ଗଣ୍ଠିଆପାଲି ରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ (ମାନବ ସେବା ହିଁ ମାଧବ ସେବା )
(ବରଗଡ଼ ,ସୁରେନ୍ଦ୍ର କଠାର )
ସେପ୍ଟେମ୍ବର ମାସର ଦ୍ୱିତୀୟ ଶନିବାର ଅବସରରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ,ଗଣ୍ଠିଆପାଲି , ବ୍ଲକ୍-ବିଜେପୁର, ଜିଲ୍ଲା-ବରଗଡ଼ ଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା, ଭୁବନେଶ୍ୱର ଏବଂ ଜୁନିଅର ରେଡକ୍ରସ ସୋସାଇଟି, ବରଗଡ଼ର ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଚଳିତ ବର୍ଷର ବିଷୟବସ୍ତୁ “ପ୍ରବାସନ ପରିପ୍ରେକ୍ଷୀରେ ପ୍ରାଥମିକ ଚିକିତ୍ସା” (First-Aid in Migration Contexts) ରହିଛି। କାର୍ଯ୍ୟକ୍ରମରେ ରେଡକ୍ରସର ପ୍ରତିଷ୍ଠାତା ହେନ୍ରୀ ଡୁନାଣ୍ଟଙ୍କ ଜୀବନୀ ଏବଂ ରେଡକ୍ରସର ମହତ୍ତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯାଇଥିଲା।
ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା ବାକ୍ସର ବ୍ୟବହାର, କ୍ଷତସ୍ଥାନରେ ବ୍ୟାଣ୍ଡେଜ୍ ବାନ୍ଧିବା, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇବା, ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସକୁ ଫୋନ୍ କରିବା, ରକ୍ତସ୍ରାବ, ଅସ୍ଥିଭଙ୍ଗ ଓ ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ତାଲିମ ଓ ସଚେତନତା ପ୍ରଦାନ କରାଯାଇଥିଲା। ଏଥିସହ “Be Ready, Save Lives” ବାର୍ତ୍ତା ମାଧ୍ୟମରେ ସମସ୍ତଙ୍କୁ ଜରୁରୀ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ ପାଣିଗ୍ରାହୀଙ୍କ ପରାମର୍ଶକ୍ରମେ ଏବଂ ବରଗଡ଼ ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ଶ୍ରୀ ହେମନ୍ତ କୁମାର ସାମଲଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହଯୋଗରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।
