April 29, 2026

ମରଣ ଯନ୍ତାରେ ହାଟବସ୍ତ ଡ୍ରେନେଜ।

IMG-20230914-WA0020
Share

ମରଣ ଯନ୍ତାରେ ହାଟବସ୍ତ ଡ୍ରେନେଜ।

ବୋଲଗଡ଼,୧୪/୦୯(ଉପାନ୍ତ ଓଡିଶା):ବୋଲଗଡ଼ ବ୍ଲକ୍ ବଡ଼କୁମାରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ହାଟବସ୍ତ ଗ୍ରାମର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଡ୍ରେନେଜ୍ ବ୍ୟବସ୍ଥା ବର୍ଷବର୍ଷ ଧରି ସୁଧୁରିପାରୁନି l ଫଳରେ ବର୍ଷାପାଣି ନିଷ୍କାସନ ହୋଇ ନପାରି ଗ୍ରାମ ମଧ୍ୟ ଦେଇ ଯାଇଥିବା ପୂର୍ତବିଭାଗ ରାସ୍ତା ଉପରେ ସଦାସର୍ବଦା ଜମିରହିଥିବା ବର୍ଷାଜଳ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ରାସ୍ତାପାର୍ଶ୍ବରେ ଥିବା ବିପର୍ଯ୍ୟସ୍ତ ଡ୍ରେନ୍ ଉପରେ ନିରାପତ୍ତା ସିମେଣ୍ଟ ଢାଙ୍କୁଣୀ ନଥିବା ବେଳେ ସାହି ରାସ୍ତାର ସଂଯୋଗ ସ୍ଥାନରେ ଥିବା ନିମ୍ନମାନର ସିମେଣ୍ଟ ଢାଙ୍କୁଣୀଗୁଡ଼ିକ ଭାଙ୍ଗିରୁଜି ଗଲାଣି।ଫଳରେ ଡ୍ରେନେଜ୍‌ ବ୍ୟବସ୍ଥା ଥାଇ ମଧ୍ୟ ନଥିବା ଭଳି ମନେହେଉଛି । ଡ୍ରେନ୍‌ରେ ଜମି ରହୁଥିବା ବର୍ଷାପାଣି ଓ ଅଳିଆ ଆବର୍ଜନା ପଚି ଦୁର୍ଗନ୍ଧବାହାରୁଛି l ସାମାନ୍ୟ ବର୍ଷା ହେଲେ ବର୍ଷା ଜଳ ନିଷ୍କାସନ ହୋଇନପାରି ପାଣିରେ ପୋକ, ଜୀବାଣୁ ଜନ୍ମ ହୋଇ ବିଭିନ୍ନ ପ୍ରକାର ସଂକ୍ରମଣ ରୋଗ ବ୍ୟାପିବାର ଆଶଙ୍କା ବଢ଼ିଚାଲିଛି। ମଶା, ମାଛିଙ୍କ ପ୍ରାଦୁର୍ଭାବ ବି ବୃଦ୍ଧିପାଉଛି। ପ୍ରକାଶଯୋଗ୍ୟ ଯେ, ରାଜସୁନାଖଳା ଆଡୁ ହାଟବସ୍ତ ଗ୍ରାମ ଦେଇ ଧଳାପଥର ପର୍ଯ୍ୟନ୍ତ ଯାଇଥିବା ରାସ୍ତାଟି ସ୍ଥାନୀୟ ବାସୀନ୍ଦାଙ୍କ ଗମନାଗମନ ପାଇଁ ଜୀବନ ରେଖା ସଦୃଶ। ଗ୍ରାମର ଦକ୍ଷିଣ ମୁଣ୍ଡରୁ ଉତ୍ତର ଦିଗକୁ ରାସ୍ତାଟି ଯାଇଥିବା ବେଳେ ଗ୍ରାମର ପ୍ରତ୍ୟେକ ସାହିକୁ ଏହା ସଂଯୋଗ କରୁଛି। ଗ୍ରାମର ସାହିଗୁଡ଼ିକର ବର୍ଷା ଜଳ ଏହି ମୁଖ୍ୟ ରାସ୍ତା ପାର୍ଶ୍ଵ ଡ୍ରେନ୍ ଦେଇ ନିଷ୍କାସିତ ହୋଇଥାଏ। ତେବେ ଡ୍ରେନେଜ୍‌ ବ୍ୟବସ୍ଥା ସୁଦୃଢ଼ ନଥିବାରୁ ବର୍ଜ୍ୟଜଳ ନିଷ୍କାସିତ ହୋଇ ନପାରି ଦେଶ ସାହି ମୁଣ୍ଡରେ ଥିବା ହନୁମାନ ମନ୍ଦିର, ବଡ଼ସାହି ନିକଟରେ ଥିବା ମାଣିକପୁର ରାସ୍ତା ସଂଯୋଗ ସ୍ଥଳ ରେ ନିଷ୍କାସିତ ହେଉଛି। ଫଳରେ ସାମାନ୍ୟ ବର୍ଷାରେ ବର୍ଜ୍ୟଜଳ ଗ୍ରାମ ରାସ୍ତା ଉପରେ ହିଁ ପ୍ରବାହିତ ହେଉଛି ଏବଂ ଖାଲୁଆ ସ୍ଥାନମାନଙ୍କରେ ଜମି ରହୁଛି। ସାହି ଗୁଡ଼ିକୁ ପ୍ରବେଶ ସ୍ଥାନରେ ଡ୍ରେନ୍ ଉପରେ ଥିବା କଂକ୍ରିଟ୍ ଢାଙ୍କୁଣୀ ଭାଙ୍ଗି ନଷ୍ଟ ହୋଇଗଲାଣି।ଫଳରେ ଯାତାୟତ ପାଇଁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ୁଛି । ଦେଶ ସାହି ଓ ମୂଳ ସାହି ସଂଯୋଗ ସ୍ଥାନ ରେ ଡ୍ରେନ୍ ଉପରେ ଥିବା ଢାଙ୍କୁଣୀ ବ୍ୟବସ୍ଥା ମଧ୍ୟ ବ୍ୟପର୍ଯ୍ୟସ୍ତ ହୋଇପଡ଼ିଛି। ମାଣିକପୁରକୁ ସଂଯୋଗ କରୁଥିବା ରାସ୍ତାରେ ମଧ୍ୟ ଏଭଳି ପରିସ୍ଥିତି ଲାଗି ରହୁଛି। ଏଣୁ ଏଥିପ୍ରତି ତୁରନ୍ତ ଧ୍ୟାନ ଦେବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।