ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଅଶାନ୍ତି ଆଶଙ୍କା ଶ୍ରୀ ଭରତପତି ମହାବିଦ୍ୟାଳୟରେ ବାହ୍ୟ ହସ୍ତକ୍ଷେପ ଓ ଧମକଚମକ ଅଭିଯୋଗ, ଜିଲ୍ଲାପାଳ ଓ ଏସ୍ପିଙ୍କ ହସ୍ତକ୍ଷେପ ଦାବି…
ଆସନ୍ତାକାଲି ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ନେଇ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀସ୍ଥିତ ଶ୍ରୀ ଭରତପତି ମହାବିଦ୍ୟାଳୟରେ ଉତ୍ତେଜନାର ଆଶଙ୍କା ଦେଖାଦେଇଛି। ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ କରିବା ସହ ପ୍ରାର୍ଥୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦାବିରେ ବିଭିନ୍ନ ପଦବିର ପ୍ରାର୍ଥୀମାନେ ଆଜି ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
ପ୍ରାର୍ଥୀମାନଙ୍କ ଅଭିଯୋଗ ଅନୁଯାୟୀ, ମହାବିଦ୍ୟାଳୟ ପରିସରରେ ବାହ୍ୟ ବ୍ୟକ୍ତି ଓ ଅସାମାଜିକ ତତ୍ତ୍ୱଙ୍କ ଅନଧିକୃତ ହସ୍ତକ୍ଷେପ ବଢ଼ିବା ଯୋଗୁଁ ସାଧାରଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ନିର୍ବାଚନ ପ୍ରକ୍ରିୟାରେ ସ୍ଥାନୀୟ ବିଧାୟକଙ୍କ ସିଧାସଳଖ ହସ୍ତକ୍ଷେପ ହେଉଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି।
ଏହା ସହ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କୁ ଧମକଚମକ ଦିଆଯିବା ଏବଂ ନାମାଙ୍କନ ପ୍ରତ୍ୟାହାର ପାଇଁ ଚାପ ପ୍ରୟୋଗ କରାଯାଇଥିବା ନେଇ ପ୍ରାର୍ଥୀମାନେ ଅଭିଯୋଗ ଉଠାଇଛନ୍ତି। କେତେକ ଅଧ୍ୟାପକ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ସମର୍ଥନ କରୁଥିବା ଅଭିଯୋଗ ମଧ୍ୟ ସେମାନେ ଆଣିଛନ୍ତି। ତେବେ ଏହି ଅଭିଯୋଗଗୁଡ଼ିକର ସ୍ୱତନ୍ତ୍ର ଯାଞ୍ଚ କିମ୍ବା ସମ୍ପୃକ୍ତ ପକ୍ଷଙ୍କ ପ୍ରତିକ୍ରିୟା ସମ୍ପର୍କରେ ଏଯାଏଁ ସୂଚନା ମିଳିନାହିଁ। ଛାତ୍ର ରାଜନୀତିରେ ବାହ୍ୟ ହସ୍ତକ୍ଷେପକୁ ବିରୋଧ କରି ପ୍ରାର୍ଥୀମାନେ କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର ଏବଂ ଏହା ଶିକ୍ଷାନୁଷ୍ଠାନର ଶୈକ୍ଷିକ ପରିବେଶ ମଧ୍ୟରେ ସ୍ୱଚ୍ଛ ଭାବେ ସମ୍ପନ୍ନ ହେବା ଉଚିତ। ତେଣୁ ନିର୍ବାଚନ ପୂର୍ବରୁ ମହାବିଦ୍ୟାଳୟ ପରିସରରେ ପୋଲିସ ମୁତୟନ, ବାହ୍ୟ ବ୍ୟକ୍ତିଙ୍କ ଅନଧିକୃତ ପ୍ରବେଶ ଉପରେ ରୋକ୍, ପ୍ରାର୍ଥୀଙ୍କୁ ସୁରକ୍ଷା ଏବଂ ନିର୍ବାଚନ ପ୍ରକ୍ରିୟାର ନିରପେକ୍ଷ ତଦାରଖ ପାଇଁ ସେମାନେ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସଭାପତି ପ୍ରାର୍ଥୀ ଲିମା ଶବର, ଉପସଭାପତି ପ୍ରାର୍ଥୀ ରେଶମା ପ୍ରଧାନ, ସହସମ୍ପାଦକ ପ୍ରାର୍ଥୀ ସୂରଜ ରାଉଳ ଓ କ୍ରୀଡ଼ା ସମ୍ପାଦକ ପ୍ରାର୍ଥୀ ନିତ୍ୟାନନ୍ଦ ଭୂୟାଁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଆସନ୍ତାକାଲିର ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ଏବେ ପ୍ରଶାସନ ଓ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ହୋଇଛି। ତେବେ ଏହି ଅଭିଯୋଗ ଉପରେ ସ୍ଥାନୀୟ ବିଧାୟକଙ୍କ ସହିତ ଯୋଗାଯୋଗ କରିବାରୁ ଯେଉଁଠି ବାସ୍ତବ ନାହିଁ ସେଥିରେ ପ୍ରତିକ୍ରିୟା ଦେବାର କିଛି ଆବଶ୍ୟକ ନାହିଁ ଏବଂ ଯେଉଁମାନେ ବିଜୁ ଛାତ୍ର ଜନତା ଦଳ ତରଫରୁ ଲଢ଼ୁଛନ୍ତି ସେମାନଙ୍କ ବିରୋଧରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କୁ ଆମର ସହଯୋଗ ରହିବ ବୋଲି କହିଛନ୍ତି।(ଶୁଭଶ୍ରୀ ପ୍ରଧାନ )
