June 29, 2026
IMG-20240913-WA0018
Share

               କଳାହାଣ୍ଡିର ନବାନ୍ନ ପର୍ବ ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ):ପଶ୍ଚିମ ଓଡ଼ିଶାର ମୁଖ୍ୟ ପର୍ବମାନଙ୍କ ମଧ୍ୟରେ ନୁଆଁଖାଇ ଗୋଟେ। ଖାସକରି ସମଗ୍ର ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ଏହି ପର୍ବ ଧୂମଧାମରେ ପାଳନ କରାଯାଏ। ଏହି ନୂଆଁଖାଇ ପର୍ବର ଇତିହାସ ଅତି ପ୍ରାଚୀନ। କେଉଁ ଆଦିମ କାଳରୁ ଏହି ପର୍ବ ପାଳନ ହୋଇ ଆସୁଛି। ଏହା ଏକ କୃଷିଭିତିକ ପର୍ବ ଅଟେ। ଯେଉଁ ପ୍ରକୃତି ଆମକୁ ଅନ୍ନ ଦେଉଛି, ସେହି ପ୍ରକୃତିକୁ କୃତଜ୍ଞତା ଜଣାଇବାର ପର୍ବହିଁ ନୁଆଁଖାଇ। ସାଧାରଣତଃ ପଶ୍ଚିମ ଓଡ଼ିଶାରେ ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ନୁଆଁଖାଇ ପାଳନ କରାଯାଏ। କିନ୍ତୁ କଳାହାଣ୍ଡି ଜିଲ୍ଲାରେ ସମସ୍ତ ଜିଲ୍ଲାବାସୀ କୌଣସି ନିର୍ଦ୍ଧିଷ୍ଟ ତିଥିରେ ନବାନ୍ନ ଭକ୍ଷଣ କରିନଥାନ୍ତି। କଳାହାଣ୍ଡି ଜିଲ୍ଲାରେ ଶ୍ରାବଣ ପୁର୍ଣିମା ଠାରୁ ଆରମ୍ଭ କରି ଅଶ୍ୱିନ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଛଅ ଗୋଟି ପର୍ଯ୍ୟାୟରେ ନୁଆଁଖାଇ ପର୍ବ ପାଳନ ହୁଏ। ଏହି ପର୍ଯ୍ୟାୟରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ କଳାହାଣ୍ଡିର ଇଷ୍ଟଦେବି ମା ମାଣିକେଶ୍ବରୀଙ୍କୁ ନବାନ୍ନ ଭୋଗ ଅର୍ପଣ କରିସାରିବା ପରେ କଳାହାଣ୍ଡି ଗଡ଼ାଜାତର ଭବାନୀପାଟଣା ସହିତ ସମସ୍ତ ଜମିଦାରୀ ଅଞ୍ଚଳ ଲାଞ୍ଜିଗଡ, ମ. ରାମପୁର, ଥୁ. ରାମପୁର, କାର୍ଲପାଟ,ମହୁଲପାଟଣା ର ଜନସାଧାରଣ ନୁଆଁ ଖାଇଥାନ୍ତି। ଏବର୍ଷ ମଧ୍ୟ କଳାହାଣ୍ଡି ଗଡଜାତ ଅଂଚଳରେ ନୂଆଁଖାଇ ଧୁମ ଧାମରେ ପାଳନ ହେଉଛି। କଳାହାଣ୍ଡି ରାଜବାଟୀ ସ୍ଥିତ ମା ମାଣିକେଶ୍ବରୀ ମନ୍ଦିର କମିଟି ତରଫରୁ ନବାନ୍ନ ଭୋଗ ଲାଗି ଓ ନବାନ୍ନ ଭକ୍ଷଣ ସମୟ ପ୍ରକାଶିତ କରାଯାଇଥିଲା। ଇଂ. ତା.13.09.2024 ରେ ଦିବା ଘ. 8.25ମି ରୁ ଘ. 9.15 ମି ମଧ୍ୟରେ ମା ମାଣିକେଶ୍ବରୀଙ୍କ ଠାରେ ଭୋଗ ଲାଗି ଏବଂ ଦିବା ଘ. 10.03ମି ଠାରୁ ଘ 12.36 ମି ମଧ୍ୟରେ ସମସ୍ତ ଜନସାଧାରଣ ନବାନ୍ନ ଭକ୍ଷଣ କରିବାପାଇଁ ସ୍ଥିରୀକୃତ ହୋଇଥିଲା। ଏହି ନୁଆଁଖାଇ ଅବସରରେ ମା ମାଣିକେଶ୍ବରୀ ମନ୍ଦିର ଠାରୁ ଆରମ୍ଭ କରି ସମସ୍ତ ବଜାର ଘାଟରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଆଜିର ଦିନରେ କଳାହାଣ୍ଡିର ଆବାଳ ବୃଦ୍ଧ ବନିତା ନୂତନ ବସ୍ତ୍ର ଧାରଣ କରନ୍ତି ଏବଂ କୁରେଇ ପତ୍ରରେ ନୂଆ ଧାନର ଚୁଡା ଓ ନୂଆ ଚାଉଳର ଖିରି ନବାନ୍ନ ଆକାରରେ ଭକ୍ଷଣ କରନ୍ତି। ଆଜି ନିର୍ଦ୍ଧାରିତ ସମୟ ମଧ୍ୟରେ ଲୋକେ ନିଜ ପରିବାର ସହିତ ହର୍ଷ ଉଲ୍ଲାସ ର ସହିତ ନବାନ୍ନ ଭକ୍ଷଣ କରିଥିଲେ।

You may have missed