ଜଙ୍ଗଲରେ ଏକ କ୍ଷତାକ୍ତ ଗାଈ ମୃତାବସ୍ଥାରେ ଠାବ , ବାଘର ଆକ୍ରମଣ ଅନୁମାନ
ବୁଗୁଡା : ତା ୧୭/୦୮/୨୪ : ବୁଗୁଡା ବନାଞ୍ଚଳ ଅନ୍ତର୍ଗତ କିରିଆମ୍ବା ଜଙ୍ଗଲରେ ଏକ କ୍ଷତାକ୍ତ ଗାଈ ମୃତାବସ୍ଥାରେ ପଡିଥିବାର ଦେଖାଯାଇଥିବା ବେଳେ ବାଘ ଆକ୍ରମଣର ଶିକାର ହୋଇଥାଇପାରେ ସନ୍ଧେହ କରାଯାଉଛି । ପ୍ରକାଶ ଯେ , ଗତ ଶୁକ୍ରବାର ଦିନ ହୀରାପଲ୍ଲୀ ଗ୍ରାମର ଦେବ ନାୟଙ୍କ ଗାଈଗୋଠ ଜଙ୍ଗଲକୁ ଚରିବାକୁ ଯାଇଥିଲେ । ଉପରବେଳା ଗାଈଗୋଠ ଫେରି ଆସିଥିଲେ ହେଁ ଗୋଟିଏ ଗାଈ ଫେରିନଥିଲା । ଗାଁ ଆଖପାଖରେ ଖୋଜାଖୋଜି କରାଯାଇଥିଲେ ହେଁ ଗାଈଟିର ପତ୍ତା ମିଳିନଥିଲା । ଅନ୍ୟପକ୍ଷରେ ଗାଁର ଅନ୍ୟ କିଛି ଲୋକ କାଠ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ଏକ ମଲା ଗାଈ ଖଣ୍ଡିଆ ଖାବରା ହୋଇ ପଡିଥିବା ଏବଂ ତାହା ପାଖରେ ଅନ୍ଯ ଜନ୍ତୁର ପାଦ ଚିହ୍ନମାନ ରହିଥିବାର ଦେଖିବାକୁ ପାଇଥିଲେ । ଏ ନେଇ ଖବର ପାଇବା ପରେ ଗାଁ କେତେକ ଲୋକ ସେଠାକୁ ଯାଇ ମୃତ ଗାଈ ପାଖରେ ରହିଥିବା ପାଦ ଚିହ୍ନଗୁଡିକୁ ବାଘର ହୋଇଥିବା ନେଇ ଅନୁମାନ କରିଥିଲେ । ଫଳରେ ବୁଗୁଡା ବନାଞ୍ଚଳରେ ବାଘ ରହୁଥିବାର ସନ୍ଧେହ ସାଧାରଣରେ ଘନୀଭୂତ ହୋଇଛି । ତେବେ ସ୍ଥାନୀୟ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସର୍ବେକ୍ଷଣ କରି ଫେରିଥିବା ବେଳେ ପ୍ରାଣୀଧନ ଚିକିତ୍ସାଧିକାରୀ ସେଠାରେ ପହଞ୍ଚି ଗାଈଟିର ବ୍ଯବଛେଦ କରିଥିବା ଜଣାଯାଇଛି ।