ରେଶମ ଗ୍ରାମର କାର୍ତ୍ତିକ ସଂକ୍ରାନ୍ତି ଉତ୍ସବରେ ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ଯୋଗଦାନ
ବରପାଲି : (ସୁଦାମ ଦୀପ)ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେଶମ ଗ୍ରାମରେ ପବିତ୍ର କାର୍ତ୍ତିକ ସଂକ୍ରାନ୍ତି ଅବସରରେ ଏକ ଧାର୍ମିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇ ଠାକୁରଙ୍କ ଆଶୀର୍ବାଦ ଗ୍ରହଣ କରିବା ସହ ଗ୍ରାମବାସୀଙ୍କ ସହ ଉତ୍ସବର ଆନନ୍ଦ ବାଣ୍ଟିଥିଲେ।ଏହି ଅବସରରେ ଗ୍ରାମରେ ପାରାୟଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପାରାୟଣରେ ଧାର୍ମିକ ଗ୍ରନ୍ଥର ପଠନ ଓ ପ୍ରବଚନ ମାଧ୍ୟମରେ ଆଧ୍ୟାତ୍ମିକ ଭାବଧାରାର ପ୍ରଚାର କରାଯାଇଥିଲା। କର୍ତ୍ତା ଭାବରେ ସୁବାସଚନ୍ଦ୍ର ସତପଥି ଆଉ ତାଙ୍କ ପତ୍ନୀ ଗୀତାଞ୍ଜଳି ସତପଥି ଯୋଗଦାନ କରିଥିଲେ l ଏଥିସହ ଭକ୍ତିମୟ ପରିବେଶ ମଧ୍ୟରେ ଶ୍ରଦ୍ଧାଳୁମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସାଂସଦ ପ୍ରଦୀପ ପୁରୋହିତଙ୍କ ସମେତ ଅନ୍ୟ ଅତିଥିମାନେ ଗ୍ରାମ ପରିକ୍ରମା କରିଥିଲେ। ଏହି ସମୟରେ ଗ୍ରାମବାସୀଙ୍କ ପକ୍ଷରୁ ଅତିଥିମାନଙ୍କୁ ଆତ୍ମୀୟତାର ସହ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା।କାର୍ତ୍ତିକ ମାସର ଧାର୍ମିକ ମହତ୍ତ୍ୱକୁ ଆଧାର କରି ଗ୍ରାମରେ ଏଭଳି ଆୟୋଜନ ଗ୍ରାମବାସୀଙ୍କ ମଧ୍ୟରେ ଭକ୍ତି, ଶ୍ରଦ୍ଧା ଓ ସାମାଜିକ ଏକତାର ଭାବନାକୁ ଅଧିକ ମଜଭୁତ କରିଥିଲା। ଏଥିସହ ଏହି ଉତ୍ସବ ଗ୍ରାମର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାକୁ ଆଗକୁ ବଢ଼ାଇବାରେ ସହାୟକ ହୋଇଥିଲା।ଏହି ଅବସରରେ ବିଜେପି କୃଷକ ମୋର୍ଚ୍ଚାର ଜିଲ୍ଲା ସଭାପତି ସୁରେନ୍ଦ୍ର ପାତ୍ର, ବରଗଡ଼ ଉପଖଣ୍ଡ ପ୍ରତିନିଧି ଲିପସିତ ମିଶ୍ର, କୃଷକ ମୋର୍ଚ୍ଚାର ଜିଲ୍ଲା ସମ୍ପାଦକ ଦେବେନ୍ଦ୍ର ପାତ୍ର ଓ ନବକିଶୋର ପାଣିଗ୍ରାହୀଙ୍କ ସମେତ ଗ୍ରାମର ସୁରପତି ପଧାନ, ଏକା ବଢ଼େଇ, ରାଜକୁମାର ପଧାନ, ଅରକ୍ଷିତ ସାହୁ ଓ କାଳିଆ ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
