୧୦୮ ବର୍ଷର ଐତିହ୍ୟରେ ଝଲସିବ କାଳୀବାଡ଼ି ୧୯୧୮ରୁ ୨୦୨୬ ପରମ୍ପରା, ଆସ୍ଥା ଓ ଆପଣାପଣର ଅନନ୍ୟ ସଙ୍ଗମ
ଅକ୍ଟୋବର ୧୬ରୁ ୨୧ ପର୍ଯ୍ୟନ୍ତ ଷଷ୍ଠୀରୁ ଦଶମୀ ଯାଏଁ ବିଭିନ୍ନ ପୂଜାବିଧି ଓ ଧାର୍ମିକ କାର୍ଯ୍ୟକ୍ରମ
ସମ୍ବଲପୁର, ୧୪/୧୦: ଆସ୍ଥା, ଭକ୍ତି, ପରମ୍ପରା ଓ ସାଂସ୍କୃତିକ ଏକତାର ଅନନ୍ୟ ପ୍ରତୀକ ସମ୍ବଲପୁର କାଳୀବାଡ଼ିର ୧୦୮ତମ ଦୁର୍ଗା ଉତ୍ସବ-୨୦୨୬ ପାଳନ ପାଇଁ ପ୍ରସ୍ତୁତି ଚାଲିଛି। ଦୀର୍ଘ ୧୦୮ ବର୍ଷର ଗୌରବମୟ ଇତିହାସକୁ ନେଇ ଏହି ଐତିହାସିକ ପୂଜା ମଣ୍ଡପ ପୁଣିଥରେ ଭକ୍ତିମୟ ହେବାକୁ ଯାଉଛି। ଆସନ୍ତା ଅକ୍ଟୋବର ୧୬ ତାରିଖ ଷଷ୍ଠୀଠାରୁ ୨୧ ତାରିଖ ଦଶମୀ ପର୍ଯ୍ୟନ୍ତ ବିଭିନ୍ନ ପାରମ୍ପରିକ ପୂଜାବିଧି, ପୁଷ୍ପାଞ୍ଜଳି, ଆରତୀ, ସନ୍ଧିପୂଜା, ହୋମଯଜ୍ଞ ଓ ସିନ୍ଦୂର ଖେଳା ଆଦି କାର୍ଯ୍ୟକ୍ରମ ଆୟୋଜିତ ହେବ।୧୯୧୮ ମସିହାରୁ ଆରମ୍ଭ ହୋଇଥିବା କାଳୀବାଡ଼ିର ଏହି ଦୁର୍ଗାପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ସମ୍ବଲପୁରର ବହୁଭାଷୀ ଓ ବହୁସଂସ୍କୃତିକ ସାମାଜିକ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟ। ନିଜର ବଙ୍ଗୀୟ ପରମ୍ପରାକୁ ଅକ୍ଷୁଣ୍ଣ ରଖି ସମସ୍ତଙ୍କୁ ଆପଣାର କରିବାର ଉଦାହରଣ ସୃଷ୍ଟି କରିଛି କାଳୀବାଡ଼ି। ପ୍ରତିଷ୍ଠାତା ଟ୍ରଷ୍ଟି ଓ ପୂର୍ବପୁରୁଷଙ୍କ ତ୍ୟାଗ, ନିଷ୍ଠା ଓ ସମର୍ପଣରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ଏକ ସମୃଦ୍ଧ ସାଂସ୍କୃତିକ ଐତିହ୍ୟରେ ପରିଣତ ହୋଇଛି।କାଳୀବାଡ଼ିର ଦୁର୍ଗାପୂଜାର ମୁଖ୍ୟ ଆକର୍ଷଣ ହେଉଛି ପାରମ୍ପରିକ ବଙ୍ଗୀୟ ରୀତିନୀତି। ମହାନଦୀ କୂଳରେ କଳାବଉ ସ୍ନାନ, ନବପତ୍ରିକା ପ୍ରବେଶ, ଏକଚାଳା ମୃଣ୍ମୟୀ ପ୍ରତିମା, ଧାକର ଧ୍ୱନି, ସନ୍ଧିପୂଜା, ଧୁନୁଚି ନୃତ୍ୟ, ଅପରାଜିତା ପୂଜା ଓ ଦଶମୀର ସିନ୍ଦୂର ଖେଳା ଏହି ଉତ୍ସବକୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରେ। ମା’ଙ୍କ ବିସର୍ଜନ ସମୟରେ ଭକ୍ତମାନେ କାନ୍ଧରେ ପ୍ରତିମା ବହନ କରି ମହାନଦୀ କୂଳକୁ ନେବାର ପରମ୍ପରା ମଧ୍ୟ ଏହି ପୂଜାର ଅନ୍ୟତମ ବିଶେଷତ୍ୱ।
କାଳୀବାଡ଼ିର ଇତିହାସ ଧାର୍ମିକ ପରମ୍ପରା ସହିତ ନାଟକ, ସଙ୍ଗୀତ ଓ ସାହିତ୍ୟର ସମୃଦ୍ଧ ଧାରାକୁ ମଧ୍ୟ ବହନ କରେ। ୧୯୬୮ରେ ସୁବର୍ଣ୍ଣ ଜୟନ୍ତୀ, ୧୯୯୩ରେ ପ୍ଲାଟିନମ୍ ଜୁବିଲି ଏବଂ ୨୦୧୮ରେ ଶତବର୍ଷ ପୂର୍ତ୍ତି ଉତ୍ସବ ଏହାର ଇତିହାସର ଉଲ୍ଲେଖନୀୟ ମାଇଲଖୁଣ୍ଟ। ଏହି ଦୀର୍ଘ ଯାତ୍ରାରେ ଅନେକ ଟ୍ରଷ୍ଟି, ପୂଜା କମିଟିର କର୍ମକର୍ତ୍ତା, ପୂଜାରୀ, ସେବକ, ଦାତା ଓ ଶୁଭେଚ୍ଛୁଙ୍କ ଅବଦାନ ରହିଛି।
ଏହି ରହିଛି ପୂଜା୧୬ ଅକ୍ଟୋବର, ସକାଳ ୭ଟାରେ ଷଷ୍ଠୀ ପୂଜା, ଅପରାହ୍ଣ ୨ଟା ୩୦ରେ ବେଦୀ ଓ ନବପତ୍ରିକା ପ୍ରସ୍ତୁତି ଏବଂ ସନ୍ଧ୍ୟା ୭ଟାରେ ବୋଧନ, ଆମନ୍ତ୍ରଣ ଓ ଅଧିବାସ ଅନୁଷ୍ଠିତ ହେବ।
୧୭ ଅକ୍ଟୋବର, ସପ୍ତମୀରେ ଭୋର ୪ଟା ୩୦ରେ କଳାବଉ ସ୍ନାନ, ସକାଳ ୮ଟାରେ ସଙ୍କଳ୍ପ ପୂଜା, ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପୁଷ୍ପାଞ୍ଜଳି ଏବଂ ମଧ୍ୟାହ୍ନ ୧୨ଟାରେ ଭୋଗ ଓ ଆରତୀ ହେବ।୧୮ ଅକ୍ଟୋବର ପ୍ରଦତ୍ତ କାର୍ଯ୍ୟସୂଚୀ ଅନୁସାରେ ଭୋର ୫ଟା ୧୯ରୁ ୫ଟା ୫୩ ମଧ୍ୟରେ ଅଧିକ ପୂଜା, ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପୁଷ୍ପାଞ୍ଜଳି ଏବଂ ମଧ୍ୟାହ୍ନ ୧୨ଟାରେ ଭୋଗ ଓ ଆରତୀ ଅନୁଷ୍ଠିତ ହେବ।
ସେହିପରି ୧୯ ଅକ୍ଟୋବର, ମହାଅଷ୍ଟମୀ ସକାଳ ୬ଟା ୪୦ରୁ ସନ୍ଧିପୂଜା ପ୍ରସ୍ତୁତି, ୭ଟା ୨୬ରେ ସନ୍ଧିପୂଜା, ୭ଟା ୫୦ରେ ୧୦୮ ଦୀପ ପ୍ରଜ୍ୱଳନ ଏବଂ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପୁଷ୍ପାଞ୍ଜଳି ହେବ। ମଧ୍ୟାହ୍ନ ୧୨ଟାରେ ଭୋଗ ଓ ଆରତୀ ଅନୁଷ୍ଠିତ ହେବ।୨୦ ଅକ୍ଟୋବର, ମହାନବମୀ ଦିନ ସକାଳ ୭ଟା ୩୦ରୁ ନବମୀ ପୂଜା, ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପୁଷ୍ପାଞ୍ଜଳି, ମଧ୍ୟାହ୍ନ ୧୨ଟାରେ ଭୋଗ ଓ ଆରତୀ ଏବଂ ୧୨ଟା ୩୦ରୁ ହୋମଯଜ୍ଞ ପ୍ରସ୍ତୁତି କରାଯିବ।୨୧ ଅକ୍ଟୋବର, ଦଶମୀ ସକାଳ ୭ଟାରେ ଦଶମୀ ପୂଜା, ସକାଳ ୮ଟା ୩୦ରେ ବିସର୍ଜନ ଓ ଅପରାଜିତା ପୂଜା ଏବଂ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସିନ୍ଦୂର ଖେଳା ଅନୁଷ୍ଠିତ ହେବ।କାଳୀବାଡ଼ିର ଏହି ୧୦୮ତମ ଦୁର୍ଗା ଉତ୍ସବ କେବଳ ଅତୀତର ଗୌରବକୁ ସ୍ମରଣ କରିବାର ଅବସର ନୁହେଁ, ବରଂ ଏହି ଐତିହ୍ୟକୁ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖିବାର ଏକ ସଂକଳ୍ପ। ନିଜର ମୂଳ ସଂସ୍କୃତିକୁ ସମ୍ମାନ ଦେବା ସହ ସମ୍ବଲପୁରର ସାମାଜିକ ଜୀବନ ସହ ଆତ୍ମୀୟତାର ସମ୍ପର୍କକୁ ଆହୁରି ସୁଦୃଢ଼ କରିବାର ବାର୍ତ୍ତା ଦେଉଛି ଏହି ଐତିହାସିକ ଅନୁଷ୍ଠାନ।ମା’ ଦୁର୍ଗାଙ୍କ ଆଶୀର୍ବାଦରେ କାଳୀବାଡ଼ିର ଏହି ଗୌରବମୟ ପରମ୍ପରା ଆଗାମୀ ଦିନରେ ଆହୁରି ସମୃଦ୍ଧ ହେଉ ଏହା ହିଁ ସମସ୍ତଙ୍କ କାମନା।
