October 14, 2026

ମହିଳାଙ୍କ ଆର୍ଥିକ ସଶକ୍ତୀକରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ

IMG-20261014-WA0146
Share

 

ଖୋର୍ଦ୍ଧା : – ( ପ୍ରିୟଙ୍କା ମହାପାତ୍ର)

ଆଜି ତାରିଖ ୧୪.୧୦.୨୦୨୬ ରିଖ ବୁଧବାର ସକାଳ ୧୦ ଘଟିକା ସମୟରେ ମହିଳାମାନଙ୍କୁ ଉଦ୍ୟାନ କୃଷି କ୍ଷେତ୍ରରେ ସଶକ୍ତ କରିବା ତଥା ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ମହିଳା ସଶକ୍ତୀକରଣ ଅଧୀନସ୍ଥ ଉଦ୍ୟାନ କୃଷି ଛତୁ ମିଶନ ଅନ୍ତର୍ଗତ ଏକ ଦିବସୀୟ ଛତୁ ଚାଷ ତାଲିମ ଓ କର୍ମଶାଳା ଖୋର୍ଦ୍ଧା ଉପଖଣ୍ଡସ୍ଥିତ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଉପଖଣ୍ଡର ୬ଟି ବ୍ଲକ୍‌ରୁ ମୋଟ ୬୦ ଜଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (WSHG) ସଦସ୍ୟା ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (OUAT)ର ପ୍ରଫେସର ଶ୍ରୀ ନିରଞ୍ଜନ ଚିନ୍ନରା ମୁଖ୍ୟ ଅତିଥି ତଥା ସମ୍ବଳ ବ୍ୟକ୍ତି ଭାବେ ଯୋଗଦେଇ ଛତୁ ଚାଷର ଗୁରୁତ୍ୱ, ଏହାର ବିଭିନ୍ନ ପଦ୍ଧତି, ପୁଷ୍ଟିକର ଉପାଦେୟତା, ରୋଜଗାର ସୃଷ୍ଟିର ସମ୍ଭାବନା ଏବଂ ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବନ କ୍ଷେତ୍ରରେ ଏହାର ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।

ଏହି ଅବସରରେ ବୋଲଗଡ଼ ଅଞ୍ଚଳର ସଫଳ ଉଦ୍ୟାନ କୃଷି ଉଦ୍ୟୋଗୀ ଶ୍ରୀ ସୁକାନ୍ତ ଦଳାଇ ଛତୁ ଚାଷ ପାଇଁ ବେଡ୍ ପ୍ରସ୍ତୁତିର ପ୍ରାୟୋଗିକ ପ୍ରଦର୍ଶନ କରିଥିଲେ। ସେ ଛତୁ ଚାଷର ବିଭିନ୍ନ ପର୍ଯ୍ୟାୟ ଓ ଆବଶ୍ୟକ ସତର୍କତା ବିଷୟରେ ଉପସ୍ଥିତ ମହିଳାମାନଙ୍କୁ ତାଲିମ ପ୍ରଦାନ କରିଥିଲେ।

ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ, ଖୋର୍ଦ୍ଧା ଶ୍ରୀମତୀ ଶ୍ରୀୟା ଶାଶ୍ୱତୀ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ। ସେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଛତୁ ଚାଷ ମାଧ୍ୟମରେ ଆତ୍ମନିଯୁକ୍ତି ସୃଷ୍ଟି କରିବା, ପାରିବାରିକ ଆୟ ବୃଦ୍ଧି କରିବା ଏବଂ ଉଦ୍ୟାନ କୃଷି କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିବାକୁ ଆହ୍ୱାନ ଦେଇଥିଲେ।ଛତୁ ଚାଷ ପ୍ରତି ମହିଳାମାନଙ୍କ ଆଗ୍ରହ ବୃଦ୍ଧି କରିବା ଏବଂ ସେମାନଙ୍କୁ ଚାଷ କାର୍ଯ୍ୟ ଆରମ୍ଭ କରିବାରେ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଉପସ୍ଥିତ ସମସ୍ତ ୬୦ ଜଣ ସଦସ୍ୟାଙ୍କୁ ଛତୁ ବିହନ ବୋତଲ , ବେସନ ଓ ପଲିଥିନ୍ ଯୋଗାଇ ଦିଆଯାଇଥିଲା। ଏହି ସାମଗ୍ରୀଗୁଡ଼ିକ ସେମାନଙ୍କୁ ନିଜ ନିଜ ଅଞ୍ଚଳରେ ପ୍ରାରମ୍ଭିକ ଭାବେ ଛତୁ ଚାଷ ଆରମ୍ଭ କରିବା ସହ ଏହାକୁ ଏକ ଆୟକାରୀ ଉଦ୍ୟୋଗ ଭାବେ ଗଢ଼ିତୋଳିବା ପାଇଁ ପ୍ରୋତ୍ସାହିତ କରିବ।ଏହି କର୍ମଶାଳାରେ ବେଗୁନିଆର ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶ୍ରୀମତୀ ଚିନ୍ମୟୀ ସାହୁ, ଟାଙ୍ଗୀର ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶ୍ରୀମତୀ ରୋଜାଲିନ ସାହୁ ଏବଂ ବାଣପୁରର ସହକାରୀ ଉଦ୍ୟାନକୃଷି ଅଧିକାରୀ ଶ୍ରୀ ସନ୍ଦିପ କୁମାର ଵଢେଇ ଯୋଗଦେଇଥିଲେ। ସେମାନେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଛତୁ ଚାଷ ଗ୍ରହଣ କରିବା ଏବଂ ସରକାରୀ ଉଦ୍ୟାନ କୃଷି ଯୋଜନାର ସୁଯୋଗ ନେବା ପାଇଁ ଉତ୍ସାହିତ କରିଥିଲେ।

ଶେଷରେ ଖୋର୍ଦ୍ଧାର ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶ୍ରୀମତୀ ଗାୟତ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିବା ସମସ୍ତ ଅତିଥି, ଅଧିକାରୀ, ସମ୍ବଳ ବ୍ୟକ୍ତି ଓ ଅଂଶଗ୍ରହଣକାରୀ ମହିଳାମାନଙ୍କୁ କୃତଜ୍ଞତା ଜଣାଇଥିଲେ।

ଏହି ତାଲିମ ଓ କର୍ମଶାଳା ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଛତୁ ଚାଷ ସମ୍ପର୍କରେ ବୈଷୟିକ ଜ୍ଞାନ ଓ ପ୍ରାୟୋଗିକ ଦକ୍ଷତା ହାସଲ କରିବା ସହ ନିଜ ଅଞ୍ଚଳରେ ଛତୁ ଚାଷକୁ ଏକ ଲାଭଜନକ ଆତ୍ମନିଯୁକ୍ତିର ମାଧ୍ୟମ ଭାବେ ଗ୍ରହଣ କରିବା ପାଇଁ ଉତ୍ସାହିତ ହୋଇଥିଲେ।