ବଢ଼ିବ ବିଧାନସଭା ଆସନ, ବଦଳିବ ସଂରକ୍ଷଣ: ୨୦୨୭ ଜନଗଣନା ବଦଳାଇ ଦେବ ନେତାଙ୍କ ରଣନୀତି, ଜନ୍ମ ହେବ ନୂଆ ନିର୍ବାଚନମଣ୍ଡଳୀ

IMG-20260115-WA0036
Share

 

 

 

ରାଜ୍ୟର ସବୁଠାରୁ ଭୋଟରବହୁଳ ବିଧାନସଭା କ୍ଷେତ୍ର ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ । ୨୦୨୫ରେ ଥିଲେ ୩ ଲକ୍ଷ ୭ ହଜାର ୭୪୪ ଭୋଟର। ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀର ଭୋଟର ସଂଖ୍ୟା ୨ ଲକ୍ଷ ୮୯ ହଜାର । ବଲାଙ୍ଗୀରର କଣ୍ଟାବାଞ୍ଜିରେ ୨ ଲକ୍ଷ ୮୦ ହଜାରରୁ ଅଧିକ ଭୋଟର । ବିଧାନସଭାର ଆସନ ସଂଖ୍ୟା ବଢ଼ିଲେ ଏସବୁ ନିର୍ବାଚନମଣ୍ଡଳୀ ନୂଆ ରୂପ ନେବା ଥୟ । ଏଥିରୁ କିଛି ଅଞ୍ଚଳ ଅନ୍ୟ ନିର୍ବାଚନମଣ୍ଡଳୀରେ ମିଶିବ କିମ୍ବା ନୂଆ ନିର୍ବାଚନମଣ୍ଡଳୀଟିଏ ଜନ୍ମ ନେବ ।

 

ଆଗକୁ ବିଧାନସଭାରେ ବିଧାୟକଙ୍କ ସଂଖ୍ୟା ପାଖାପାଖି ୫୦ ବଢ଼ିବ । ୨୦୨୭ ଜନଗଣନାକୁ ଆଧାର କରି ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ ଏବଂ ପୁନର୍ଗଠନ ହେବ । ୨୦୨୯ ନିର୍ବାଚନ ପୂର୍ବରୁ ରାଜ୍ୟରେ ନିର୍ବାଚନମଣ୍ଡଳୀ ସୃଷ୍ଟି ହେବା ସମ୍ଭାବନା ଅଛି । ଏବେଠାରୁ ଆକଳନ ହେଲାଣି, ପୁନର୍ଗଠନରେ କେଉଁ ନିର୍ବାଚନମଣ୍ଡଳୀର ଭୌଗଳିକ ଭାଗ୍ୟ ବଦଳିବ ? କେଉଁ ନିର୍ବାଚନମଣ୍ଡଳୀ ଭାଙ୍ଗି ନୂଆ ନିର୍ବାଚନମଣ୍ଡଳୀ ଜନ୍ମ ହେବ? ଏହାକୁ ନେଇ ବର୍ତ୍ତମାନର ବିଧାୟକ ଓ ଆଶାୟୀମାନେ ଅଙ୍କ କଷିବା ଆରମ୍ଭ କଲେଣି ।

 

ସେହିପରି ୨୦୨୯ ନିର୍ବାଚନ ପୂର୍ବରୁ ରାଜ୍ୟରେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାରେ ସଂରକ୍ଷଣ ଆସନ ଗଣିତ ବି ବଦଳିବା ସମ୍ଭାବନା ଅଛି । ଅନେକ ସଂରକ୍ଷିତ ଆସନ ଅଣସଂରକ୍ଷିତ ଏବଂ ଅଣସଂରକ୍ଷିତ ଆସନ ସଂରକ୍ଷିତ ହୋଇପାରେ । ଏଭଳି ସ୍ଥିତିରେ ଅନେକ ନୂଆ ମୁହଁ ଆବିର୍ଭାବ ସହ ପୁରୁଣାଙ୍କ ଅଙ୍କ ଗୋଳମାଳ ଆଶଙ୍କା ରହିଛି ।

 

୨୦୨୫ ଭୋଟର୍ ତାଲିକା ତଥ୍ୟ କହୁଛି, ରାଜ୍ୟରେ ମୋଟ ଭୋଟର ସଂଖ୍ୟା ୩ କୋଟି ୩୮ ଲକ୍ଷରୁ ଅଧିକ । ୧୪୭ ନିର୍ବାଚନମଣ୍ଡଳୀକୁ ଦେଖିଲେ ପ୍ରତି ଆସନରେ ହାରାହାରି ୨ ଲକ୍ଷ ୨୫ ହଜାର ଭୋଟର । ଏକ ଆକଳନ ଅନୁସାରେ ସର୍ବାଧିକ ଭୋଟର ସଂଖ୍ୟା ଆଧାରରେ ଯଦି ନିର୍ବାଚନମଣ୍ଡଳୀର ପୁନର୍ଗଠନ ହେଲେ ତେବେ ୬୫ଟି ଭୋଟର ବହୁଳ ନିର୍ବାଚନମଣ୍ଡଳୀର ଭୌଗଳିକ ରୂପରେଖ ବଦଳିବ । ଏସବୁ ଆସନରେ ୨ ଲକ୍ଷ ୩୦ ହଜାରରୁ ୩ ଲକ୍ଷ ପର୍ଯ୍ୟନ୍ତ ଭୋଟର ଅଛନ୍ତି ।

 

ଖୋର୍ଦ୍ଧା ଜିଲ୍ଲାର ଉତ୍ତର ଭୁବନେଶ୍ୱର, ଏକାମ୍ର, ଜଟଣୀ, ଖୋର୍ଦ୍ଧା ଓ ଚିଲିକା ନିର୍ବାଚନମଣ୍ଡଳୀରେ ରାଜନୀତି ଗଣିତକୁ ବଦଳାଇବ ସୀମା ନିର୍ଦ୍ଧାରଣ ଓ ପୁନର୍ଗଠନ ପ୍ରକ୍ରିୟା । ଏସବୁ ନିର୍ବାଚନମଣ୍ଡଳୀ ଭୋଟର ବହୁଳ ଥିବାରୁ ଏହାର ଭୌଗଳିକ ସୀମା ଓ ପରିସୀମାରେ ଆସିପାରେ ପରିବର୍ତ୍ତନ ।

 

କଟକ ଜିଲ୍ଲାର ୯ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ୬ଟି ଆସନ ସୀମା ନିର୍ଦ୍ଧାରଣ ଏବଂ ପୁନର୍ଗଠନ ପ୍ରକ୍ରିୟାରେ ନୂଆ ରୂପ ନେବା ସମ୍ଭାବନା ଅଛି । ଜିଲ୍ଲାର ମାହାଙ୍ଗାରେ ସର୍ବାଧିକ ୨ ଲକ୍ଷ ୭୨ ହଜାରରୁ ଅଧିକ ଭୋଟର ଅଛନ୍ତି । ବଡ଼ମ୍ବା, ବାରବାଟୀ-କଟକ, ଚୌଦ୍ୱାର କଟକ, ନିଆଳି, ସାଲେପୁର ଆସନର ରୂପରେଖ ବି ବଦଳିବ । ୨ ଲକ୍ଷ ୭୬ ହଜାରରୁ ଅଧିକ ଭୋଟର ଥିବା କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଆସନ ନିଶ୍ଚିତ ପୁନର୍ଗଠିତ ହେବ । ଏ ପ୍ରକ୍ରିୟାରେ ପାଟକୁରା, ରାଜନଗର, ମହାକାଳପଡ଼ା ନିର୍ବାଚନମଣ୍ଡଳୀ ବି ନୂଆ ରୂପ ନେବ।

 

ବାଲେଶ୍ୱର ଜିଲ୍ଲାର ୮ଟି ନିର୍ବାଚନମଣ୍ଡଳୀର ମୋଟ ଭୋଟର ୧୮ ଲକ୍ଷ ୬୮ ହଜାରରୁ ଅଧିକ । ସିମୁଳିଆରେ ସର୍ବାଧିକ ୨ ଲକ୍ଷ ୫୮ ହଜାର, ଜଳେଶ୍ୱରରେ ୨ ଲକ୍ଷ ୫୫ ହଜାର । ଭୋଗରାଇ, ବସ୍ତା ବି ଭୋଟର ବହୁଳ । ଅର୍ଥାତ୍ ଜିଲ୍ଲାରେ ରାଜନୈତିକ ଗଣିତକୁ ପ୍ରଭାବିତ କରିବ ସମ୍ଭାବ୍ୟ ପୁନର୍ଗଠନ ପ୍ରକ୍ରିୟା ।

 

ଭଦ୍ରକ ଜିଲ୍ଲାରେ ରାଜନୈତିକ ଅଙ୍କ, ହିସାବକୁ ଓଲଟପାଲଟ କରିପାରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ । ଜିଲ୍ଲାର ୫ରୁ ୫ ନିର୍ବାଚନମଣ୍ଡଳୀରେ ଭୋଟର ସଂଖ୍ୟା ଢେର ଅଧିକ । ଭଦ୍ରକ ଓ ବାସୁଦେବପୁର ଭଳି ଆସନରେ ଭୋଟର ସଂଖ୍ୟା ୨ ଲକ୍ଷ ୭୦ ହଜାରରୁ ଅଧିକ । ଧାମନଗର, ଚାନ୍ଦବାଲି, ଭଣ୍ଡାରିପୋଖରୀ ବି ଭୋଟର ବହୁଳ । କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ରେ ଅଢ଼େଇ ଲକ୍ଷରୁ ଅଧିକ ଭୋଟର ଥିବାବେଳେ ଜୁନାଗଡ଼, ଭବାନୀପାଟଣା ପୁନର୍ଗଠନରେ ନୂଆ ରୂପ ନେବା ସମ୍ଭାବନା ଅଛି ।

 

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୩ଟି ନିର୍ବାଚନମଣ୍ଡଳୀ ରହିଛି । ସେଥିରୁ ୬ଟି ଭୋଟର ବହୁଳ । ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଛତ୍ରପୁର, ସୋରଡ଼ାରେ ଅଧିକ ଭୋଟର ରହିଛନ୍ତି । ରାଜନୈତିକ ସମ୍ବେଦନଶୀଳ ଜିଲ୍ଲା କୁହାଯାଉଥିବା ଗଞ୍ଜାମରେ ଆଗକୁ ରାଜନୀତି କେଉଁ ଦିଶାରେ ଯିବ, ତା’ର ଭାଗ୍ୟ ନିର୍ଦ୍ଧାରଣ କରିବ ସମ୍ଭାବ୍ୟ ପୁନର୍ଗଠନ ପ୍ରକ୍ରିୟା ।

 

ସେହିପରି ପଦ୍ମପୁର, ବିଜେପୁର, ଭଟଲି, ସୁନ୍ଦରଗଡ଼, ବୀରମିତ୍ରପୁର, ରାଜଗାଙ୍ଗପୁର, ତେଲକୋଇ, ଆନନ୍ଦପୁର, ଚମ୍ପୁଆ, ମୋରଡ଼ା, ଯାଜପୁର, ମୋହନା, ବିଷମ କଟକ, ରାୟଗଡ଼ା, ମାଲକାନଗିରି, ଉତ୍ତର ଭୁବନେଶ୍ୱର, ଢେଙ୍କାନାଳ, ହିନ୍ଦୋଳ, ସୋନପୁର, ନୂଆପଡ଼ା, ଟିଟିଲାଗଡ଼, ଲୋଇସିଂହା, ଖରିଆର, ନବରଙ୍ଗପୁର, ତିର୍ତ୍ତୋଲ, ବାଲିକୁଦା-ଏରସମା, କାକଟପୁର, ନିମାପଡ଼ା, ପୁରୀ, ପିପିଲି ନିର୍ବାଚନମଣ୍ଡଳୀ ଭୋଟର ବହୁଳ ହୋଇଥିବାରୁ ଏସବୁ ଆସନରେ ଆଗକୁ ନୂଆ ଗଣିତ, ନୂଆ ରଣନୀତି ଦେଖିବାକୁ ମିଳିପାରେ ।

 

ରାଜ୍ୟରେ ବର୍ତ୍ତମାନ ୧୪୭ରୁ ୩୩ଟି ଆସନ ଅନୁସୂଚିତ ଜନଜାତି, ୨୪ଟି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଥିବାବେଳେ ୯୦ଟି ଆସନ ଅଣସଂରକ୍ଷିତ ରହିଛି । ଆସନ ସଂଖ୍ୟା ବଢ଼ିଲେ ଏ ପ୍ରକ୍ରିୟାରେ ବି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ସେତିକି ନୁହେଁ, ୨୦୨୯ ନିର୍ବାଚନରେ ଯଦି ୩୩% ମହିଳା ସଂରକ୍ଷଣ ଲାଗୁ ହେବ, ତେବେ ଆହୁରି ବଡ଼ ପରିବର୍ତ୍ତନ ଆସିବ ରାଜନୈତିକ ଗଣିତରେ ।

You may have missed