ ଜିଲୁ ସଂଘବଦ୍ଧ ଭାବେ ଏକ କାତିରେ ଶିବ ଶଙ୍କରକୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ I ଏଥିରେ ଶିବ ଶଙ୍କରର ଡ଼ାହାଣ ହାତରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହେବା ପରେ ସେ ନିଜ ଜୀବନ ବଞ୍ଚାଇବା ପାଇଁ ମୁଖ୍ୟ ସଡ଼କ ପାର୍ଶ୍ବକୁ ଦୌଡ଼ି ଆସିଥିଲା I ସ୍ଥାନୀୟ ଲୋକ ଏବଂ ପୋଲିସ୍ ର ସହାୟତାରେ ଶିବ ଶଙ୍କରକୁ ପ୍ରଥମେ ଭଞ୍ଜନଗର ମେଡିକାଲ୍ ଏବଂ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲ୍ କୁ ପଠାଇ ଦିଆଯାଇଥିଲା I ଏନେଇ ଗାଙ୍ଗପୁର ଥାନା ଏସ୍ଆଇ ଆର୍ତ୍ତତ୍ରାଣ ଦାନୀଙ୍କ ରିପୋର୍ଟ ପ୍ରକାରେ ଥାନାରେ 418/25 ରେ ଏକ ମାମଲା ରୁଜୁ କରାଯିବା ସହିତ ତଦନ୍ତକାରୀ ଅଧିକାରୀ ଏସ୍ଆଇ ଅଜୟ କୁମାର ମଲ୍ଲିକ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ I ଆଜି ପୋଲିସ୍ ଘଟଣାରେ ସଂପୃକ୍ତ ସତ୍ୟଜିତ୍,ସନ୍ତୋଷ ଏବଂ ଜିଲୁକୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଏକ ମୋବାଇଲ୍,ଏକ ମୋଟରସାଇକେଲ୍ ଏବଂ ଗୋଟିଏ କାତି ଜବତ କରିଥିଲେ I ଗିରଫ ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ପ୍ରକାଶ କରିଛନ୍ତି I

 

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ