ନବରଙ୍ଗପୁର ଜିଲ୍ଲା ରେ ଚାକିରି ନାଁରେ ୨୦ରୁ ଊର୍ଦ୍ଧ୍ବ ଆଦିବାସୀ ଯୁବକଙ୍କୁ ଠକେଇ, କ୍ରୀଡ଼ା ଶିକ୍ଷକ ଗିରଫ………
ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଚାକିରି କରାଇଦେବା ନାଁରେ ୨୦ରୁ ଊର୍ଦ୍ଧ୍ବ ଆଦିବାସୀ ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଜଣେ କ୍ରୀଡ଼ା ଶିକ୍ଷକ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ନବରଙ୍ଗପୁର ଗୌଡ଼ ସାହିର ଆଶୁତୋଷ ଗନ୍ତାୟତ। ସେ ପାପଡ଼ାହାଣ୍ଡି ବ୍ଲକ୍ ଜଟାବାଲ ଆଶ୍ରମ
ବିଦ୍ୟାଳୟରେ କ୍ରୀଡ଼ା ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ଗତ ଜାନୁଆରୀ ମାସରେ ଆଶୁତୋଷ ଡାବୁଗାଁ ଥାନା ଅଧୀନ ଗରୁଡ଼ଗୁଡ଼ା ଗ୍ରାମକୁ ଯାଇ ସେଠାକାର ଯୁବକମାନଙ୍କୁ ବିଭିନ୍ନ ସଂସ୍ଥାରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ କଥାକୁ ବିଶ୍ୱାସ କରି ଚାକିରି ଆଶାରେ ଜଣେ ଜଣେ ଯୁବକ ୨୫ ହଜାରରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀଙ୍କ କହିବା ଅନୁସାରେ, ଗରୁଡ଼ଗୁଡ଼ା ଅଞ୍ଚଳରେ ଚାଲୁଥିବା କୁକୁଡ଼ା ଲଢ଼େଇ ଦେଖିବାକୁ ଆଶୁତୋଷ ବାରମ୍ବାର ଆସୁଥିଲେ। ଏହି ସମୟରେ ଯୁବକମାନଙ୍କ ସହ ତାଙ୍କର ପରିଚୟ ଓ ସମ୍ପର୍କ ଗଢ଼ି ଉଠିଥିଲା। ଚାକିରି ପାଇବା ଆଶାରେ ଯୁବକମାନେ ଟଙ୍କା ଦେଇଥିଲେ। ହେଲେ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ କେହି ଚାକିରି ନପାଇବାରୁ ଯୁବକମାନେ ନବରଙ୍ଗପୁର ଯାଇ ଆଶୁତୋଷଙ୍କୁ ପଚରାଉଚରା କରିଥିଲେ। ପରେ ଠକେଇ ହୋଇଥିବା ଅଭିଯୋଗ କରି ବୁଧବାର ରାତିରେ ଯୁବକମାନେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ଏନେଇ ଡାବୁଗାଁ ଥାନାରେ କେସ୍ ନମ୍ବର ୨୧୩/୨୦୨୬ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଅଭିଯୁକ୍ତ କ୍ରୀଡ଼ା ଶିକ୍ଷକ ଆଶୁତୋଷ ଗନ୍ତାୟତଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ଗିରଫ କରିଛି। ତାଙ୍କ ବିରୋଧରେ ବିଏନଏସ୍ର ଧାରା ୩୧୮(୪) ଅନୁଯାୟୀ ମାମଲା ରୁଜୁ ହୋଇଥିବା ଥାନା ସୂତ୍ରରୁ ସୂଚନା ମିଳିଛି। ପୁଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ତେବେ ଗରୁଡ଼ଗୁଡ଼ା ଗ୍ରାମ ସମେତ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରୁ ମଧ୍ୟ ଆଦିବାସୀ ଯୁବକମାନଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଟଙ୍କା ନେଇଥିବା ଅଭିଯୋଗ ରହିଥିବାରୁ ଏହାର ମଧ୍ୟ ତଦନ୍ତ ହେବା ଆବଶ୍ୟକ ବୋଲି ଦାବି ହେଉଛି। ଅଭିଯୁକ୍ତ ଗିରଫ ହୋଇଥିବାରୁ ଅଭିଯୋଗକାରୀ ଯୁବକମାନଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି। କିନ୍ତୁ ଚାକିରି ଆଶାରେ ଦିଆଯାଇଥିବା ଟଙ୍କା ସେମାନେ କେବେ ଫେରିପାଇବେ, ତାହା ଏବେ ବଡ଼ ପ୍ରଶ୍ନ ହୋଇ ରହିଛି।
