October 14, 2026

ପୋଷ୍ଟକାର୍ଡରେ ହୃଦୟର ଭାବନା ଲେଖିଲେ ମନର ଡିଜିଟାଲ୍ ଡିଟକ୍ସ ହେବ: କର୍ଣ୍ଣେଲ ବିନୋଦ

IMG-20261014-WA0145
Share

 

 

ବ୍ରହ୍ମପୁର, -: ଡିଜିଟାଲ୍ ଯୁଗରେ ହାତଲେଖା ଚିଠିର ମହତ୍ତ୍ୱକୁ ପୁନର୍ଜୀବିତ କରିବା ସହ ମାନସିକ ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି ଲକ୍ଷ୍ୟରେ ଜାତୀୟ ଡାକ ସପ୍ତାହର ଦ୍ୱିତୀୟ ଦିନ ଫିଲାଟେଲି ଦିବସ ଅବସରରେ ବ୍ରହ୍ମପୁର ପରିକ୍ଷେତ୍ରର ପୋଷ୍ଟମାଷ୍ଟର ଜେନେରାଲ୍ କର୍ଣ୍ଣେଲ ବିନୋଦ କୁମାରଙ୍କ ପକ୍ଷରୁ ବ୍ରହ୍ମପୁର ଷ୍ଟାଡିୟମ୍ ଏବଂ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଅଭିନବ ଡିଜିଟାଲ୍ ଡିଟକ୍ସ ଅଭିଯାନ ଆୟୋଜିତ ହୋଇଥିଲା। ‘ଫନ୍ ୱିଥ୍ ଫିଲାଟେଲି ଡେ’ ଅବସରରେ ଆୟୋଜିତ ଏହି ଅଭିଯାନରେ ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କୁ ଚିଠି ଲେଖିବାର ଆନନ୍ଦ ଏବଂ ଏହାର ଭାବନାତ୍ମକ ମହତ୍ତ୍ୱ ସମ୍ପର୍କରେ ସଚେତନ କରାଯାଇଥିଲା।

 

କର୍ଣ୍ଣେଲ ବିନୋଦ କୁମାର କହିଥିଲେ ଯେ ଡିଜିଟାଲ୍ ମାଧ୍ୟମରେ ଯୋଗାଯୋଗ କଲେ ମଧ୍ୟ ହାତଲେଖା ଚିଠିରେ ଥିବା ଭାବନା, ସ୍ନେହ ଓ ହୃଦୟର ସ୍ପର୍ଶ ଅନୁଭବ କରିହୁଏ ନାହିଁ। ଏକ କାଗଜ ଚିଠି କେବଳ ଶବ୍ଦର ସମାହାର ନୁହେଁ, ଏଥିରେ ଲେଖକଙ୍କ ଭାବନା ଓ ଆତ୍ମୀୟତା ପ୍ରତିଫଳିତ ହୋଇଥାଏ। ଲୋକମାନେ ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ଯେତିକି ଧ୍ୟାନ ଦେଉଛନ୍ତି, ମାନସିକ ସ୍ୱାସ୍ଥ୍ୟ ପ୍ରତି ସେତିକି ଗୁରୁତ୍ୱ ଦେଉନାହାନ୍ତି। ବଢ଼ୁଥିବା ସ୍କ୍ରିନ୍ ବ୍ୟବହାର ଓ ଇଲେକ୍ଟ୍ରୋନିକ୍ ଉପକରଣ ଉପରେ ଅତ୍ୟଧିକ ନିର୍ଭରଶୀଳତା ଛାତ୍ରଛାତ୍ରୀଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି। ଏଭଳି ସ୍ଥିତିରେ ଚିଠି ଲେଖିବା ଦ୍ୱାରା କିଛି ସମୟ ପାଇଁ ଡିଜିଟାଲ୍ ଉପକରଣଠାରୁ ଦୂରେଇ ରହି ମନକୁ ଶାନ୍ତି ଦେବା ସମ୍ଭବ ବୋଲି ସେ କହିଥିଲେ।

 

ନିଜ ମାଆଙ୍କ ସହ ସକାଳେ ଷ୍ଟାଡିୟମ୍‌କୁ ଚାଲିବା ପାଇଁ ଆସିଥିବା ସୁଶ୍ରୀ ସ୍ୱାଗତିକା କହିଥିଲେ ଯେ ନିରନ୍ତର ସ୍କ୍ରିନ୍ ବ୍ୟବହାର ଦ୍ୱାରା ମସ୍ତିଷ୍କ ଉପରେ ନୂଆ ନୂଆ ସୂଚନାର ଚାପ ବଢ଼ିଥାଏ ଏବଂ ଧୀରେ ଧୀରେ ମାନସିକ ଥକାପଣ ସୃଷ୍ଟି ହୁଏ। ଅଧିକ ସମୟ ମୋବାଇଲ୍ ଓ ଅନ୍ୟ ଡିଜିଟାଲ୍ ଉପକରଣ ବ୍ୟବହାର କରିବା ଦ୍ୱାରା ଚାପ, ଉଦ୍‌ବେଗ ଓ ମାନସିକ ଦ୍ୱନ୍ଦ୍ୱ ବଢ଼ିପାରେ। କିଛି ସମୟ ପାଇଁ ଟେକ୍ନୋଲୋଜିଠାରୁ ଦୂରେଇ ରହିବା ମସ୍ତିଷ୍କକୁ ବିଶ୍ରାମ ଦେବାରେ ସହାୟକ ହୋଇଥାଏ। ଏହି ଦିଗରେ ଚିଠି ଲେଖିବା ଏକ ଉତ୍ତମ ଅଭ୍ୟାସ ବୋଲି ସେ ମତ ପ୍ରକାଶ କରିଥିଲେ।

 

ଷ୍ଟାଡିୟମ୍‌କୁ ବ୍ୟାୟାମ କରିବାକୁ ଆସିଥିବା ଛାତ୍ରଛାତ୍ରୀମାନେ ସକାଳେ ଉଠିବା ପରେ ପ୍ରଥମେ ମୋବାଇଲ୍ ନଦେଖି ନିଜ ସ୍ୱାସ୍ଥ୍ୟ ଓ ନିଜ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଧ୍ୟାନ, ଯୋଗ ଓ ପ୍ରାତଃଭ୍ରମଣକୁ ଦୈନନ୍ଦିନ ଜୀବନର ଅଂଶ କରିବା ସହ ବନ୍ଧୁମାନଙ୍କୁ ଚିଠି ଲେଖି ନିଜର ଦୈନନ୍ଦିନ ଅନୁଭୂତି ବାଣ୍ଟିବାକୁ ସେମାନେ ଆହ୍ୱାନ ଦେଇଥିଲେ।

 

ବ୍ରହ୍ମପୁର ଡାକ ମଣ୍ଡଳର ଡାକ ଅଧୀକ୍ଷକ ଶ୍ରୀ ବସନ୍ତ କୁମାର ପଣ୍ଡା ଲୋକମାନଙ୍କୁ ସକାଳେ ଷ୍ଟାଡିୟମ୍‌କୁ ଆସି ଶୀତଳ ପବନର ଆନନ୍ଦ ନେବା ସହ ପ୍ରତିଦିନ କିଛି ସମୟ ପାଇଁ ମୋବାଇଲ୍ ଓ ଅନ୍ୟ ସ୍କ୍ରିନ୍‌ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ଦୈନନ୍ଦିନ ଜୀବନରେ ‘ନୋ-ସ୍କ୍ରିନ୍ ଟାଇମ୍’ ନିର୍ଦ୍ଧାରଣ କରି ଚିଠି ଲେଖିବାର ଅଭ୍ୟାସ ଗଢ଼ି ତୋଳିବାକୁ ସେ ଆହ୍ୱାନ ଦେଇଥିଲେ।

 

ଏହି ଅଭିଯାନ ଅବସରରେ ଶତାଧିକ ଛାତ୍ରଛାତ୍ରୀ ଓ ନାଗରିକ ଡାକ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ପୋଷ୍ଟକାର୍ଡରେ ନିଜ ପ୍ରିୟଜନଙ୍କ ଉଦ୍ଦେଶ୍ୟରେ ହୃଦୟର ଭାବନା ଲେଖିଥିଲେ ଏବଂ କାର୍ଯ୍ୟକ୍ରମ ସ୍ଥଳରେ ରଖାଯାଇଥିବା ଚିଠିବାକ୍ସରେ ପକାଇଥିଲେ। ବ୍ରହ୍ମପୁର ଡାକ ମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ଶ୍ରୀ ବସନ୍ତ କୁମାର ପଣ୍ଡା ଓ ତାଙ୍କ ଟିମ୍‌ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଡିଜିଟାଲ୍ ଯୁଗରେ ମାନବୀୟ ସମ୍ପର୍କକୁ ମଜବୁତ କରିବା ସହ ଏକ ସୁସ୍ଥ ଜୀବନଶୈଳୀ ଆପଣାଇବାରେ ପାରମ୍ପରିକ ଚିଠି ଲେଖାର ଗୁରୁତ୍ୱକୁ ଏହି ଅଭିଯାନ ପୁଣିଥରେ ଉଜାଗର କରିଥିଲା।

You may have missed