ଯୁକ୍ତ ଦୁଇ କାଉନସିଲ ଜୋନ୍-ଏ ବାଳକ କ୍ରିକେଟ୍ରେ ପାଟପୁର ଚାମ୍ପିୟନ୍
ସାନଖେମୁଣ୍ଡି :୧୨/୧୦: (ବିଜୟ କୁମାର ପ୍ରଧାନ ) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁରସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିନି ଷ୍ଟାଡିୟମ୍ ପରିସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ପକ୍ଷରୁ ପ୍ରାୟୋଜିତ ଯୁକ୍ତ ଦୁଇ ଅନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜୋନ୍-ଏ ବାଳକ କ୍ରିକେଟ୍ ପ୍ରତିଯୋଗିତା ଅକ୍ଟୋବର ୫ ତାରିଖରୁ ଆରମ୍ଭ ହୋଇଥିଲା। କିଛି ଦଳ ଖେଳିବାକୁ ଉପସ୍ଥିତ ନହେବାରୁ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଅକ୍ଟୋବର ୧୨ ତାରିଖରେ ଅନୁଷ୍ଠିତ ହୋଇଥିଲା। ଫାଇନାଲ୍ରେ ଆୟୋଜକ ବିଶ୍ୱାସ ରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପାଟପୁର ଓ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପୁଡ଼ାମାରି ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଥିଲା। ଏଥିରେ ପାଟପୁର ଦଳ ୧୩ ରନ୍ରେ ବିଜୟୀ ହୋଇ ଜୋନ୍-ଏ ବାଳକ କ୍ରିକେଟ୍ ପ୍ରତିଯୋଗିତାରେ ଚାମ୍ପିୟନ୍ ହୋଇଥିଲା।ଫାଇନାଲ୍ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ପାଟପୁର ଦଳ ନିର୍ଦ୍ଧାରିତ ୧୨ ଓଭରରେ ୮ଟି ୱିକେଟ୍ ହରାଇ ୮୩ ରନ୍ ସଂଗ୍ରହ କରିଥିଲା। ଜବାବରେ ପୁଡ଼ାମାରି ଦଳ ୧୨ ଓଭରରେ ୮ଟି ୱିକେଟ୍ ହରାଇ ୭୦ ରନ୍ କରିବାକୁ ସକ୍ଷମ ହୋଇଥିଲା। ଫଳରେ ପାଟପୁର ଦଳ ୧୩ ରନ୍ରେ ବିଜୟ ହାସଲ କରିଥିଲା। ପାଟପୁର ଦଳର ଟିମ୍ ମ୍ୟାନେଜର୍ ରାଜା ସିଂହଙ୍କ ତତ୍ତ୍ୱାବଧାନରେ ଦଳ ଏହି ସଫଳତା ହାସଲ କରିଥିଲା।
ଫାଇନାଲ୍ ପରେ ଆୟୋଜିତ ପୁରସ୍କାର ବିତରଣୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ବିଶ୍ୱାସ ରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନ କୁମାର ରଥ, କ୍ରୀଡ଼ା ଉପସଭାପତି ପ୍ରଫୁଲ୍ଲ ଚନ୍ଦ୍ର ମହାରଣା, ଷ୍ଟାଫ୍ କାଉନସିଲ୍ ସମ୍ପାଦକ ଡ. କୈଳାସ ଚନ୍ଦ୍ର ସ୍ୱାଇଁ ଏବଂ କ୍ରୀଡ଼ା କମିଟିର ସଦସ୍ୟ ତଥା ଅଧ୍ୟାପିକା ଡ. ସାଲିନା ବେହେରା, ଅଧ୍ୟାପକ ପ୍ରଦୀପ ବୈଠାରୁ, ଡ. ସୁରେନ୍ଦ୍ର ଶବର, ତ୍ରିଲୋଚନ ଦାସ ଓ ସନ୍ତୋଷ ମହାପାତ୍ର ଉପସ୍ଥିତ ରହି ବିଜୟୀ ଦଳକୁ ପୁରସ୍କୃତ କରିଥିଲେ। ପୁଡାମାରି ବିଜ୍ଞାନ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସୁରେନ୍ଦ୍ର କୁମାର ବେହେରା ଉପସ୍ଥିତ ଥିଲେ।ପ୍ରତିଯୋଗିତାର ପରିଚାଳନାରେ ପାଟପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଟିମ୍ ମ୍ୟାନେଜର୍ ରାଜା ସିଂହ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ମ୍ୟାଚ୍ ପରିଚାଳନାରେ ଖାରବେଳ ସ୍ୱାଇଁ ଓ ସୁଶାନ୍ତ କୁମାର ରାଉତ ଅମ୍ପାୟାର ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ପୀତବାସ ସୁଆଁସିଆ ସ୍କୋରର ଏବଂ ଆକାଶ ସ୍ୱାଇଁ ଓ ରବୀନ୍ଦ୍ର ସେଠୀ ସହାୟକ ଭାବେ କାର୍ଯ୍ୟ କରିଥିଲେ। ଜୀବନ ଦାଶ ଧାରାବିବରଣୀ ପ୍ରଦାନ କରିଥିଲେ।ପ୍ରତିଯୋଗିତା ଅବସରରେ ଖେଳାଳିମାନଙ୍କ ମଧ୍ୟରେ ଉତ୍ସାହ, ଶୃଙ୍ଖଳା ଓ କ୍ରୀଡ଼ା ମନୋଭାବ ପରିଲକ୍ଷିତ ହୋଇଥିଲା। ଆୟୋଜକ ବିଦ୍ୟାଳୟ ପକ୍ଷରୁ ପ୍ରତିଯୋଗିତାର ସୁପରିଚାଳନା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା।ଉଲ୍ଲେଖଯୋଗ୍ୟ ଯେ, ବିଭିନ୍ନ ଜୋନ୍ର ବିଜେତା ଦଳଗୁଡ଼ିକୁ ନେଇ ଆନ୍ତଃଜୋନ୍ ବାଳକ କ୍ରିକେଟ୍ ପ୍ରତିଯୋଗିତା ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅକ୍ଟୋବର ୧୩ ତାରିଖରୁ ୧୮ ତାରିଖ ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଜୋନ୍-ଏର ଚାମ୍ପିୟନ୍ ପାଟପୁର ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବ।
