ବି.ଜେ.ଡ଼ି ତରଫରୁ ଲକ୍ଷ୍ମୀ ବସ ପୁନଃ ଚଳାଚଳ ପାଇଁ ଧର୍ମଗଡ଼ ଉପଜିଲ୍ଲାପାଳ ଓ ବି.ଡ଼ି.ଓଙ୍କୁ ଦାବି ପତ୍ର ପ୍ରଦାନ।
ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ବିଗତ ସରକାରଙ୍କ ସମୟରେ ସମଗ୍ର ଓଡ଼ିଶାରେ ପୂରପଲ୍ଲୀର ଜନତାଙ୍କ ଗମନାଗମନ ସୁବିଧା ନିମନ୍ତେ ଲକ୍ଷ୍ମୀ ବସ ଚଳାଚଳ ଆରମ୍ଭ କରାଯାଇଥିଲା ଏବଂ ଓଡିଶାର ଆଭ୍ୟନ୍ତରୀଣ ଗ୍ରାମର ଲୋକେ ସ୍ୱଳ୍ପ ମୂଲ୍ୟରେ ଯାତ୍ରାର ସୁବିଧା ମଧ୍ୟ ପାଉଥିଲେ। ଏହି ପରିପେକ୍ଷିରେ ବିଗତ ସରକାରଙ୍କ ଦ୍ୱାରା କଳାହାଣ୍ଡି ଜିଲ୍ଲାକୁ ୬O ଟି ବସ ଦିଆଯାଇଥିଲା। କିନ୍ତୁ ଚଳିତ ଅର୍ଥ ଅଭାବି ସରକାରଙ୍କ ଯୋଗୁଁ ଜିଲ୍ଲାର ଅଧାରୁ ଅଧିକ ଲକ୍ଷ୍ମୀ ବସ ଭବାନୀପାଟଣା ବସଷ୍ଟାଣ୍ଡରେ ଠିଆ ହୋଇରହିଥିବା ଦେଖିବାକୁ ମିଳୁଛି। ଯାହାଫଳରେ ଜିଲ୍ଲାର ଶତାଧିକ ପଞ୍ଚାୟତର ଲୋକେ ସୁବିଧାରେ ଗମନାଗମନ କରିବାରୁ ବଞ୍ଚିତ ହେଉଥିବାବେଳେ, ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ତେଣ୍ଡାପାଲୀ ଓ ବଡ଼ଫୁର୍ଲା ପଞ୍ଚାୟତ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ।ଗତ ଚାରି ତାରିଖରେ ବି.ଜେ.ଡି ପକ୍ଷରୁ ତେଣ୍ଡାପାଲି ପଞ୍ଚାୟତର ତେଣ୍ଡାପାଲି ଠାରେ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ଚାଲିଥିବାବେଳେ, ତେଣ୍ଡାପାଲି ଓ ବଡ଼ଫୁର୍ଲା ପଞ୍ଚାୟତର ଲୋକେ ପୁନଃ ଲକ୍ଷ୍ମୀ ବସ ଚଳାଚଳ କରାଇବା ପାଇଁ ଅନୁରୋଧ କରିଥିଲେ। ବୈଠକରେ ଉପସ୍ଥିତ ବିଜେଡି କର୍ମକର୍ତ୍ତା ମାନେ ପଞ୍ଚାୟତ ବାସୀଙ୍କ ଅନୁରୋଧକୁ ଗମ୍ଭୀରତାର ସହ ଗ୍ରହଣ କରି, ଗତକାଲି ବିଜେଡି ବ୍ଲକ ସଭାପତି ଶ୍ରୀ ଡାକେ ଲହଜଲଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲା ଉପସଭାପତି ଶ୍ରୀ ଥବିର ସାହୁ, ମହିଳା ସଭାନେତ୍ରୀ ମମତାରାଣୀ ଗୋପାଳ, ଆଇନଜୀବୀ ରାଜେନ୍ଦ୍ର ମୁନି, ସନ୍ତୋଷ ପାଢ଼ୀ, ପ୍ରମୋଦ ହଂସ, ରତନ ନାଏକ, ନବକିଶୋର ମେହେର ତଥା ପୂର୍ଣଚନ୍ଦ୍ର ମେହେର ପ୍ରମୁଖ, ତେଣ୍ଡାପାଲି ପଞ୍ଚାୟତର ତେଣ୍ଡାପାଲି, ଛୋଟ ଗୋହିରା, ସାନକେନ୍ଦୁଗୁଡା, ପଦ୍ମପୁର ତଥା ଶାଗବାହାଲି ଗ୍ରାମ ଏବଂ ବଡ଼ଫୁର୍ଲା ପଞ୍ଚାୟତର ବଡ଼ଫୁର୍ଲା ଓ ବିରମାଲ ଗ୍ରାମକୁ ଅତି ଶୀଘ୍ର ଲକ୍ଷ୍ମୀ ବସ ଚଳାଚଳ କରାଯାଉ ବୋଲି ଲିଖିତ ଦାବିପତ୍ର ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ଏବଂ ବିଡ଼ିଓଙ୍କୁ ପ୍ରଦାନ କରିଛନ୍ତି। ଏଥିସହ ଯଦି ପ୍ରଶାସନ ଏଦିଗରେ ଶୀଘ୍ର ପଦକ୍ଷେପ ଗ୍ରହଣ ନକରେ, ତାହାହେଲେ ଆଗାମୀ ଦିନରେ ବିଜେଡି ଦଳ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଚେତାବନି ଦେଇଛନ୍ତି।
