କାଉ ବଂଶ ବୁଡ଼ାଉଛି ଅସନ୍ତୁଳିତ ପରିବେଶ! ରାତି ପାହିଲେ ଆଉ ଶୁଭୁନି କାଉର କା…କା… ଶବ୍ଦ
ଧୀରେ ଧୀରେ ପରିବେଶରୁ ହଜି ଯିବାକୁ ବସିଛି କାଉର କା…କା…ରାବ
ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନକର ଆଉ । ଦିନେ ଏହି ଗୀତ ଶୁଣାଇ ମା’, ଜେଜେମା’ ପରିବାରର କୁନି କୁନି ପିଲାଙ୍କୁ ନିଦରୁ ଉଠାଉଥିଲେ । କାଉର କା…କା…ରାବରେ ସକାଳ ଆରମ୍ଭ ହେଉଥିଲା । ଧୀରେ ଧୀରେ କାଉର ଏହି ରାବ ପରିବେଶରୁ ହଜି ଯିବାକୁ ବସିଛି । କାଁ ଭାଁ କାଉ ଦେଖିବାକୁ ମିଳୁଥିବା ବେଳେ ଆଗାମୀ ଦିନରେ କାଉ କେବଳ ଚିଡ଼ିଆଖାନାରେ ଦେଖିବାକୁ ମିଳିବେ ବୋଲି ପରିବେଶବିତ୍ମାନେ ଆଶଙ୍କା ପ୍ରକାଶ କଲେଣି ।
ଭାରତର ପରିବେଶ ଓ ପରମ୍ପରା ସହ କାଉ ଯୋଡ଼ି ହୋଇ ରହିଛନ୍ତି । ପକ୍ଷୀମାନଙ୍କ ମଧ୍ୟରେ କାଉକୁ ଅତ୍ୟନ୍ତ ଚତୁର ପକ୍ଷୀ ବୋଲି ବିବେଚନା କରାଯାଏ । ଦକ୍ଷିଣ ମେରୁ, ଉତ୍ତର ମେରୁ, ଦକ୍ଷିଣ ଆମେରିକାର ଦକ୍ଷିଣ ଅଂଶ ଏବଂ ପ୍ରଶାନ୍ତ ମହାସାଗରର କେତେକ ଦ୍ୱୀପକୁ ଛାଡ଼ି ଦେଲେ କାଉ ପ୍ରାୟ ଆଉ ସବୁଠି ଦେଖିବାକୁ ମିଳନ୍ତି । ପୃଥିବୀରେ ପ୍ରାୟ ୪୦ ପ୍ରଜାତିର କାଉ ଥିବା ବେଳେ ଭାରତରେ ସାଧାରଣତଃ ଦୁଇଟି ପ୍ରଜାତିର କାଉ ଦେଖିବାକୁ ମିଳନ୍ତି । ଏହି ଦୁଇଟି ହେଲେ ଡାମରା କାଉ ଓ ପାତି କାଉ । ଡାମରା କାଉ ଅତି ଚିକ୍କଣ କଳା ହୋଇଥିବା ବେଳେ ଏହାର ରାବ ଅତ୍ୟନ୍ତ କର୍କଶ । ପାତି କାଉର ବେକ ଟିକେ ପାଉଁଶିଆ । କାଉ ଏକ ସର୍ବଭକ୍ଷୀ ପକ୍ଷୀ । ସେ ଅଳିଆ, ଆବର୍ଜ୍ଜନା ମଧ୍ୟ ଭକ୍ଷଣ କରିଥାଏ । ଯେଉଁଥି ପାଇଁ ପରିବେଶ ସଫାସୁତୁରା ରଖିବାରେ କାଉର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ଗଛରେ ଶହ ଶହ ସଂଖ୍ୟାର କାଉ ମାନେ ବସା ବାନ୍ଧି ରହିଥାନ୍ତି । ସକାଳୁ ସକାଳୁ ଏମାନେ ଖାଦ୍ୟ ଅନ୍ୱେଷଣରେ ଦଳଦଳ ହୋଇ ବାହାରି ଯାଆନ୍ତି । ସନ୍ଧ୍ୟା ବେଳକୁ ଦଳ ଦଳ ହୋଇ ବସାକୁ ଫେରି ଆସନ୍ତି । ଖାଦ୍ୟ ପାଇଁ ଏମାନେ ପ୍ରାୟ ୩୦ ମାଇଲି ରାସ୍ତା ଅତିକ୍ରମ କରିଥାନ୍ତି । ଖାଲି ଏତିକି ନୁହେଁ କାଉ କୋଇଲି ଅଣ୍ଡାକୁ ଉଷୁମାଇବା, ଅଣ୍ଡାରୁ ଛୁଆ ଫୁଟିବା ଓ ଛୁଆ ବଡ଼ ହେବା ଯାଏ ଦାୟିତ୍ୱ ନିର୍ବାହ କରିଥା’ନ୍ତି ।
