April 27, 2026

ଲାଞ୍ଜିଗଡରେ ବ୍ଳକ୍, ତହସିଲ ଓ ସବରେଜିଷ୍ଟାର ଅଫିସ ସ୍ଥାପନ ଦାବିରେ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ..

IMG-20251014-WA0006
Share

ଲାଞ୍ଜିଗଡ (13/10/2025)) ଲାଞ୍ଜିଗଡରେ ବ୍ଳକ୍, ତହସିଲ ଓ ସବରେଜିଷ୍ଟାର ଅଫିସ ସ୍ଥାପନ ଦାବିରେ ଆଜି ଅଞ୍ଚଳବାସୀଙ୍କ ତରଫରୁ ଲାଞ୍ଜିଗଡ ଠାରେ ଏକ ଶୋଭାଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ ହେବା ସହ ସ୍ଥାନୀୟ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆଜି ପୂର୍ବାହ୍ନ ଏଗାରଟା ବେଳେ ଅବସରପ୍ରାପ୍ତ ଶିକ୍ଷକ ଉଦୟ କୁମାରଙ୍କ ନେତୣତ୍ଵରେ ସ୍ଥାନୀୟ ରଜାପଡା ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ହାଟପଦା ଠାରେ ପହଞ୍ଚିଥିଲା । ସେଠାରେ ଅନୁଷ୍ଠିତ ସମାବେଶରେ ଅଖିଳ ଭାରତ କିଶାନ୍ ମଜଦୁର ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡଙ୍ଗୀ, ଆଞ୍ଚଳିକ ପରିବେଶ ସୁରକ୍ଷା ସଂଘର ଆବାହକ ସତ୍ୟ ନାରାୟଣ ରାଓ, ସାମାଜିକ କର୍ମୀ ବିଜୟ ପରିଡା ପ୍ରମୁଖ ଯଥକ୍ରମେ ମୁଖ୍ୟ ଅତିଥି ଓ ବକ୍ତା ଭାବେ ଯୋଗ ଦେଇଥିଲେ । ଲାଞ୍ଜିଗଡରେ ଗତ ଦୁଇ ଦଶକ ମଧ୍ୟରେ ବେଦାନ୍ତର ବୣହତ ଶିଳ୍ପ ସ୍ଥାପନ ସତ୍ୱେ ଅଞ୍ଚଳରେ ଶିକ୍ଷା, ସ୍ଵାସ୍ଥ୍ୟସେବା ଓ ଲୋକଙ୍କ ଆର୍ଥିକ ବିକାଶ ଆଦୌ ହୋଇ ପାରିନାହିଁ ବୋଲି ବକ୍ତାମାନେ କହିଥିଲେ । ଆଦିବାସୀ ବହୁଳ ଲାଞ୍ଜିଗଡ ଅଞ୍ଚଳରେ ହଜାର ହଜାର ଲୋକ ବସବାସ କରୁଥିବା ବେଳେ ଏଠାରେ ବ୍ଲକ କିମ୍ବା ତହସିଲ ପ୍ରତିଷ୍ଠା ନହେବା ଦୁଃର୍ଭାଗ୍ୟଜନକ ବୋଲି କହିଥିଲେ । ଏଠାରେ ସବ ରେଜିଷ୍ଟ୍ରାର ଅଫିସ ନଥିବାରୁ ଅଞ୍ଚଳବାସୀ ଜମି କିଣାବିକା ସମୟରେ ରେଜିଷ୍ଟ୍ରସନ ପାଇଁ ଦୀର୍ଘ ନବେ କିମି ଦୂରରେ ଥିବା ମଦନପୁର ରାମପୁର ଖର୍ଚ୍ଚାନ୍ତ ହୋଇ ଯିବାକୁ ପଡୁଛି ବୋଲି କହିଥିଲେ । ଏହା ସହ ବ୍ରିଟିଶ ଅମଳରୁ ଲାଞ୍ଜିଗଡରେ ହାଇସ୍କୁଲ ଥିବା ସତ୍ୱେ ବାରମ୍ବାର ଦାବୀ ସତ୍ୱେ ସରକାର ତାକୁ ଉନ୍ନୀତ କରି ଯୁକ୍ତ ଦୁଇ ଶ୍ରେଣୀ ନଖୋଲିବା ଫଳରେ ଏଠାକାର ହଜାର ହଜାର ଛାତ୍ରଛାତ୍ରୀ ଅସୁବିଧର ସମ୍ମୁଖୀନ ହେଉଛନ୍ତି ବୋଲି କୁହାଯାଇଥିଲା ।

 

କାର୍ଯ୍ୟକ୍ରମ ଶେଷରେ ଶତାଧିକ ଲୋକ ଏକ ଶୋଭାଯାତ୍ରାରେ ବିଶ୍ଵନାଥପୁର ଠାରେ ପହଂଚି ସ୍ଥାନୀୟ ବିଡିଓଙ୍କୁ ଦଶ ଦଫା ସମ୍ଵଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଦାବିଗୁଡିକ ନ୍ୟାୟ ସଙ୍ଗତ ଓ ଲୋକଙ୍କ ସ୍ଵାର୍ଥରେ ଉଦ୍ଦିଷ୍ଟ ଥିବାରୁ ସେସବୁକୁ ତୁରନ୍ତ ପୂରଣ ନକଲେ ଆଗାମୀ ଦିନରେ ସ୍ଥାନୀୟ ଲୋକମାନେ୍ଙ୍କ ପକ୍ଷରୁ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା ।

ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଦ୍ମନାଭ ଚୌଧୁରୀ, ପୁରନ୍ଦର ଦଣ୍ତସେନା, ବନମାଳୀ ମାଝି, ପୂର୍ଣ୍ଣ ମାଝୀ, ଘସୀ ଗଉଡ, କୁଶ ଗଉଡ, ଅର୍ଜୁନ ଗଉଡ, ଅର୍ଜୁନ ଚଣ୍ଡୀ, ପୂର୍ଣ୍ଣ ନାୟକ, କନୀନ୍ଦ୍ର ଜାଲିକା, ଲତକ ମାଝୀ, ପ୍ରଶାନ୍ତ ସିକକା, ସନ୍ତୋଷ ନାୟକ, ସନ୍ତୋଷ ପେସନିଆ, ଦିଲ୍ଲୀପ କୁମାର, ମକସିର ନାୟକ ପ୍ରମୁଖ ଯୋଗ ଦେଇଥିଲେ ।ଲାଞ୍ଜିଗଡ଼,ପୁରନ୍ଦର ଦଣ୍ଡସେନା,/ ନ୍ୟୁଜ୍ ଉପାନ୍ତ ଖବର