April 27, 2026

ଗଜପତି:- ଜିଲ୍ଲାସ୍ତରୀୟ ବିଶ୍ଵ ଧଳା-ବାଡ଼ି ଦିବସ-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20251015-WA0067
Share

 

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁନିଅନ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ଆଜି “ସାଇଟ୍ ସେଭର୍ଷ-ଇଣ୍ଡିଆ” ସହଯୋଗରେ ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ” ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ଵ-ଧଳା ବାଡ଼ି ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଅନୁଷ୍ଠିତ ଏକ ସଚେତନତା ସଭା କାର୍ଯ୍ୟକ୍ରମରେ “ସମର୍ଥ” ଅନୁଷ୍ଠାନର ସଭାପତି ଶ୍ରୀ ନିରଞ୍ଜନ ବେହେରା ସଭାପତିତ୍ବ କରି କାର୍ଯ୍ୟକ୍ରମ ପାଳନର ଉଦ୍ଦେଶ୍ୟ ଓ ଏହାର ଗୁରୁତ୍ଵ ଉପରେ କହିଥିଲେ ।

ସେହିଭଳି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି: ତିରୁପତି ରାଓ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଶ୍ରୀ ଏଲ: ସନ୍ତୋଷ କୁମାର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଦୃଷ୍ଟିହୀନ ବ୍ୟକ୍ତିଙ୍କ ପାଇଁ ସଶକ୍ତିକରଣ , ପ୍ରବେଶ ଯୋଗ୍ୟତା ଏବଂ ଅନ୍ତର୍ଭୁକ୍ତି-କରଣ ଉପରେ ମୂଲ୍ୟବାନ ଅନ୍ତର୍ଦୃଷ୍ଟି , ଅଭିଜ୍ଞତା ଏବଂ ଉପାଦେୟ ବାର୍ତ୍ତା ପ୍ରଦାନ କରି ଧଳା-ବାଡ଼ି ହେଉଛି ସ୍ଵାଧୀନତା , ସୁରକ୍ଷା ଏବଂ ଆତ୍ମନିର୍ଭର ଶିଳତାର ଏକ ପ୍ରତୀକ ବୋଲି କହିଥିଲେ।

ଅନ୍ୟପକ୍ଷରେ ଲୋକେ କିଭଳି ଧଳା ବାଡ଼ି ଉପରେ ସଚେତନ ହୋଇ ଦୃଷ୍ଟିହୀନ ବ୍ୟକ୍ତି ମାନଙ୍କୁ ସହଯୋଗ କରିବେ କହି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ପାଇଁ କଣ ସବୁ ସରକାରଙ୍କ ଯୋଜନା ରହିଛି ଏବଂ ଜିଲ୍ଲା ତାହା କିଭଳି କାର୍ଯ୍ୟକାରୀ ହେଉଛି , ସେ ସମ୍ପର୍କରେ କହିଥିଲେ ।

ଏହି ଅବସରରେ କାର୍ଯ୍ୟକ୍ରମରେ ଉପସ୍ଥିତ ୧୫ ଜଣ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ଧଳାବାଡ଼ି ବଣ୍ଟନ କରା ଯାଇଥିଲା। ।

ଏହି କାର୍ଯ୍ୟକ୍ରମରେ ସି ସି ଡ଼ି ଅନୁଷ୍ଠାନର ମୁଖ୍ୟ ତଥା ସମ୍ପାଦକ ଶ୍ରୀ ଏ: ଜଗନ୍ନାଥ ରାଜୁ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଦୃଷ୍ଟିହୀନ ବ୍ୟକ୍ତିମାନେ ସେମାନଙ୍କ ଧଳାବାଡ଼ିର ବ୍ୟବହାର ଏବଂ ରାସ୍ତାରେ ଗଲାବେଳେ ଆମ୍ବୁଲାନ୍ସ ଗାଡ଼ି ଆସିଲେ ତାକୁ ଯେଭଳି ଜନସାଧାରଣ ତୁରନ୍ତ ରାସ୍ତା ଦେଇ ଦିଅନ୍ତି ସେହିଭଳି ଦୃଷ୍ଟିହୀନ ବ୍ୟକ୍ତି ମାନେ ଧଳାବାଡ଼ି ଧରି ରାସ୍ତାରେ ଆସିବା ବେଳେ ତାଙ୍କୁ ମଧ୍ୟ ରାସ୍ତା ଛାଡ଼ିଦେବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ରାମଗିରି ହାଇସ୍କୁଲ ର ଦୃଷ୍ଟିହୀନ ଶିକ୍ଷକ ଶ୍ରୀ ସୋମନାଥ ବିଶ୍ଵାଳ ଏବଂ ସମର୍ଥ ଅନୁଷ୍ଠାନର ଗଭର୍ଣିଂବଡି ସଦସ୍ୟା ସରୋଜିନୀ ରଇତ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମରେ ଗଜପତି କଳା ପରିଷଦ ପକ୍ଷରୁ ଗୁରୁ ନୃସିଂହ ପାଢୀଙ୍କ ନେତୃତ୍ୱରେ ଏବଂ ମମତା ପାଢୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରା ଯାଇଥିଲା ।

ଶେଷରେ ସମର୍ଥ ଅନୁଷ୍ଠାନର ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ମହାରଣା କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

——————————————-

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

——————————————–