April 30, 2026

ଗୋଠଭଟା ରାସ୍ତାକୁ ନେଇ ଜନ ଅସନ୍ତୋଷ।

IMG-20251215-WA0082
Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଭବାନୀପାଟଣା ପଞ୍ଚାୟତ ସମିତି ଅନ୍ତର୍ଗତ, ଲଷ୍ମୀପୂର ପଞ୍ଚାୟତ ଅଧୀନରେ ଥିବା ଗୋଠଭଟା ଗ୍ରାମକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ଖଣ୍ଡେ ହୋଇପାରିନାହିଁ। ଏହି ରାସ୍ତାଟି ଭବାନୀପାଟଣା-ରାୟଗଡା ରାଜ୍ୟ ରାଜପଥକୁ ସଂଯୋଗ କରୁଥିବାବେଳେ, ଏହିରାସ୍ତା ଉପରେ ଗୋଠଭଟା ଗ୍ରାମ ସହ ଏହାର ଉପର ମୁଣ୍ଡରେ ଥିବା ପ୍ରାୟ ସାତ ଆଠ ଖଣ୍ଡ ଗ୍ରାମର ଲୋକେ ସମ୍ପୂର୍ଣ ନିର୍ଭରଶିଳ ଅଟନ୍ତି। ପ୍ରାୟ ତିରିଶ ବର୍ଷରୁ ଉର୍ଦ୍ଧ ହେବ, ସେହି ସମୟରେ ଏହି ରାସ୍ତାଟି ବଡ ବଡ ପଥର ଓ ମୋରୁମରେ ତିଆରି ହୋଇଥିବାବେଳେ, ଏହାପରେ ଏହି ରାସ୍ତାର ଉନ୍ନତି କରଣ କରାଯାଇ ନାହିଁ। ଯାହାଫଳରେ ଅନେକ ବର୍ଷରୁ ରାସ୍ତା ଉପରୁ ମୋରୁମ ଭାସିଯାଇ କେବଳ ବଡ ବଡ଼ ପଥର ଗୁଡିକ ଦେଖିବାକୁ ମିଳୁଛି। ଏହାଛଡା ରାସ୍ତାର ଓସାର ପାଖାପାଖି ସାତ ଫୁଟ ହେବ ଏବଂ ରାସ୍ତାର ଦୁଇ ପାର୍ଶ୍ଵରେ ପାଞ୍ଚ ଛଅ ଫୁଟ ଗଭୀର ଖାଲ ଥିବା ଯୋଗୁଁ ଲୋକେ ବଡ କଷ୍ଟରେ ଯିବା ଆସିବା କରୁଛନ୍ତି।ଏହି ରାସ୍ତାରେ ଖୋଦ ଲଷ୍ମୀପୂର ପଞ୍ଚାୟତ କାର୍ଯ୍ୟାଳୟ ଅବସ୍ଥିତ, ଏଥି ସହ ଏଠାରେ ଦିବ୍ୟଜ୍ୟୋତି ପବ୍ଲିକ ସ୍କୁଲ ଭଳି ବଡ ବିଦ୍ୟାଳୟ ଥିବା ବେଳେ ସରକାରୀ ବିଦ୍ୟାଳୟ ମଧ୍ୟ ଅଛି। କିନ୍ତୁ ଅଣଓସାରିଆ ଓ ପଥୁରିଆ ରାସ୍ତା ଯୋଗୁଁ ସ୍କୁଲ ବସ୍ ଗୁଡିକ ମଧ୍ୟ ସ୍କୁଲ ପର୍ଯ୍ୟନ୍ତ ଯାଇପାରେ ନାହିଁ। ଏଥିଯୋଗୁଁ ସ୍କୁଲ ପିଲାଙ୍କୁ ବସରୁ ଓଲ୍ହାଇ ପ୍ରାୟ ଚାରିଶହ ମିଟର ଚାଲିଯିବାକୁ ପଡେ। ଏହାଛଡା ଛୋଟ ବଡ଼ ଦୁର୍ଘଟଣା ମାନ ଏହି ରାସ୍ତାରେ ଏକ ସାଧାରଣ ଘଟଣା ପାଲଟିଯାଇଛି।ଏହି ରାସ୍ତାର ପୁନଃନିର୍ମଣ ଓ ପ୍ରଶସ୍ତିକରଣ ପାଇଁ ଉକ୍ତ ଗ୍ରାମର ବୁଦ୍ଧିଜୀବୀମାନେ ଅନେକ ଦିନରୁ ବିଭାଗୀୟ କର୍ତୃପକ୍ଷ ତଥା ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଆସୁଥିବାବେଳେ,କିଛି ମାସ ତଳେ ବିଭାଗୀୟ କର୍ତୃପକ୍ଷଙ୍କ ଏହି ରାସ୍ତା ଉପରେ କରୁଣା ଦୃଷ୍ଟି ପଡିଲା ଏବଂ ରାସ୍ତାଟି ଗାର୍ଡ ୱାଲ ସହ ବାଇସ ଫୁଟ ଚଉଡାରେ ତିଆରି କରାଯିବ ବୋଲି ସୂଚନା ଦେଇଥିଲେ ଏବଂ ଧାନକଟା ସରିବା ମାତ୍ରେ ରାସ୍ତା କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଥିଲେ। କିନ୍ତୁ ରାସ୍ତା ଦୁଇ ପାର୍ଶ୍ୱରେ ଥିବା ଧାନ ଜମି ଗୁଡିକରୁ ଧାନ କଟା ସରି ଧାନ ମଣ୍ଡିକୁ ଯିବା ଆରମ୍ଭ ହୋଇ ସାରିଥିବାବେଳେ, ଗ୍ରାମବାସୀଙ୍କ ଦ୍ୱାରା ରାସ୍ତା କାର୍ଯ୍ୟ ଆରମ୍ଭ ପାଇଁ କର୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିବା ବେଳେ, ଏପର୍ଯ୍ୟନ୍ତ କୌଣସି ଅଧିକାରୀଙ୍କ ଦେଖା ମିଳୁନଥିବା ନେଇ ଗ୍ରାମରେ ଘୋର ଜନ ଅସନ୍ତୋଷ ଦେଖିବାକୁ ମିଳିଛି ଏଥିସହ ଗ୍ରାମର ବୁଦ୍ଧିଜିବୀ ମାନେ ଜଣାଇଛନ୍ତି ଯେ’,ରାସ୍ତା କାର୍ଯ୍ୟ ଆହୁରି ବିଳମ୍ବ ହୁଏ, ତାହାହେଲେ ଆନ୍ଦୋଳଣାତ୍ମକ ପନ୍ଥା ଗ୍ରହଣ କରାଯିବ।

You may have missed